କାଠମାଣ୍ଡୁ: ନେପାଳ ବନ୍ୟା ଯୋଗୁ ଉପୁଜିଥିବା ପ୍ରାକୃତିକ ବିପର୍ଯ୍ୟୟରେ ୭୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ଏବେବି ଉଦ୍ଧାରକାରୀ ଦଳ ବିଭିନ୍ନ ସ୍ଥାନରେ ଉଦ୍ଧାର ଅଭିଯାନ ଜାରି ରଖିଛନ୍ତି। ହଜାର ହଜାର ଲୋକେ ନିଖୋଜ ଥିବା ବେଳେ ପୁଣି ଦ୍ୱିତୀୟବାର ଭୀଷଣ ବନ୍ୟା ଚେତାବନୀ ଜାରି ହୋଇଛି। ତୀବ୍ବତୀୟ ପର୍ବତମାଳାରେ ବରଫ ଧସିବା ଯୋଗୁ ପ୍ରଳୟ ଆସିଥିଲା। ପାଣି ସହିତ ପଙ୍କ କାଦୁଅ ଓ ବଡ଼ ବଡ଼ ପଥର ଭାସିଆସିଥିଲା। ଫଳରେ ଭୀଷଣ ବିପର୍ଯ୍ୟୟ ହୋଇଛି।

ବିଦେଶମନ୍ତ୍ରାଳୟଙ୍କ ଅନୁସାରେ ଏବେବି ୨୭୫ରୁ ଅଧିକ ଭାରତୀୟ ନିଖୋଜ ଅଛନ୍ତି। ତେବେ ୧୦୮ ଜଣ ଉଦ୍ଧାର ହୋଇଛନ୍ତି। ସେହିପରି ୧୨୮ ଜଣ ଏନଆରଆଇ ମଧ୍ୟ ନିଖୋଜ ଅଛନ୍ତି। ଗତ ୨ ଦିନରେ ୫୯୮ ଜଣ ଭାରତୀୟ ଚୀନ୍ ରାସ୍ତାରେ ସୁରକ୍ଷିତ ଭାବେ ନେପାଳ ପାର କରିଯାଇଛନ୍ତି। ତେବେ ଆହୁରି ୯୦୦ ଭାରତୀୟ ଏବେବି ଚୀନ୍ ରେ ଅଟକି ରହିଛନ୍ତି। ଏମାନେ ସମସ୍ତେ ସୁରକ୍ଷିତ ଥିବା ବେଳେ ସେମାନଙ୍କ ସହ ସମ୍ପର୍କ କରାଯାଇ ପାରୁଛି।

ଏଥି ମଧ୍ୟରେ ଭାରତ ଶନିବାର ବାୟୁସେନାର ସି-୧୩୦ଜେ ମିଲେଟ୍ରି ଟ୍ରାନ୍ସପୋର୍ଟ ବିମାନ ଯୋଗେ ୧୧ଟନ ରିଲିଫ ସାମଗ୍ରୀ ପହଞ୍ଚାଇଛି। ବିଦେଶମନ୍ତ୍ରୀ ଏସ.ଜୟଶଙ୍କର କହିଛନ୍ତି ଯେ ବିମାନରେ ସର୍ଚ୍ଚ ଓ ରେସ୍କ୍ୟୁ ଅପରେସନ ଲାଗି ଇକ୍ୱିପମେଣ୍ଟ ସହିତ ଏକ ଟେକ୍ନିକାଲ ଟିମ୍ ମଧ୍ୟ ନେପାଳ ପଠାଯାଇଛି। ଏହା ସହିତ ଡିଏନଏ ଆନାଲିସସ୍ ପାଇଁ ଫରେନସିକ୍ ଏକ୍ସପର୍ଟଙ୍କ ଏକ ଟିମ୍ ଓ ଫରେନସିକ୍ ଇକ୍ୱିପମେଣ୍ଟ ମଧ୍ୟ ନେପାଳ ପଠାଯାଇଛି। ଏହା ଛଡା ୨୩୦ ଫୁଟ ସିଙ୍ଗଲ ଲେନ୍ ମଡ୍ୟୁଲାର ଷ୍ଟିଲ ବ୍ରିଜ ନିମନ୍ତେ ଇକ୍ୱିପମେଣ୍ଟ ନେଇ ଯାଉଥିବା ୧୬ ଟ୍ରକ୍ ନେପାଳ ପହଞ୍ଚିସାରିଛି। ନେପାଳକୁ ଭାରତ ଏ ପର୍ଯ୍ୟନ୍ତ ୬୮.୫ ଟନ ରିଲିଫ ସାମଗ୍ରୀ ଯୋଗାଣ କରିଛି।