ନୂଆଦିଲ୍ଲୀ: କଂଗ୍ରେସର ପୋଷ୍ଟରେ କଟକଣା ଲଗାଉଥିବା ଅଭିଯୋଗ କରି କର୍ମୀମାନେ ମେଟା ଅଫିସ୍ ସମ୍ମୁଖରେ ଆନ୍ଦୋଳନ କରିବା ପରେ ମଙ୍ଗଳବାର ମେଟା ସହିତ ଦଳର ପ୍ରଥମ ବୈଠକ ହୋଇଛି। ଏହି ବୈଠକରେ ମେଟା ପଲିସି ଟିମ୍ କଂଗ୍ରେସକୁ କାରଣ ଦର୍ଶାଇଛି। କମ୍ପାନୀ ଭାରତୀୟ ଆଇନ ଅନୁସାରେ କାମ କରୁଛି। ପୂରା ସ୍ୱଚ୍ଛତା ସହ କାମ କରୁଛି ବୋଲି ମେଟା ପଲିସି ଟିମ୍ କଂଗ୍ରେସ ନେତାଙ୍କୁ କହିଥିବା ଇଣ୍ଡିଆଟୁଡେ ଖବର ପ୍ରକାଶ କରିଛି।

ମଙ୍ଗଳବାର ମେଟା ସହିତ କଂଗ୍ରେସ ଦଳର ବୈଠକ ହୋଇଥିଲା। କଂଗ୍ରେସର ଅଭିଯୋଗ ପରେ ଏହା ପ୍ରଥମ ବୈଠକ ଥିଲା। ଏହା ପୂର୍ବରୁ କଂଗ୍ରେସ ମେଟା ଉପରେ ଭେଦଭାବ କରୁଥିବା ଅଭିଯୋଗ ଲଗାଇଥିଲା। ମେଟା କଂଗ୍ରେସ ଦଳ ଏବଂ ଏହାର ଯୁବ ଶାଖା 'ଇଣ୍ଡିଆନ୍ ୟୁଥ୍ କଂଗ୍ରେସ' (IYC) ସହ ଜଡ଼ିତ ପୋଷ୍ଟ ଓ ଆକାଉଣ୍ଟଗୁଡ଼ିକର ପହଞ୍ଚକୁ ସୀମିତ କରୁଛି ବୋଲି କଂଗ୍ରେସ ଅଭିଯୋଗ କରିଥିଲା। ଯାହାଫଳରେ ଗତକାଲି ଉଭୟ ପକ୍ଷ ମଧ୍ୟରେ ପ୍ରଥମ ବୈଠକ ହୋଇଛି।

ଭେଦଭାବ ଅଭିଯୋଗରେ କଂଗ୍ରେସ କର୍ମୀମାନେ ଦେଶ ବ୍ୟାପୀ ମେଟା ଅଫିସ ସମ୍ମୁଖରେ ଆନ୍ଦୋଳନ କରିଥିଲେ। କମ୍ପାନୀର ହାଇଦ୍ରାବାଦ,ଗୁରୁଗ୍ରାମ ଏବଂ ମୁମ୍ବାଇ ଅଫିସ ସମ୍ମୁଖରେ ଆନ୍ଦୋଳନ ହୋଇଥିଲା। ମଙ୍ଗଳବାର ବୈଠକରେ କମ୍ପାନୀ ସହ ଆଲୋଚନା କଲା ବେଳେ କଂଗ୍ରେସ ପ୍ରତିନିଧି ଦଳ ଦର୍ଶାଇଥିଲେ ଯେ ଯେଉଁ ପୋଷ୍ଟଗୁଡ଼ିକୁ ରାହୁଲ ଗାନ୍ଧୀଙ୍କୁ ମେନସନ କରାଯାଉଛି ସେଗୁଡ଼ିକ ମେଟା ସୀମିତ ରଖୁଛି। ବେଶି ଲୋକଙ୍କ ପାଖରେ ପହଞ୍ଚାଉ ନାହିଁ। ଅଭିଯୋଗକୁ ମେଟା ଖଣ୍ଡନ କରିଥିଲା।

ବୈଠକରେ କିଏ କଣ କହିଲେ ?

