ଇସଲାମାବାଦ: ପାକିସ୍ତାନ ପିପୁଲ୍ସ ପାର୍ଟି (PPP) ର ଅଧ୍ୟକ୍ଷ ବିଲାୱଲ ଭୁଟ୍ଟୋ ଜର୍ଦ୍ଦାରୀ ଜଣେ ୟୁରୋପୀୟ ରାଜପରିବାରର କନ୍ୟାଙ୍କୁ ବିବାହ କରିବାକୁ ଯାଉଛନ୍ତି ବୋଲି ସୋସିଆଲ ମିଡିଆରେ ଚାଲିଥିବା ଗୁଜବକୁ ଦଳୀୟ ନେତା ଖଣ୍ଡନ କରିଛନ୍ତି। କରାଚୀର ମେୟର ଏବଂ PPP ନେତା ମୁର୍ତ୍ତଜା ୱାହାବ୍‌ ଏହି ଖବରକୁ ସମ୍ପୂର୍ଣ୍ଣ ମିଥ୍ୟା ବୋଲି କହିଛନ୍ତି।

ସୋସିଆଲ ମିଡିଆରେ ଖବର ଭାଇରାଲ ହୋଇଥିଲା ଯେ ୩୮ ବର୍ଷୀୟ ବିଲାୱାଲଙ୍କ ବିବାହ ୟୁରୋପର ଏକ ରାଜପରିବାରରେ ସ୍ଥିର ହୋଇଛି। ଏଥିପାଇଁ ପାକିସ୍ତାନ ରାଷ୍ଟ୍ରପତି ଆସିଫ ଅଲି ଜର୍ଦ୍ଦାରୀ ସ୍ୱିଜରଲ୍ୟାଣ୍ଡ ଓ ଅଷ୍ଟ୍ରିଆ ମଧ୍ୟରେ ଥିବା ସ୍ୱାଧୀନ ରାଷ୍ଟ୍ର ଲିଚଟେନଷ୍ଟାଇନ ଗସ୍ତ କରି ବିବାହ ତାରିଖ ସ୍ଥିର କରିଛନ୍ତି।

କେତେକ ରିପୋର୍ଟରେ ଦାବି କରାଯାଇଥିଲା ଯେ, ଅଷ୍ଟ୍ରିଆର ରାଜବଂଶ 'ହାବ୍ସବର୍ଗ-ଲୋରେନ' ର ୨୬ ବର୍ଷୀୟା ପୂର୍ବତନ ଆର୍ଚଡଚେସ ଗ୍ଲୋରିଆ ଭୋନ୍ ହାବ୍ସବର୍ଗଙ୍କ ସହ ବିଲାୱଲଙ୍କ ନିର୍ବନ୍ଧ ହେବାକୁ ଯାଉଛି। ପାକିସ୍ତାନୀ ଉର୍ଦ୍ଦୁ ଦୈନିକ ସମ୍ବାଦପତ୍ର 'ଡେଲି ଆସାଫ' ମଧ୍ୟ ବିବାହ ପ୍ରସ୍ତୁତି ଚାଲିଥିବା ନେଇ ଖବର ପ୍ରକାଶ କରିଥିଲା। ତେବେ ପରବର୍ତ୍ତୀ ସମୟରେ ଏହି ରିପୋର୍ଟକୁ ହଟାଇ ଦିଆଯାଇଥିଲା।

​​​​​​​

ଅଗଷ୍ଟ ୨୭ ରେ ପାକିସ୍ତାନ ରାଷ୍ଟ୍ରପତି ଭବନ ପକ୍ଷରୁ 'X' (ଟ୍ୱିଟର) ରେ ସୂଚନା ଦିଆଯାଇଥିଲା ଯେ, ରାଷ୍ଟ୍ରପତି ଜର୍ଦ୍ଦାରୀ ଏକ ବ୍ୟକ୍ତିଗତ ଗସ୍ତରେ ବିଦେଶ ଯାଇଛନ୍ତି, ମାତ୍ର ଗସ୍ତର କାରଣ ବିଷୟରେ କୌଣସି ତଥ୍ୟ ଦିଆଯାଇନଥିଲା। ଶନିବାର ବିଳମ୍ବିତ ରାତିରେ ମୁର୍ତ୍ତଜା ୱାହାବ୍‌ ଏହି ବିବାହ ଖବରକୁ ସମ୍ପୂର୍ଣ୍ଣ ଗୁଜବ ବୋଲି ସ୍ପଷ୍ଟ କରିଛନ୍ତି। ଏହି ମାମଲାରେ ବିଲାୱଲ କିମ୍ବା ତାଙ୍କ ପରିବାର ପକ୍ଷରୁ ବର୍ତ୍ତମାନ ସୁଦ୍ଧା କୌଣସି ସୂଚନା ଦିଆଯାଇ ନାହିଁ।