ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ୨୦୨୦ ଦିଲ୍ଲୀ ଦଙ୍ଗା ସମ୍ପର୍କିତ ମାମଲାରେ ଜାମିନ ଦାବି କରୁଥିବା ସରଜିଲ ଇମାମ ଓ ଉମର ଖାଲିଦଙ୍କ ପିଟିସନ ଉପରେ ଦିଲ୍ଲୀ ପୋଲିସକୁ ବୁଧବାର ନୋଟିସ୍ ଜାରି କରିଛନ୍ତି। ତେବେ କୋର୍ଟ ଉମର ଖାଲିଦଙ୍କ ଅନ୍ତରୀଣ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି। କୋର୍ଟ କହିଛନ୍ତି ଯେ ଏହି ଆବେଦନ ଉପରେ ବିଚାର କରିବା ପୂର୍ବରୁ ଦିଲ୍ଲୀ ପୋଲିସର ପକ୍ଷ ଶୁଣିବେ। ସୁପ୍ରିମକୋର୍ଟଙ୍କ ପ୍ରଧାନ ବିଚାରପତି (ସିଜେଆଇ) ଜଷ୍ଟିସ୍ ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ଜୟମାଲ୍ୟ ବାଗଚୀ ଓ ଜଷ୍ଟିସ୍ ଭି.ମୋହନାଙ୍କ ପୀଠ ବୁଧବାର ଏହି ମାମଲାରେ ଅନ୍ତରୀଣ ଜାମିନ ନିବେଦନ ଉପରେ ବିଚାର କରିବାକୁ ମନା କରିଦେଇଛନ୍ତି।

ଶୁଣାଣି କାଳରେ ଉମର ଖାଲିଦଙ୍କ ପକ୍ଷରୁ କୋର୍ଟରେ ଉପସ୍ଥିତ ବରିଷ୍ଠ ଓକିଲ କପିଲ ଶିବଲ ଅନ୍ତରୀଣ ଜାମିନ ପାଇଁ ଜୋର ଦେଇଥିଲେ। ସେ ତର୍କ ଦେଇଥିଲେ ଯେ ଖଲିଦ ୬ ବର୍ଷରୁ ଊର୍ଦ୍ଧ୍ୱ କାଳ ହେଲା ହାଜତରେ ଅଛନ୍ତି। ସେହିପରି ଅନ୍ୟତମ ବରିଷ୍ଠ ଓକିଲ ସିଦ୍ଧାର୍ଥ ଦବେ ମଧ୍ୟ ସରଜିଲ ଇମାମଙ୍କ ଲାଗି ସମାନ ଦାବି ରଖିଥିଲେ। ତେବେ ବେଞ୍ଚ କହିଛନ୍ତି ଯେ ଅନ୍ତରୀଣ ଜାମିନ ଦାବି ଉପରେ ବିଚାର ପୂର୍ବରୁ ଅନ୍ୟପକ୍ଷ (ଦିଲ୍ଲୀ ପୋଲିସ) କଥା ମଧ୍ୟ ଶୁଣିବାକୁ ପଡିବ। ବେଞ୍ଚ ନିର୍ଦ୍ଦେଶ ଦେଇଛନ୍ତି ଯେ ଏହି ମାମଲାକୁ ପ୍ରଶାସନିକ ସ୍ତରରେ ଭାରତର ପ୍ରଧାନ ବିଚାରପତିଙ୍କ ସାମ୍ନାରେ ରଖାଯାଉ, ଯାହା ଦ୍ୱାରା ୩ ଜଜଙ୍କ ଏକ ବେଞ୍ଚ ଗଠିତ ହୋଇ ପାରିବ।

ୟୁଏପିଏ ମାମଲାମାନଙ୍କରେ ଦୀର୍ଘ ହାଜତ ଆଧାରରେ ଜାମିନ ଦେବା ପାଇଁ ସୁପ୍ରିମକୋର୍ଟଙ୍କ ଅଲଗା ଅଲଗେ ବେଞ୍ଚଙ୍କ ନିଷ୍ପତ୍ତିରେ ବିରୋଧାଭାଷ ଦେଖା ଯାଇଛି। କେ.ଏ.ନଜୀବ ରାୟ ୨୦୨୧ରେ ୩ ଜଣିଆ ଜଜଙ୍କ ବେଞ୍ଚ କହିଥିଲେ ଯେ ୟୁଏପିଏର କଡ଼ା ସର୍ତ୍ତ ସତ୍ତ୍ୱେ ଦୀର୍ଘ ହାଜତ ଓ ମୋକଦ୍ଦମାରେ ବିଳମ୍ବ ଜାମିନର ଆଧାର ହୋଇ ପାରିବ। ତେବେ ଗୁଫିସା ଫାତିମା ମାମଲାର ରାୟରେ ଉମର ଖାଲିଦ ଓ ସରଜିଲ ଇମାମଙ୍କ ଜାମିନ ଖାରଜ କରିଦିଆଯାଇଥିଲା। ପରେ ସୟଦ ଇଫ୍ତିକାର ଅନ୍ଦ୍ରାବୀ ମାମଲାର ଶୁଣାଣି କରୁଥିବା ବେଞ୍ଚ ଏହି ରାୟକୁ ସମାଲୋଚନା କରି କହିଥିଲେ ଯେ ଏହା ନଜୀବ ରାୟର ସିଦ୍ଧାନ୍ତକୁ ଦୁର୍ବଳ କରିଛି। ଏହା ଉପରେ ଶିବ୍ବଲ କହିଛନ୍ତି ଯେ ତସ୍ଲିମ ଅହମଦ ମାମଲାରେ ବେଞ୍ଚ ସନ୍ଦର୍ଭ ଆଦେଶ ଗୃହୀତ କରିବା ବେଳେ ଦଙ୍ଗା ଷଡ଼ଯନ୍ତ୍ରର ସହ ଅଭିଯୁକ୍ତକୁ ଜାମିନ ମଞ୍ଜୁର କରିଥିଲେ।