ନୂଆଦିଲ୍ଲୀ: ଇରାନ ଉପରେ ଆମେରିକା ଏବଂ ଇସ୍ରାଏଲର ଆକ୍ରମଣ ବିଶ୍ବରେ ଶକ୍ତି ସଙ୍କଟ ସୃଷ୍ଟି କରିଛି। ତେଲ ଭଣ୍ଡାରରେ ପୂର୍ଣ୍ଣ ଗଲ୍ଫ କ୍ଷେତ୍ରରେ ଡ୍ରୋନ ଏବଂ ମିସାଇଲ ମାଡ଼ ମଧ୍ୟପ୍ରାଚ୍ୟରେ ଭୟଙ୍କର ଧ୍ବଂସଲୀଳା ରଚିଛି। ଯାହାର ପ୍ରଭାବ ଭାରତ ସମେତ ଅନେକ ଦେଶ ଉପରେ ପଡ଼ିଛି। ବିଶେଷ କରି ଷ୍ଟ୍ରେଟ ଅଫ୍ ହର୍ମୁଜ ବନ୍ଦ ହେବା ଯୋଗୁ ଏଲପିଜି ଯୋଗାଣ ଉପରେ ପ୍ରଭାବ ପଡ଼ିଛି। ଭାରତରେ ତେଲ ସ୍ଥିତି ସ୍ବାଭାବିକ ଥିଲେବି, ରନ୍ଧନ ଗ୍ୟାସ ସ୍ଥିତି କିନ୍ତୁ ଉଦବେଗଜନକ ରହିଛି।

ଅବଶ୍ୟ ସରକାର ସ୍ଥିତି ସମ୍ଭାଳିବାକୁ ପୂରା ଚେଷ୍ଟା ଜାରି ରଖିଛନ୍ତି। ଆଉ ଲୋକଙ୍କୁ ଏଲପିଜି ଛାଡ଼ି ପିଏନଜି କନେକ୍ସନ ନେବା ପାଇଁ ଅପିଲ୍ କରୁଛନ୍ତି। ଏମିତିରେ ଆସନ୍ତୁ ଜାଣିବା କ’ଣ ଏହି ପିଏନଜି ? କାହିଁକି ଯୁଦ୍ଧ ସ୍ଥିତିରେ ବି ଏହାର ଯୋଗାଣ ପ୍ରଭାବିତ ହୋଇନାହିଁ ?

ପିଏନଜି କ’ଣ ?

ପିଏନଜି ଅର୍ଥାତ୍ ପାଇପଲାଇନ ଗ୍ୟାସ ବା ପାଇପ ନ୍ୟାଚୁରାଲ ଗ୍ୟାସରେ ମୁଖ୍ୟତଃ ପ୍ରାକୃତିକ ଗ୍ୟାସ (ଅଧିକାଂଶ ମିଥେନ) ରହିଛି। ଏହାକୁ ଅଣ୍ଡରଗ୍ରାଉଣ୍ଡ ପାଇପଲାଇନ ଦ୍ବାରା ସିଧାସଳଖ ଘରେ ଘରେ ପହଞ୍ଚାଯାଇଥାଏ। ଭାରତରେ ପିଏନଜିକୁ, ଗ୍ୟାସ ଥିବା କ୍ଷେତ୍ରରୁ ପ୍ରାକୃତିକ ଭାବରେ ଉତ୍ତୋଳନ କରାଯାଇ ତରଳ ରୂପରେ ଲିକ୍ବିଫାଇଡ ନ୍ୟାଚୁରାଲ ଗ୍ୟାସ (ଏଲଏନଜି) ଭାବେ ଯୋଗାଣ କରାଯାଇଥାଏ।

ଅନ୍ୟପଟେ ଏଲପିଜିକୁ ରିଫାଇନାରୀରେ ପ୍ରସ୍ତୁତ କରାଯାଏ। ରିଫାଇନାରୀରେ ଏହାକୁ କ୍ରୁଡ ଅଏଲରୁ ତିଆରି କରାଯାଏ। ପିଏନଜି ଏକପ୍ରକାର ନିରବଚ୍ଛିନ୍ନ ଭାବରେ ଯୋଗାଣ ହୋଇଥାଏ, ଏଥିପାଇଁ ଏଥିରେ ରିଫିଲିଂର ଆବଶ୍ୟକତା ନଥାଏ। ଏହା ସିଟି ଗ୍ୟାସ ନେଟଓ୍ବର୍କ ଜରିଆରେ ଲୋ ପ୍ରେସରରେ ଯୋଗାଣ କରାଯାଏ।

Also Read: Fuel crisis : ଦୁଇ ମାସ ପାଇଁ ପର୍ଯ୍ୟାପ୍ତ ତେଲ ଓ ଇନ୍ଧନ ଅଛି: ଗୁଜବରେ ଛାନିଆ ନ ହେବାକୁ ଦେଶବାସୀଙ୍କୁ ସରକାରଙ୍କ ଅନୁରୋଧ

କେଉଁଠୁ ଆସିଥାଏ ପିଏନଜି ?

