ଅହମଦାବାଦ ୨୯।୧: ଦେଶର ପ୍ରମୁଖ ଧନାଢ୍ୟ ବକ୍ତି ଗୌତମ ଆଦାନୀଙ୍କ ଅଙ୍ଗରକ୍ଷୀ କିଏ ଜାଣନ୍ତି? ଯଦି ଜାଣି ନାହାନ୍ତି ତେବେ ଆସନ୍ତୁ ଜାଣିବା। ଆଦାନୀଙ୍କ ସୁରକ୍ଷା ଦାୟିତ୍ୱରେ ରିଟାୟାର୍ଡ ମେଜର ସିଦ୍ଧାର୍ଥ ରାଠୋର ଅଛନ୍ତି। ତାଙ୍କର ସମ୍ପର୍କ ରାଜସ୍ଥାନ ସହ ଓ ସେନାରୁ ଅବସର ନେବା ପରେ କର୍ପୋରେଟ କ୍ଷେତ୍ରରେ ସଫଳତା ପୂର୍ବକ ପାଦ ଥାପିଛନ୍ତି। ବର୍ତ୍ତମାନ ସେ ଅହମଦାବାଦସ୍ଥିତ ଗୌତମ ଆଦାନୀଙ୍କ ଆଦାନୀ ଗ୍ରୁପ ସୁରକ୍ଷା ବିଭାଗରେ ଡେପୁଟି ଜେନେରାଲ ମ୍ୟାନେଜର ପଦବୀରେ କାମ କରୁଛନ୍ତି। ତାଙ୍କ ଦାୟିତ୍ୱରେ ଆଦାନୀ ସମୂହର ଗୁରୁତ୍ୱପୂର୍ଣ୍ଣ ଆସେଟ ଓ ଗୌତମ ଆଦାନୀଙ୍କ ସୁରକ୍ଷା ରହିଛି।

ବିଲେନିୟର ଉଦ୍ୟୋଗପତି ତଥା ଆଦାନୀ ସମୂହର ଚେୟାରମ୍ୟାନ ଗୌତମ ଆଦାନୀଙ୍କୁ କେନ୍ଦ୍ର ସରକାର ସିଆରପିଏଫ କମାଣ୍ଡୋର ‘ଜେଡ୍’ ଶ୍ରେଣୀର ସୁରକ୍ଷା ଯୋଗାଇ ଦେଇଛନ୍ତି। ଏ ବାବଦରେ ପ୍ରତିମାସରେ ୧୫ରୁ ୨୦ ଲକ୍ଷ ଟଙ୍କା ବ୍ୟୟ ହେଉଛି। ଏହା ବାଦେ ଆଦାନୀ ମେଜର ସିଦ୍ଧାର୍ଥ ରାଠୋରଙ୍କ ସୁରକ୍ଷା ଗ୍ରହଣ କରିଛନ୍ତି। ଗୌତମ ଆଦାନୀଙ୍କ ନେଟୱର୍ଥ ୫୯.୧ ବିଲିୟନ ଡଲାର। ଫୋର୍ବସ ଅନୁସାରେ ଆଦାନୀ ବିଶ୍ୱର ୩୦ତମ ସବୁଠୁ ଧନୀ ବ୍ୟକ୍ତି।

ଆଦାନୀ ଭାରତର ସବୁଠୁ ବଡ଼ ବିମାନ ବନ୍ଦର ସଞ୍ଚାଳକ। ସେ ଗୁଜରାଟ ରାଜ୍ୟ ବନ୍ଦର ମୁନ୍ଦ୍ରା ପୋର୍ଟକୁ ମଧ୍ୟ ନିୟନ୍ତ୍ରିତ କରୁଛନ୍ତି। ଆଦାନୀଙ୍କ ସୁରକ୍ଷାରେ ନିୟୋଜିତ ମେଜର ରାଠୋରଙ୍କୁ ଦେଶ ସେବା ପ୍ରେରଣା ତାଙ୍କ କାକା ବ୍ରିଗେଡିୟର ସୌରଭ ସିଂହ ଶେଖାୱତଙ୍କ ଠାରୁ ପାଇଥିଲେ।ସେ ଭାରତୀୟ ସେନାରେ ଯୋଗ ଦେଇ ପାରାସୁଟ୍ ରେଜିମେଣ୍ଟର ପାରା ସ୍ପେଶାଲ ଫୋର୍ସେସ (୧୨ତମ ରେଜିମେଣ୍ଟ)ରେ ସିଧା କମିସନ ପାଇଥିବା ପ୍ରଥମ ଅଧିକାରୀ ହୋଇଥିଲେ।

ଏହି ପ୍ରତିଷ୍ଠିତ ୟୁନିଟରେ ଏକ ଦଶନ୍ଧୀରୁ ଅଧିକ କାଳ ସେବା ଦେଉଥିବା ସମୟରେ ସେ ଆଧୁନିକ ଯୁଦ୍ଧ କୌଶଳ, କ୍ଲୋଜ କମ୍ବାଟ ଓ ହାଇ ରିସ୍କ ଅଭିଯାନରେ ଅଭିଜ୍ଞତା ହାସଲ କରିଛନ୍ତି। ଆଜି ମଧ୍ୟ ସେ ସ୍କାଇ ଡାଇଭିଂ ଭଳି ବ୍ୟକ୍ତିଗତ ସୌକ ବଳରେ ନିଜର ସୀମାକୁ ପରଖିବା ସହ ମାନସିକ ଦୃଢତା କାୟମ ରଖିଛନ୍ତି।