ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ଉତ୍ତେଜନା ଯୋଗୁଁ ପ୍ରଭାବିତ ହୋଇଛି ଉଭୟ ଦେଶର ବାଣିଜ୍ୟ। ପାକିସ୍ତାନରୁ ସମସ୍ତ ପ୍ରକାରର ସାମଗ୍ରୀର ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଇଛି ଭାରତ। ପହଲଗାମ୍ ହମ୍ଲା ପରେ ଭାରତର କୂତନୈତିକ ହମ୍ଲା ପାଇଁ ଆତଙ୍କୀ ଦେଶର ଅଣ୍ଟା ବଙ୍କା ହେବାକୁ ଲାଗିଲାଣି। ଏବେ ପାକିସ୍ତାନ ସାମଗ୍ରୀର ଆମଦାନୀ ଉପରେ ରୋକ୍ ବଢ଼ାଇ ଦେଇଛି ପାକ୍ର ଚିନ୍ତା। ଏହି ପ୍ରତିବନ୍ଧକ ଅନୁଯାୟୀ, ଏବେ ପାକିସ୍ତାନରୁ ଆସୁଥିବା ଯେକୌଣସି ଉତ୍ପାଦର ଆମଦାନୀ ଉପରେ ସମ୍ପୂର୍ଣ୍ଣ ବ୍ୟାନ୍ କରାଯାଇଛି। ତାହା ସିଧାସଳଖ ଆମଦାନୀ ହେଉ କିମ୍ବା ଅନ୍ୟ ଦେଶ ମାଧ୍ୟମରେ ହେଉ। ଏପରି ପରିସ୍ଥିତିରେ, ଆସନ୍ତୁ ଜାଣିବା ପାକିସ୍ତାନରୁ ଭାରତକୁ କେଉଁ ସାମଗ୍ରୀ ଆସୁଥିଲା?
ସୈନ୍ଧବ ଲୁଣ (ହିମାଳୟ ରକ୍ ସଲ୍ଟ)
ଭାରତରେ ଉପବାସ ଏବଂ ଆୟୁର୍ବେଦିକ ଉଦ୍ଦେଶ୍ୟରେ ବ୍ୟବହୃତ ଏହି ଲୁଣ ପ୍ରକୃତରେ ପାକିସ୍ତାନର ଖେୱରା ଖଣିରୁ ଆସିଥାଏ। ଏହାକୁ ହିମାଳୟନ ରକ୍ ସଲ୍ଟ ଭାବରେ ମଧ୍ୟ ଜଣାଶୁଣା। ଏହା ସବୁଠାରୁ ପ୍ରମୁଖ ପାକିସ୍ତାନୀ ଉତ୍ପାଦ ମଧ୍ୟରୁ ଅନ୍ୟତମ। ଯାହା ଭାରତକୁ ବିପୁଳ ପରିମାଣରେ ଆମଦାନି କରାଯାଉଥିଲା।
ଡ୍ରାଏ ଫ୍ରୁଟ୍ସ :
ପାକିସ୍ତାନର ବେଲୁଚିସ୍ତାନ ଏବଂ ପେଶାୱର ଅଞ୍ଚଳରୁ ଭାରତକୁ ବାଦାମ, ଅଖରୋଟ, କିସମିସ୍ ଏବଂ ଡିମ୍ବିର ଭଳି ଶୁଖିଲା ଫଳ ଆସୁଥିଲା। ବିଶେଷକରି ପର୍ବପର୍ବାଣୀ ଏବଂ ଶୀତ ଋତୁରେ ସେମାନଙ୍କର ଚାହିଦା ବୃଦ୍ଧି ପାଉଥିଲା।
ପେଶାୱାରି ଚପଲ:
ପାରମ୍ପରିକ ଡିଜାଇନ୍ ପାଇଁ ପ୍ରସିଦ୍ଧ ପେଶାୱାରୀ ଚପଲ ଉତ୍ତର ଭାରତର ଅନେକ ରାଜ୍ୟରେ ବେଶ୍ ଲୋକପ୍ରିୟ। ଏହା ବିଶେଷକରି ପୁରୁଷମାନଙ୍କ ପାରମ୍ପରିକ କଷ୍ଟ୍ୟୁମ୍ର ଏକ ଅଂଶ ହୋଇଯାଇଛି।
ଲାହୋରୀ କୁର୍ତ୍ତା:
ଲାହୋରର ପ୍ରସିଦ୍ଧ କାରୁକାର୍ଯ୍ୟ ଏବଂ ଡିଜାଇନ୍ ସହିତ କୁର୍ତ୍ତା, ସାଲୱାର-ସୁଟ୍ ଏବଂ ଅନ୍ୟାନ୍ୟ ପୋଷାକ ଭାରତରେ ଲୋକପ୍ରିୟ ହୋଇପାରୁଥିଲା। ଅନେକ ଫ୍ୟାଶନ୍ ବ୍ରାଣ୍ଡ ଏହି କୁର୍ତ୍ତାକୁ ସ୍ୱତନ୍ତ୍ର ଡିଜାଇନ୍ ଭାବରେ ପ୍ରଚାର କରୁଥିଲେ।
କପା:
ଭାରତ ପାକିସ୍ତାନରୁ କପା, ଜୈବିକ ରାସାୟନିକ ପଦାର୍ଥ, ମିଠା ଉତ୍ପାଦ ଏବଂ ଚଷମାରେ ବ୍ୟବହୃତ ଅପ୍ଟିକ୍ସ ମଧ୍ୟ ଆମଦାନୀ କରିଥାଏ। ଏହା ବ୍ୟତୀତ ଭାରତ ପାକିସ୍ତାନରୁ ଇସ୍ପାତ ଏବଂ ସିମେଣ୍ଟ ମଧ୍ୟ ଆମଦାନୀ କରିଥାଏ।
ଭାରତ ସରକାରଙ୍କ ଏହି ନିଷ୍ପତ୍ତି ପରେ, ଏହି ସମସ୍ତ ଉତ୍ପାଦର ଆମଦାନୀ ଏବେ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ଏବେ ଭାରତ ସରକାରଙ୍କ କଠୋର ନିଷ୍ପତ୍ତି ପରେ, ପାକିସ୍ତାନୀ ଜାହାଜଗୁଡ଼ିକ ଭାରତୀୟ ବନ୍ଦରଗୁଡ଼ିକରେ ଅଟକିବେ ନାହିଁ। ଏହା କେବଳ ପାକିସ୍ତାନର ଅର୍ଥନୀତିକୁ ଝଟ୍କା ଦେବ ନାହିଁ ବରଂ ଭାରତୀୟ ବଜାରରେ କିଛି ପ୍ରକାରର ଉତ୍ପାଦର ଉପଲବ୍ଧତାକୁ ମଧ୍ୟ ପ୍ରଭାବିତ କରିପାରେ। ଭାରତ ପୂର୍ବରୁ ଆତ୍ମନିର୍ଭରତା ଆଡକୁ ଦ୍ରୁତ ଗତିରେ ଆଗକୁ ବଢ଼ୁଛି। ଏସବୁ ଯୋଗାଣର ବିକଳ୍ପଗୁଡ଼ିକ ଖୁବ୍ ଶୀଘ୍ର ବଜାରରେ ଦେଖାଯାଇପାରେ।