ଭାରତରେ ଘରୋଇ ପିଏନଜି, କ୍ରିଷ୍ଣା- ଗୋଦାବରୀ ବା (KG) ଅବବାହିକା, ଆସାମ ଏବଂ ତ୍ରିପୁରାରୁ ଆସିଥାଏ। ଏହି KG ବେସିନ ଦେଶର ସବୁଠୁ ବଡ଼ ପିଏନଜି ଉତ୍ପାଦକ। କେଜି ବେସିନ୍ରେ ତିନି କ୍ଷେତ୍ର, ଆର କ୍ଲଷ୍ଟର, ସାଟେଲାଇଟ କ୍ଲଷ୍ଟର ଏବଂ ଏମଜେ ଅଛି। ଏଠାରୁ ଉତ୍ପାଦନ ହୋଇଥିବା ପିଏନଜି ୨୦୨୪ରେ ଉତ୍ପାଦିତ ସମୁଦାୟ ୩୬ ବିସିଏସ ପିଏନଜିର ୨୫ ପ୍ରତିଶତ। ଅନୁମାନ କରାଯାଉଛି ପୂରା ଜୀବନ କାଳରେ ଏଠାରୁ ୮୫ ବିସିଏସ ପିଏନଜି ଉତ୍ପାଦନ ହେବ।

ଆସାମ ଏବଂ ତ୍ରିପୁରା ବେସିନ ରିଜର୍ଭରୁ ଦେଶର ଉତ୍ପାଦନର ୪୭ ପ୍ରତିଶତ ପିଏନଜି ଆସୁଛି। ସେହିଭଳି ଇମ୍ପୋର୍ଟେଡ ନ୍ୟାଚୁରାଲ ଗ୍ୟାସ (ଏଲଏନଜି) ଭାରତରେ ମଧ୍ୟ ପୂର୍ବ, ମୁଖ୍ୟତଃ କତରରୁ ଆସୁଛି। ଆମେରିକା ଏବଂ ଅଷ୍ଟ୍ରେଲିଆ ମଧ୍ୟ ଭାରତକୁ ଏଲଏନଜି ଯୋଗାଣ କରୁଛନ୍ତି।

କାହିଁକି ପ୍ରଭାବିତ ହେଉଛି ଏଲପିଜି ଯୋଗାଣ ?

ଏଲପିଜି ପ୍ରୋପେନ ଏବଂ ବ୍ୟୁଟେନର ଏକ ମିଶ୍ରଣ। ଅଶୋଧିତ ତେଲକୁ ପ୍ରକ୍ରିୟାକରଣ କରି ଏହାକୁ ପ୍ରସ୍ତୁତ କରାଯାଇଥାଏ ଏବଂ ସିଲିଣ୍ଡରରେ ଉଚ୍ଚଚାପଦ୍ବାରା ତରଳ ରୂପେ ସଂଗୃହିତ କରାଯାଇଥାଏ। ଏଲପିଜି ପାଇଁ ଦୁନିଆ ମୁଖ୍ୟତଃ ମଧ୍ୟପ୍ରାଚ୍ୟ ଉପରେ ନିର୍ଭର କରିଥାଏ। ଭାରତ ନିଜ ଆବଶ୍ୟକତାର ପ୍ରାୟ ୬୦ ପ୍ରତିଶତ ଏଲପିଜି ଆମଦାନୀ କରୁଛି। ଏଥରୁ ପ୍ରାୟ ୯୦ ପ୍ରତିଶତ ହର୍ମୁଜ ପ୍ରଣାଳୀ ଦେଇ ଆସିଥାଏ।

ହେଲେ ମଧ୍ୟପ୍ରାଚ୍ୟରୁ ଆମଦାନୀ ଉପରେ ନିର୍ଭର ହେବା ଯୋଗୁ ଏଲପିଜି ଯୋଗାଣ ଉପରେ ପ୍ରଭାବ ପଡ଼ୁଛି। ଇରାନ ଷ୍ଟ୍ରେଟ ଅଫ୍ ହର୍ମୁଜକୁ ବନ୍ଦ କରିଛି। ସେଠାରେ କିଛି ନିର୍ଦ୍ଦିଷ୍ଟ ଟ୍ୟାଙ୍କର ହିଁ ପାସ କରୁଛନ୍ତି। ଏଥିପାଇଁ ସେମାନଙ୍କୁ ମୋଟା ଅଙ୍କର ଶୁଳ୍କ ମଧ୍ୟ ଦେବାକୁ ପଡ଼ୁଛି।

Also Read: ପେଟ୍ରୋଲ ଉପରୁ ଉତ୍ପାଦ ଶୁଳ୍କ କମିଲା ୧୦ ଟଙ୍କା, ଇନ୍ଧନ ସଙ୍କଟ ମଧ୍ୟରେ ବଡ଼ ଆଶ୍ୱସ୍ତି

ପିଏନଜି ଯୋଗାଣ ଉପରେ କାହିଁକି ପ୍ରଭାବ ପଡ଼ିନାହିଁ ?

