ନୂଆଦିଲ୍ଲୀ, ୦୩/୦୬ ଭାରତୀୟ ଦଳର ସଫଳ କୋଚ୍ ଗୌତମ ଗମ୍ଭୀର । ଟେଷ୍ଟ୍ ଫର୍ମାଟରେ ବିଫଳ ହେଲେ ବି ଦିନିକିଆ ଏବଂ ଟି୨୦ କ୍ରିକେଟରେ ସେ ହିଟ୍ । ତାଙ୍କ କୋଚିଂରେ ଦଳ ବଡ ବଡ ଟୁର୍ଣ୍ଣାମେଣ୍ଟ ଜିତିଛି । ଚାମ୍ପିଅନ୍ସ ଟ୍ରଫି ଏବଂ ଟି୨୦ ବିଶ୍ବକପ୍ ଭଳି ଟୁର୍ଣ୍ଣାମେଣ୍ଟ ଜିତିବାରେ ସକ୍ଷମ ହୋଇଛି ଟିମ୍ ଇଣ୍ଡିଆ । ଏସବୁ ଭିତରେ କୋଚ୍ ପରିବର୍ତ୍ତନ ନେଇ ମଧ୍ୟ ଚର୍ଚ୍ଚା ହେଉଛି । ଟି୨୦ରେ ତାଙ୍କ ଜାଗାରେ ନୂଆ କୋଚ୍ ନିଯୁକ୍ତି କରିବାକୁ କିଛି ପୂର୍ବତନ ଖେଳାଳି ମତ ଦେଉଛନ୍ତି ।

ପୂର୍ବତନ ଖେଳାଳି ତଥା କ୍ରିକେଟ୍ ଭାଷ୍ୟକାର ସଞ୍ଜୟ ମାଞ୍ଜରେକର କହିଛନ୍ତି ଯେ, ଆଶିଷ ନେହେରା ଭାରତୀୟ ଦଳର ଭଲ କୋଚ୍ ହୋଇପାରିବେ । ସେ ଏବେ ଗୁଜୁରାଟ ଟାଇଟନ୍ସର ମୁଖ୍ୟ କୋଚ୍ ରହିଛନ୍ତି । ଖୁବ୍ କମ୍ ଦିନରେ ଗୁଜୁରାଟ ଏକ ସଫଳ ଦଳ ଭାବେ ଉଭା ହୋଇଛି । ଟିମ୍ ତିନୋଟି ସେମି ଫାଇନାଲ ଖେଳିଥିବା ବେଳେ ଥରୁଟିଏ ଚାମ୍ପିଅନ୍ ହୋଇଛି । ଆରମ୍ଭରୁ ନେହେରା ଦଳର କୋଚ୍ ରହି ଆସିଛନ୍ତି ।

ସେ ଆହୁରି କହିଛନ୍ତି ଯେ, ଆଶିଷ ନେହେରା ଜଣେ ସ୍ମାର୍ଟ୍ କ୍ରିକେଟର ଅଟନ୍ତି । ଦଳରେ କଣ ତ୍ରୁଟି ରହୁଛି ତାହାକୁ ସେ ଭଲ ଭାବେ ସୁଧାରିବା ଜାଣିଛନ୍ତି । ଏପରି କୋଚଙ୍କୁ ମାଞ୍ଜରେକର ବ୍ୟକ୍ତିଗତ ଭାବେ ଭଲ ପାଉଥିବା ନେଇ ପ୍ରକାଶ କରିଛନ୍ତି । ନେହେରା କ୍ରିକେଟ୍ ବାଦ୍ ବେଶି କିଛି ଭାବନ୍ତିନି । ଖେଳ ଉପରେ ଫୋକସ କରନ୍ତି । ସେ କେବେହେଲେ ନିଜେ କ୍ରେଡିଟ୍ ନେବାକୁ ଚାହାଁନ୍ତି ନାହିଁ । ନେହେରା ଜଣେ ସାଧାରଣ ମଣିଷ । ତେଣୁ ଭାରତୀୟ ଦଳର ଏହି ପୂର୍ବତନ ଦ୍ରୁତ ବୋଲର କୋଚ୍ ହେବାକୁ ଯୋଗ୍ୟ ।

ସଞ୍ଜୟ ଆହୁରି କହିଛନ୍ତି ଯେ, ଯଦି ଭାରତୀୟ ଦଳ ନୂଆ ଟି୨୦ କୋଚ୍ ଖୋଜୁଛି ତାହାଲେ ନେହେରା ସବୁଠୁ ଭଲ ବିକଳ୍ପ ହୋଇପାରିବେ । ସେ ଟିମ୍ କୁ ରେଜଲ୍ଟ୍ ପ୍ରଦାନ କରିଥାନ୍ତି । ଅନ୍ୟମାନଙ୍କ ଅପେକ୍ଷା ସେ ଭିନ୍ନ ଅଟନ୍ତି । ବୋଲିଂ କୋଚ୍ ଅପେକ୍ଷା ମୁଖ୍ୟ କୋଚ୍ ହେଲେ ଦଳ ଉପରେ ଅଧିକ ପ୍ରଭାବ ପଡିବ ବୋଲି ମାଞ୍ଜରେକର ପ୍ରକାଶ କରିଛନ୍ତି ।