ଭୁବନେଶ୍ୱର: ଏବେ ଓଡ଼ିଶାର ପ୍ରଶାସନିକ ଇତିହାସରେ ଲେଖାହେବ ଆଇଏସ ଅନୁଗର୍ଗଙ୍କ ନାମ। କାରଣ ସେ ହେବେ ରାଜ୍ୟର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ। ବର୍ତ୍ତମାନ ସେ ଉନ୍ନୟନ କମିଶନର ଅଛନ୍ତି। ଏହା ସହ ଜଳସମ୍ପଦ ଓ ଯୋଜନା ସମନ୍ୱୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦାୟିତ୍ୱ ମଧ୍ୟ ତୁଲାଉଛନ୍ତି। ସେ ମଧ୍ୟ ରାଜ୍ୟର ପ୍ରଥମ ମହିଳା ଉନ୍ନୟନ କମିଶନର। ତେବେ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ସମ୍ପକିତ ବିଜ୍ଞପ୍ତି ପରେ ନୂଆବର୍ଷରେ ରାଜ୍ୟରେ ନୂଆ ମୁଖ୍ୟଶାସନ ସଚିବଙ୍କ କାର୍ଯ୍ୟକାଳ ଆରମ୍ଭ ହେବ। ଏହା ମଧ୍ୟରେ ୧୯୯୧ ବ୍ୟାଚ ଆଇଏଏସ ଶ୍ରୀମତୀ ଗର୍ଗ ଶ୍ରୀମନ୍ଦିର ଯାଇ ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ନେଇଛନ୍ତି। ଆଉ ଏପଟେ ଅନୁ ଗର୍ଗଙ୍କ ଉତ୍ତରାଧିକାରୀ ଅର୍ଥାତ ପରବର୍ତ୍ତୀ ଉନ୍ନୟନ କମିଶନର କିଏ ହେବେ? ଏହି ପ୍ରଶ୍ନକୁ ନେଇ ପାଓ୍ୱାର କରିଡରରେ ଚର୍ଚ୍ଚା। ଏଥିପାଇଁ ବିଭିନ୍ନ ବରିଷ୍ଠ ଆଇଏଏସ ଅଫିସରଙ୍କୁ ନେଇ ଆଲୋଚନା ଜୋର ଧରିଲାଣି।

ଉନ୍ନୟନ କମିଶନର ହେବା ଦୌଡରେ ଏକାଧିକ ଅତିରିକ୍ତ ଶାସନ ସଚିବ ପାହ୍ୟାର ଆଇଏଏସ ଅଫିସର। ତେବେ ପାଓ୍ୱାର କରିଡର ଆଲୋଚନାରୁ ଶୁଣାଯାଏ ବରିଷ୍ଠ ଆଇଏଏସ ସତ୍ୟବ୍ରତ ସାହୁ, ଦେଓରଞ୍ଜନ ସିଂହ ଏବଂ ହେମନ୍ତ ଶର୍ମା ଆଗରେ ଅଛନ୍ତି। ଯଦିଓ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଅତିରିକ୍ତ ଶାସନ ସଚିବ ପାହ୍ୟାରେ ୧୨ ଜଣ ଅଫିସର ଥିବା ଜଣାପଡିଛି। କାରଣ ଓଡ଼ିଶା ସରକାର ୧୯୯୫ ପର୍ଯ୍ୟନ୍ତ ଆଇଏଏସଙ୍କୁ ଅତିରିକ୍ତ ଶାସନ ସଚିବ ପାହ୍ୟା ପ୍ରଦାନ କରିଛନ୍ତି। ସେହି ହିସାବରେ ବର୍ତ୍ତମାନ ୧୨ ଜଣ ଅତିରିକ୍ତ ଶାସନ ସଚିବ ଥିବା ବେଳେ ସେମାନଙ୍କ ମଧ୍ୟରୁ ୬ ଜଣ କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି। ତେଣୁ କିଏ ହେବେ ନୂଆବର୍ଷରେ ନୂଆ ଉନ୍ନୟନ କମିଶନର ସମସ୍ତଙ୍କ ମନରେ ପ୍ରଶ୍ନ।