କଂଗ୍ରେସ ଓ ଭାରତରେ ମେଟାର ଶୀର୍ଷ କାର୍ଯ୍ୟନିର୍ବାହୀମାନଙ୍କ ମଧ୍ୟରେ ମଙ୍ଗଳବାର କଂଗ୍ରେସ ମୁଖ୍ୟାଳୟରେ ରୁଦ୍ଧଦ୍ୱାର ଆଲୋଚନା ହୋଇଥିଲା। ଉଭୟ ପକ୍ଷ ବିବାଦର ସମାଧାନ କରିବାକୁ ଚେଷ୍ଟା କରିଥିଲେ। ମେଟାର ଦୁଇ ପ୍ରମୁଖ ଅଧିକାରୀ - ଅମନ ଜୈନ ଏବଂ ନତାଶା ଜୋଗ ଏହି ବୈଠକରେ ଯୋଗ ଦେଇଥିଲେ। ମେଟାର କାର୍ଯ୍ୟାଳୟକୁ ଟାର୍ଗେଟ କରି ବିରୋଧ ପ୍ରଦର୍ଶନ ଏବଂ ପୋଷ୍ଟରରେ ସିଇଓ ମାର୍କ ଜୁକରବର୍ଗଙ୍କ ଫଟୋକୁ ବିକୃତି କରିବା ନେଇ ଦୁଇ ଅଧିକାରୀ କଂଗ୍ରେସ ସମ୍ମୁଖରେ ଚିନ୍ତା ବ୍ୟକ୍ତ କରିଥିଲେ। ଅପରପକ୍ଷରେ କଂଗ୍ରେସ ମଧ୍ୟ ଏହାର ନେତାଙ୍କ ଆକାଉଣ୍ଟ ଏବଂ ପୋଷ୍ଟ ଉପରେ ପ୍ରତିବନ୍ଧକ ବୃଦ୍ଧି ଏବଂ ମେଟା ବିଜେପିକୁ ସମର୍ଥନ କରିବା ଅଭିଯୋଗ କରି ଚିନ୍ତା ପ୍ରକଟ କରିଥିଲା। ତେବେ ମେଟା କୌଣସି ପକ୍ଷପାତିତାକୁ ଅସ୍ୱୀକାର କରିଛି ବୋଲି ଘଟଣା ସହ ଜଡ଼ିତ ସୂତ୍ରରୁ ସୂଚନା ମିଳିଛି।

ତେବେ ଆଲୋଚନା ସମୟରେ ମେଟା କଂଗ୍ରେସକୁ କୌଣସି ପ୍ରତିଶ୍ରୁତି ଦେଇନଥିଲା ଏବଂ ଏହା ସ୍ଥାନୀୟ ଆଇନ ଦ୍ୱାରା ଅନୁବନ୍ଧିତ ବୋଲି ସ୍ପଷ୍ଟ କରିଥିଲା। ସମସ୍ତ ରାଜନୈତିକ ଦଳ ପ୍ରତି ମେଟା ନିରପେକ୍ଷ ରହିଥାଏ ବୋଲି ମେଟାର ଅଧିକାରୀମାନେ ଗୁରୁତ୍ୱ ଦେଇଥିଲେ ବୋଲି ଘଟଣା ସହ ସମ୍ପୃକ୍ତ ଜଣେ ବ୍ୟକ୍ତି କହିଥିବା ରୟଟର୍ସରେ ଖବର ପ୍ରକାଶ ପାଇଛି।

Also Read- ୨୦ ହଜାର କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପକୁ କ୍ୟାବିନେଟ୍ ମଞ୍ଜୁରି, ଜାଣନ୍ତୁ କେଉଁ କେଉଁ ଯୋଜନାକୁ ମିଳିଲା ଅନୁମୋଦନ

ଗତ ଶୁକ୍ରବାର ହାଇଦ୍ରାବାଦର ମେଟା ଅଫିସରେ ଆନ୍ଦୋଳନ କଲା ବେଳେ ତେଲେଙ୍ଗାନା ଯୁବ କଂଗ୍ରେସ ଅଧ୍ୟକ୍ଷ ଜାକ୍କିଡି ଶିବ ଚରଣ ରେଡ୍ଡୀ ଗୁରୁତର ଅଭିଯୋଗ ଆଣିଥିଲେ। 'ଇଣ୍ଡିଆନ୍ ୟୁଥ୍ କଂଗ୍ରେସ' ଜାତୀୟ ଅଧ୍ୟକ୍ଷ ଉଦୟ ଭାନୁ ଚିବ ଏବଂ ଜାତୀୟ ପ୍ରଭାରୀ ମନିଶ ଶର୍ମାଙ୍କର ଇନଷ୍ଟା ଆକାଉଣ୍ଟ ସସ୍ପେଣ୍ଡ କରାଯାଇଛି କମ୍ବା ଏହା ଉପରେ କଟକଣା ଲଗାଯାଇଛି ବୋଲି ସେ କହିଥିଲେ।

ଏହି ଅଭିଯୋଗରେ କଂଗ୍ରେସ କର୍ମୀମାନେ ଗାଚିବୋୱଲି ସ୍ଥିତ ମେଟା କାର୍ଯ୍ୟାଳୟରେ ପ୍ରବେଶ କରି ପ୍ରଭାବିତ ଆକାଉଣ୍ଟଗୁଡ଼ିକୁ ରିଷ୍ଟୋର କରିବାକୁ ଦାବି କରିଥିଲେ। ମାମଲାରେ ପୋଲିସ ରେଡ୍ଡୀ ଏବଂ ଅନ୍ୟ କିଛି କର୍ମୀଙ୍କୁ ଅଟକ ରଖି ଥାନାକୁ ନେଇଯାଇଛି ବୋଲି ତେଲେଙ୍ଗାନା ୟୁଥ୍ କଂଗ୍ରେସ କହିଛି।

କ’ଣ ଚାହୁଁଛି ଯୁବ କଂଗ୍ରେସ ?

