​​​​​​​କୋଝିକୋଡେ: ଫୋର୍ବସ୍‌ର ରିୟଲ ଟାଇମ୍ ଗ୍ଲୋବାଲ ବିଲେନିୟର ରାଙ୍କିଂସ ଅନୁସାରେ ମଲୟାଲୀ ଧନୀଙ୍କ ମଧ୍ୟରେ ଶୀର୍ଷରେ ରହିଛନ୍ତି ମଲାୟଲୀ ବ୍ୟବସାୟୀ ଏବଂ ଜୁଏଲାରୀ ଶୃଙ୍ଖଳାର ଚେୟାରମ୍ୟାନ୍ ଜୟ ଆଲୁକ୍କସ୍‌। ବର୍ତ୍ତମାନ ତାଙ୍କ ସମ୍ପତ୍ତି ୬.୭ ବିଲିୟନ ଡଲାରରେ ପହଞ୍ଚିଛି। ଏହା ପୂର୍ବରୁ ଫୋର୍ବସ ୨୦୨୫ ଏପ୍ରିଲ ଗ୍ଲୋବାଲ ବିଲିଓନେୟାର ତାଲିକା ଅନୁସାରେ ତାଙ୍କର ସମ୍ପତ୍ତି ୩.୩ ବିଲିୟନ ଡଲାର ରହିଥିଲା। ଅର୍ଥାତ ସେବେଠାରୁ ତାଙ୍କ ସମ୍ପତ୍ତି ଦୁଇଗୁଣରୁ ଅଧିକ ବୃଦ୍ଧି ପାଇଛି।

ସେହିଭଳି ଲୁଲୁ ଗ୍ରୁପ୍ ଚେୟାରମ୍ୟାନ ଏମ.ଏ ୟୁସୁଫ ଅଲି ପୂର୍ବରୁ ମଲୟାଲୀଙ୍କ ମଧ୍ୟରେ ଟପ୍‌ରେ ଥିଲେ। ମାତ୍ର ଏବେ ସେ ଦ୍ବିତୀୟ ସ୍ଥାନକୁ ଖସିଆସିଛନ୍ତି। ତାଙ୍କର ମୋଟ ସମ୍ପତ୍ତି ୫.୪ ବିଲିୟନ ଡଲାର ରହିଛି।

ଫୋର୍ବସ ରାଙ୍କିଂ (ରିୟଲ ଟାଇମ୍)ରେ ଅନ୍ୟ ମଲୟାଲୀଙ୍କ ମଧ୍ୟରେ ରହିଛନ୍ତି, GEMS ଏଜୁକେସନର ଚେୟାରମ୍ୟାନ ସନୀ ବର୍କୀ, RP ଗ୍ରୁପ୍‌ର ଚେୟାରମ୍ୟାନ ରବି ପିଲଇ, କଲ୍ୟାଣ ଜୁଏଲର୍ସର ଏମଡି ଟି.ଏସ. କଲ୍ୟାଣରମଣ, ଶୋଭା ଗ୍ରୁପ୍‌ର ଫାଉଣ୍ଡର ପି.ଏନ.ସି ମେନନ, ଇନଫୋସିସର କୋ- ଫାଉଣ୍ଡର କ୍ରିସ ଗୋପାଳକ୍ରିଷ୍ଣନ, କେନ୍‌ସ ଗ୍ରୁପ୍‌ର ଫାଉଣ୍ଡର ରମେଶ କୁନହିକନ୍ନନ। ସେହିଭଳି ମୁଥୁଟ ଫାଇନାନ୍ସର ପ୍ରମୋଟର୍ସ ଜର୍ଜ ଜାକବ ମୁଥୁଟ୍‌, ସାରା ଜର୍ଜ ମୁଥୁଟ୍‌, ଜର୍ଜ ଥୋମାସ ମୁଥୁଟ, ଜର୍ଜ ଆଲେକ୍ସାଣ୍ଡର ମୁଥୁଟ ମଧ୍ୟ ତାଲିକାରେ ରହିଛନ୍ତି। ବୁର୍ଜିଲ ହୋଲ୍ଡିଂର ଚେୟାରମ୍ୟାନ୍ ଡ. ସମଶେର ଭୟାଲ୍ଳୀ, ଇନଫୋସିସ୍ ସହ-ପ୍ରତିଷ୍ଠାତା, ଭି-ଗାର୍ଡ ଗ୍ରୁପର ପ୍ରତିଷ୍ଠାତା କୋଚୌସେଫ୍ ଚିଟିଲାପିଲ୍ଲୀ ରହିଛନ୍ତି।

ଏମାନଙ୍କ ବାଦ ବିଶ୍ୱର ଧନୀ ତାଲିକା କଥା କହିଲେ, ଟେସଲା ଏବଂ ସ୍ପେସଏକ୍ସର ମୁଖ୍ୟ ଏଲନ ମସ୍କ ୪୬୩.୨ ବିଲିୟନ ଡଲାର ସହ ୧ ନମ୍ବର​‌ରେ ରହିଛନ୍ତି। ଭାରତୀୟଙ୍କ ମଧ୍ୟରେ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଅଧ୍ୟକ୍ଷ ମୁକେଶ ଅମ୍ବାନୀ ୧୦୪ ବିଲିୟନ ଡଲାର ସହିତ ସବୁଠାରୁ ଧନୀ ଭାବରେ ରହିଛନ୍ତି।