ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦର କୁମାର ଗୁଜରାଲଙ୍କ ପୁଅ ତଥା ଜଣାଶୁଣା ବ୍ୟବସାୟୀ ନରେଶ ଗୁଜରାଲଙ୍କ କମ୍ପାନୀରୁ ସାଇବର ଠକ ୭.୮ କୋଟି ଟଙ୍କା ଠକି ନେଇଛନ୍ତି। ଠକମାନେ ସାଇବର ଅପରାଧର ଯେଉଁ ଉପାୟ ଆପଣେଇଛନ୍ତି ତାକୁ ‘ବସ୍ ସ୍କାମ’ କୁହାଯାଏ। ତେବେ ଆସନ୍ତୁ ଜାଣିବା ସାଇବର ଠକେଇର ଏହି ନୂଆ ଉପାୟ ସମ୍ପର୍କରେ ଓ ଏଥିରେ ଠକମାନେ କିପରି କମ୍ପାନୀମାଲିକଙ୍କୁ ଚୁନ ଲଗାଉଛନ୍ତି ।

ବିଜନେସ୍ ଇ ମେଲ୍ ଠକେଇ
ବସ୍ ସ୍କାମକୁ ବିଜନେସ୍ ଇ-ମେଲ ଠକେଇ କୁହାଯାଏ। ଏହା ଜରିଆରେ ଠକ ଇ-ମେଲ, ହ୍ୱାଟସ୍ ଆପ୍, ମେସେଜିଂ ଆପ ଅଥବା ଅନ୍ୟ ମାଧ୍ୟମରେ କମ୍ପାନୀର ମାଲିକ, ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ (ସିଇଓ) ଅଥବା ନିଜକୁ ଚେୟାରମ୍ୟାନ୍ କରିଥାନ୍ତି। ଏହା ପରେ ସେମାନେ ଏହି ମିଥ୍ୟା ପରିଚୟ ମାଧ୍ୟମରେ କମ୍ପାନୀର କର୍ମଚାରୀଙ୍କୁ ତତ୍କାଳ ପୈଠ କରିବାକୁ ନିର୍ଦ୍ଦେଶ ଦେଇଥାନ୍ତି। ଇ-ମେଲ, ହ୍ୱାଟସ୍ ଆପ୍, ମେସେଜିଂ ଆପ୍ ଦେଖି କର୍ମଚାରୀ ଭାବି ନିଅନ୍ତି ଯେ କମ୍ପାନୀରୁ ସେମାନଙ୍କୁ ନିର୍ଦ୍ଦେଶ ଆସିଛି ଓ ସେମାନେ ସେହି ଅନୁସାରେ ବିନା କୌଣସି ଯାଞ୍ଚରେ ଟଙ୍କା ଟ୍ରାନ୍ସଫର କରିଦିଅନ୍ତି।

ନରେଶ ଗୁଜରାଲଙ୍କୁ କେମିତି ଶିକର କଲେ ଠକ?
ପୋଲିସ୍ ଅନୁସାରେ ଠକମାନେ ଏକ ମେସେଜିଂ ଆପରେ ନରେଶ ଗୁଜରାଲଙ୍କ ଫଟୋ ଲଗାଇ ଏକ ମିଛ ଆକାଉଣ୍ଟ କରିଥିଲେ। ଏହାପରେ ସେମାନେ କମ୍ପାନୀର ମୁଖ୍ୟ ବିତ୍ତିୟ ଅଧିକାରୀ (ସିଏଫଓ)ଙ୍କୁ ଜରୁରି ବ୍ୟବସାୟୀକ ପୈଠ ନାମରେ ମେସେଜ୍ ପଠାଇଥିଲେ। ଏହା ପରେ ସିଏଫଓ ଠକଙ୍କ ଚାଲରେ ପଡି ଯାଇଥିଲେ ଓ ମେସେଜ୍ କୁ ଯାଞ୍ଚ ନ କରି ଆରଟିଜିଏସ୍ ମାଧ୍ୟମରେ ପାଖାପାଖି ୭. ୮ କୋଟି ଟଙ୍କା ଅଲଗା ଅଲଗା ବ୍ୟାଙ୍କ ଆକାଉଣ୍ଟ ନମ୍ବରରେ ଟ୍ରାନସଫର କରିଦେଇଥିଲେ। ପରେ ଯେତେବେଳେ ଯାଞ୍ଚ କରାଗଲା ଜଣାପଡିଲା ଏହି ମ୍ୟାସେଜ୍ ମିଛ ଥିଲା।