ଭାରତ ସରକାର ଲଗାତାର ଲୋକଙ୍କୁ ଅପିଲ କରୁଛନ୍ତି ଯେ, ସେମାନେ ଏଲପିଜି ସିଲିଣ୍ଡର ଛାଡ଼ି ପିଏନଜିକୁ ବାଛନ୍ତୁ। କାରଣ ଇରାନରେ ଚାଲିଥିବା ଯୁଦ୍ଧ ସ୍ଥିତିରେ ମଧ୍ୟ ପିଏନଜିର ଯୋଗାଣ ପ୍ରାଭବିତ ହେବ ନାହିଁ। ପିଏନଜି ଫିକ୍ସ ପାଇପଲାଇନ ନେଟଓ୍ବର୍କ ଦ୍ବାରା ଯୋଗାଣ କରାଯାଇଥାଏ। ଯେହେତୁ ଏହାର ବିତରଣ ମାଟି ତଳେ ବିଛାଯାଇଥିବା ପାଇପଲାଇନ ଦ୍ବାରା କରାଯାଉଛି ଏଥିପାଇଁ ଏଥିରେ ସିଲିଣ୍ଡରରେ ଭରିବା ଆବଶ୍ୟକ ନଥାଏ। ଫଳରେ ବୈଶ୍ବିକ ସ୍ତରରେ କୌଣସି ପ୍ରକାର ବାଧା ହେଲେବି ଏହାର ଯୋଗାଣ ଉପରେ ପ୍ରଭାବ ପଡ଼ିନଥାଏ। ଲୋକଙ୍କୁ ବିନା କୌଣସି ବାଧାରେ ଗ୍ୟାସ ମିଳିଥାଏ।

ଏଲଏନଜି ଆମଦାନୀ

ଭାରତ ପ୍ରତିବର୍ଷ ପ୍ରାୟ ୨୫-୨୬ ମିଲିୟନ ମେଟ୍ରିକ ଟନ୍ ଏଲଏନଜି ଆମଦାନୀ କରୁଛି।S & Pର ଏକ ରିପୋର୍ଟ ଅନୁସାରେ, ଭାରତ ୨୦୨୫ରେ ପ୍ରାୟ ୨୫.୫ ମିଲିୟନ ଟନ୍ ଏଲଏନଜି ଆୟତ କରିଥିଲା। ଭବିଷ୍ୟତରେ ଏହା ବଢ଼ି ବାର୍ଷିକ ୨୮-୨୯ ମିଲିୟନ ଟନ ହେବା ନେଇ ଅନୁମାନ ରହିଛି।

ଭାରତର ପ୍ରାୟ ୫୦ ପ୍ରତିଶତ ପ୍ରାକୃତିକ ଗ୍ୟାସ ଆମଦାନୀ ଦ୍ବାରା ପୂରଣ କରାଯାଉଛି। ଏହି ଗ୍ୟାସକୁ ମୁଖ୍ୟତଃ ଏଲଏନଜି ଭାବରେ ବ୍ୟବହାର କରାଯାଉଛି। ଆର୍ଥିକ ବର୍ଷ ୨୦୨୫-୨୬ରେ କତରରୁ ୪୧ ପ୍ରତିଶତ ଏଲଏନଜି ଆମଦାନୀ ହୋଇଥିଲା। ସେହିଭଳି ଆମେରିକାରୁ ଭାରତ ୧୯ ପ୍ରତିଶତ ଏଲଏନଜି ଆମଦାନୀ କରିଥିଲା।

Also Read: Will petrol, diesel prices fall ? Explain: ୧୦ ଟଙ୍କାର ଶୁଳ୍କ ହ୍ରାସ ପରେ କମିବ କି ପେଟ୍ରୋଲ ଓ ଡିଜେଲ ଦର?

ଏଲପିଜି ବନାମ ପିଏନଜି କନେକ୍ସନ ସଂଖ୍ୟା

ଭାରତ ପାଖରେ ବର୍ତ୍ତମାନ ୧୬.୨ ମିଲିୟନ ଘରୋଇ ପିଏନଜି କନେକ୍ସନ ରହିଛି। ଏହା ତୁଳନାରେ ୩୩୨ ମିଲିୟନରୁ ଅଧିକ ଏଲପିଜି ଉପଭୋକ୍ତା ଅଛନ୍ତି। ୨୦୧୪ରେ ଏହି ସଂଖ୍ୟା ୧୪୦ ମିଲିୟନ ଥିଲା। ଏଥିରେ ୧୦୫.୬ ମିଲିୟନ ବିପିଏଲ ପରିବାର ମଧ୍ୟ ଅଛନ୍ତି। ଯେଉଁମାନଙ୍କ ପାଖରେ ପିଏମ ଉଜ୍ଜ୍ବଳା ଯୋଜନାରେ ସବସିଡି ମିଳୁଛି।