ତେବେ ଆକାଉଣ୍ଟ ଗୁଡ଼ିକ ଉପରେ କାହିଁକି କଟକଣା ଲଗାଇଛି ଏହାର ଖୁଲାସା କରିବାକୁ ସେହି ଦିନ ହିଁ ଯୁବ କଂଗ୍ରେସ ମେଟାକୁ ୭ ଦିନର ମହଲତ ଦେଇଥିଲା। କମ୍ପାନୀ ସତ ନ କହିବା ପର୍ଯ୍ୟନ୍ତ ଦଳ ଏମିତି ଆନ୍ଦୋଳନ କରିବ। ଏବଂ ଦରକାର ପଡିଲେ କୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି ଯୁବ କଂଗ୍ରେସ ଚେତାବନୀ ଦେଇଛି।

ଏଥିସହିତ ଦଳ ଆହୁରି ଦାବି କରିଛି ଯେ ସରକାରଙ୍କ ନିର୍ଦ୍ଦେଶ ପରେ ମେଟା ଗତ ୬ ମାସରେ କେତୋଟି ଆକାଉଣ୍ଟରେ କଟକଣା ଲଗାଇଛି, କେତେଟି ବ୍ଲକ କରିଛି ସେଗୁଡ଼ିକର ଖୁଲାସା କରୁ। ଯେଉଁ ପୋଷ୍ଟଗୁଡ଼ିକରେ ରାହୁଲ ଗାନ୍ଧୀଙ୍କୁ ମେନସନ କରାଯାଉଛି, ଯେଉଁଥିରେ ନରେନ୍ଦ୍ର ମୋଦୀ ସରକାରଙ୍କୁ ପ୍ରଶ୍ନ କରାଯାଉଛି, ସେଗୁଡ଼ିକୁ କାହିଁକି କଟକଣା ଲଗାଯାଉଛି ଏହାର ଉପରେ ଜବାବ ରଖିବାକୁ କଂଗ୍ରେସ ଦାବି କରିଛି।

ଯୁବ କଂଗ୍ରେସ ଏହା ମଧ୍ୟ ଦାବି କରିଛି ଯେ, ମେଟା ବିରୋଧୀ ଦଳର ନେତା, ସାମ୍ବାଦିକ ଏବଂ କଣ୍ଟେଣ୍ଟ କ୍ରିଏଟରମାନଙ୍କ ଆକାଉଣ୍ଟ ଓ ପୋଷ୍ଟ ଉପରେ ଲଗାଇଥିବା କଟକଣାଗୁଡ଼ିକୁ ହଟାଇ ଦେଉ। ଏହା ସମ୍ପୂର୍ଣ୍ଣ ବେଆଇନ ବୋଲି କଂଗ୍ରେସ କହିଛି।

ମେଟାର ଏଭଳି ଆଚରଣକୁ ବିରୋଧ କରି ଭାରତୀୟ ଯୁବ କଂଗ୍ରେସ ବେଙ୍ଗାଲୁରୁରେ ହୋର୍ଡିଂ ଲଗାଇଛି। ଯେଉଁଥିରେ ମେଟା ବିଜେପିକୁ ସପୋର୍ଟ କରୁଛି, ନକଲି ଖବର ଏବଂ ଘୃଣାପୂର୍ଣ୍ଣ ଭାଷଣକୁ ରୋକିବାରେ ବିଫଳ ହେଉଛି ବୋଲି ଅଭିଯୋଗ କରାଯାଇଛି। ବିମାନବନ୍ଦର ରୋଡର ସଦାହଲ୍ଲୀ ଗେଟ୍ ନିକଟରେ ଥିବା ଏକ ହୋର୍ଡିଂରେ ମେଟା ପ୍ରତିଷ୍ଠାତା ମାର୍କ ଜୁକରବର୍ଗଙ୍କୁ ଟାର୍ଗେଟ୍ କରାଯାଇଛି। ଏଥିରେ ତାଙ୍କୁ ଆରଏସଏସ ପୋଷାକ ପିନ୍ଧାଇବା ସହିତ "ମେଟା, ବିଜେପି କା ବେଟା" (ମେଟା, ବିଜେପିର ପୁଅ) ସ୍ଲୋଗାନ ଲେଖାଯାଇଛି।