କେନ୍ଦ୍ରୀୟ ଡେପୁଟେସନରେ ଥିବା ଅଫିସରମାନେ ହେଲେ ୧୯୯୫ ବ୍ୟାଚର ସଂଜୟ ରସ୍ତୋଗୀ। ୧୯୯୨ ବ୍ୟାଚ ଆଇଏଏସ ସିଏସ କୁମାର। ୧୯୯୩ ବ୍ୟାଚର ଦୁଇ ଆଇଏଏସ ନିକୁଞ୍ଚ ବିହାରୀ ଧଳ ଏବଂ ଆଇଏସ ଅଶୋକ କୁମାର ମୀନା। ସେହିପରି ୧୯୯୪ ବ୍ୟାଚ ର ସନ୍ତୋଷ କୁମାର ଷଡ଼ଙ୍ଗୀ ଏବଂ ରଞ୍ଜନା ଚୋପ୍ରା ବି ଅଛନ୍ତି ଦିଲ୍ଲୀରେ।

ଓଡ଼ିଶାରେ ଥିବା ୬ ଅତିରିକ୍ତ ଶାସନ ସଚିବ ରାଙ୍କର ଅଫିସରଙ୍କ ମଧ୍ୟରୁ ୧୯୯୧ ବ୍ୟାଚର ସତ୍ୟବ୍ରତ ସାହୁ ଏବେ ଗୃହ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଦାୟିତ୍ୱରେ । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଅଛନ୍ତି ୧୯୯୩ ବ୍ୟାଚ ଆଇଏସ ଦେଓ ରଞ୍ଜନ ସିଂହ। ସେହିପରି ହେମନ୍ତ ଶର୍ମା ହେଉଛନ୍ତି ୧୯୯୫ ବ୍ୟାଚ ଆଇଏସ। ଏବେ ଶିଳ୍ପ ସହ ସୂଚନା ଓ ଲୋକସମ୍ପର୍କ ବିଭାଗ ଦାୟିତ୍ୱରେ। ଅନ୍ୟ ୩ ଅତିରିକ୍ତ ମୁଖ୍ୟ ଶାସନ ସଚିବ ୧୯୯୩ ବ୍ୟଚର ସୁରେନ୍ଦ୍ର କୁମାର ଏବେ ଇସ୍ପାତ ଓ ଖଣି ବିଭାଗ ସହ ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ଦାୟିତ୍ୱରେ ।

ସେହିପରି ୧୯୯୪ ବ୍ୟାଚ ଆଇଏସ ଜି. ମାଥିଭାଥନନ ଏବେ ଗୋପବନ୍ଧୁ ପ୍ରଶାସନିକ ଏକାଡେମିରେ ଡିଜି। ୧୯୯୫ ବ୍ୟାଚର ଚିତ୍ରା ଅରୁ ମୁଗମ ଶ୍ରମ ବିଭାଗର ଅତିରିକ୍ତ ମୁଖ୍ୟଶାସନ ସଚିବ ଅଛନ୍ତି। ତେଣୁ ଉନ୍ନୟନ କମିଶନର କିଏ ହେବେ , ଓଡ଼ିଶାରେ ଅବସ୍ଥାପିତ କେହି ଅତିରିକ୍ତ ଶାସନ ସଚିବ ନା ଦିଲ୍ଲୀରୁ ଆସିବେ ସେହି ପାହ୍ୟାର ଅଫିସର ? ଉନ୍ନୟନ କମିଶନ ସହ ଜଳ ସମ୍ପଦ ବିଭାଗରେ ବି ନୂଆ ଅଫିସର ନିଯୁକ୍ତ କରିପାରନ୍ତି ସରକାର। ସେପଟେ ନୂଆ ମୁଖ୍ୟ ଶାସନ ସଚିବ ଦାୟିତ୍ୱ ନେବା ପରେ ପ୍ରଶାସନିକ ଅଧିକାରୀ ସ୍ତରରେ ବରିଷ୍ଠ ଅର୍ଥାତ ସଚିବଙ୍କ ଠାରୁ ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ଅଦଳବଦଳ ହୋଇପାରନ୍ତି ଅଫିସର। କିନ୍ତୁ ତାହା ନୂଆବର୍ଷରେ।