​​​​​​​ନୂଆଦିଲ୍ଲୀ: ନିକଟରେ ମୋଦୀ ସରକାର ଜିଏସଟି ସ୍ଲାବରେ ପରିବର୍ତ୍ତନ କରିଛନ୍ତି। ପୂର୍ବରୁ ଥିବା ଜିଏସଟିର ୪ ସ୍ଲାବ୍‌କୁ ହଟାଇ କେବଳ ୫ ଏବଂ ୧୮%ର ସ୍ଲାବ୍ କରିଦିଆଯାଇଛି। ଏହି ଜିଏସଟି ୨.୦ ଆସନ୍ତା ସେପ୍ଟେମ୍ବର ୨୨ରୁ ଲାଗୁ ହେବାକୁ ଯାଉଥିବାବେଳେ, ଜିଏସଟି ସଂସ୍କାରର ମୂଳ ଲକ୍ଷ୍ୟ ରହିଛି ବିସ୍କୁଟ, ସାବୁନ ଏବଂ ଟୁଥ୍‌ପେଷ୍ଟ ଭଳି ଦୈନନ୍ଦିନ ସାମଗ୍ରୀର ମୂଲ୍ୟ କମାଇ ସାଧାରଣ ଲୋକଙ୍କ ପାଇଁ ସୁଲଭ କରିବା।

ତେବେ ମନିକଣ୍ଟ୍ରୋଲର ଏକ ରିପୋର୍ଟ ଅନୁସାରେ, ଏଫଏମସିଜି କମ୍ପାନିମାନେ କହିଛନ୍ତି ୫ ଟଙ୍କା, ୧୦ ଟଙ୍କା, ୨୦ ଟଙ୍କା ଉତ୍ପାଦର ମୂଲ୍ୟରେ କୌଣସି ପରିବର୍ତ୍ତନ ହେବ ନାହିଁ। ଅର୍ଥାତ ଛୋଟ ଛୋଟ ପ୍ୟାକେଟ୍ ସାମଗ୍ରୀ ଯେପରିକି ବିସ୍କୁଟ, ସାବୁନ ଏବଂ ଟୁଥପେଷ୍ଟ ଯାହାର ମୂଲ୍ୟ ୨୦ ଟଙ୍କା ଭିତରେ ରହିଛି ସେସବୁର ମୂଲ୍ୟରେ ପରିବର୍ତ୍ତନ ହେବନାହିଁ।  କମ୍ପାନିଙ୍କ କହିବା ଅନୁସାରେ ଏସବୁ ସାମଗ୍ରୀ ପୂର୍ବରୁ ହିଁ ଶସ୍ତାରେ ଦିଆଯାଉଛି। ଆଉ ଏହାକୁ ଲୋକଙ୍କୁ ସୁଲଭ ମୂଲ୍ୟରେ ମିଳୁଛି। ଲୋକଙ୍କ ଏହାର ଦାମ୍‌କୁ ନେଇ ଭରସା ମଧ୍ୟ ରହିଛି। ଏମିତିକି ଅନେକ ସାମଗ୍ରୀକୁ ଲୋକେ ସେମାନଙ୍କୁ ମୂଲ୍ୟ ଦ୍ବାରା ଚିହ୍ନିଥାନ୍ତି। ଯେପରିକି ବିସ୍କୁଟ ଏବଂ ସାବୁନ।

ବିଶେଷଜ୍ଞଙ୍କ କହିବା ଅନୁସାରେ ଏସବୁ ସାମଗ୍ରୀର ଦାମ୍‌ରେ ପରିବର୍ତ୍ତନ କରିବା ଦ୍ବାରା ଗ୍ରାହକଙ୍କ ମଧ୍ୟରେ ଦ୍ବନ୍ଦ୍ବ ଉପୁଜିପାରେ। ତେବେ ଏହାର ଅର୍ଥ ନୁହେଁ ଯେ, ଗ୍ରାହକଙ୍କୁ ଜିଏସଟି ହ୍ରାସର ଫାଇଦା ମିଳିବନି। ପ୍ରକୃତରେ ଦାମ୍ ଏସବୁ ସାମଗ୍ରୀର ଦାମ୍‌ କମାଇବା ବଦଳରେ କମ୍ପାନିମାନେ ସାମଗ୍ରୀର ପରିମାଣରେ ବୃଦ୍ଧି କରିବାକୁ ଯୋଜନା କରିଛନ୍ତି। ଅର୍ଥାତ ଏଣିକି ଆପଣଙ୍କୁ ସେହି ଦାମ୍‌ରେ ଅଧିକ ସାମଗ୍ରୀ ମିଳିବ। ଏହାଦ୍ବାରା କମ୍ପାନିମାନେ ଟ୍ୟାକ୍ସ କଟ୍‌ର ଲାଭକୁ ଗ୍ରାହକଙ୍କୁ ଦେବେ।