ନୂଆଦିଲ୍ଲୀ: ବ୍ୟବସାୟୀ ସଞ୍ଜୟ କପୁରଙ୍କ ପରଲୋକ ପରେ ତାଙ୍କ ସମ୍ପତ୍ତିକୁ ନେଇ ଆଇନଗତ ସମସ୍ୟା ବଢିବାରେ ଲାଗିଛି। କରିସ୍ମା କପୁରଙ୍କ ପିଲାଙ୍କ ଦ୍ୱାରା ଦିଲ୍ଲୀ ହାଇକୋର୍ଟରେ ପିଟିସନ ଦାୟର ପରେ ଏହି ଆଇନଗତ ସମସ୍ୟା ଉପୁଜିଥିଲା, ଯେଉଁଥିରେ ଦୁଇ ପିଲା ସଞ୍ଜୟଙ୍କ ବିଧବା ପ୍ରିୟା ସଚଦେବ କପୁରଙ୍କ ବିରୋଧରେ ସଞ୍ଜୟଙ୍କ ଇଚ୍ଛା ପତ୍ର ହେରଫେରର ଅଭିଯୋଗ ଆଣିଥିଲେ। ଏହି ଆଇନଗତ ସମସ୍ୟା ମଧ୍ୟରେ ଦିଲ୍ଲୀ ହାଇକୋର୍ଟ ଗୁରୁବାର କରିସ୍ମାଙ୍କ ପିଲାଙ୍କ ଦ୍ୱାରା ରୁଜୁ ଅନ୍ତରୀଣ ନିଷେଧାଜ୍ଞା ପିଟିସନକୁ ବିଚାର ଲାଗି ଗ୍ରହଣ କରିଛନ୍ତି ଓ ପରଲୋକ ଗତ ସଞ୍ଜୟ କପୁରଙ୍କ ସମ୍ପତ୍ତି ଉପରେ ଯଥାସ୍ଥିତି କାୟମ ରଖିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ କୌଣସି ତୃତୀୟ ପକ୍ଷର ଅଧିକାର ଉପରେ ରୋକ ଲଗାଇଛନ୍ତି।

କୋର୍ଟ କହିଲେ କ’ଣ?
କୋର୍ଟ ସଞ୍ଜୟଙ୍କ ବ୍ୟାଙ୍କ ଆକାଉଣ୍ଟ ବିବରଣୀ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ତାଙ୍କ ବିଦେଶୀ ବ୍ୟାଙ୍କ ଆକାଉଣ୍ଟ ଓ କ୍ରିପ୍ଟୋ କରେନ୍ସୀ ସଞ୍ଚାଳନ ଉପରେ ରୋକ ଲଗାଇଦେଇଛନ୍ତି। ୩ ନମ୍ବର ଆବେଦନକାରୀ ରାଣୀ କପୁରଙ୍କ ଦ୍ୱାରା ଉଠାଯାଇଥିବା ସନ୍ଦେହକୁ ଧ୍ୟାନରେ ରଖି କୋର୍ଟ ସ୍ୱୀକାର କରିଛନ୍ତି ଯେ ଏହି ସନ୍ଦେହ ଦୂର କରିବାର ଦାୟିତ୍ୱୀ ପ୍ରତିବାଦୀ ନମ୍ବର ୧ ପ୍ରିୟା ସଚଦେବ କପୁରଙ୍କର। କୋର୍ଟ ତାଙ୍କ ନିଷ୍ପତ୍ତିରେ ସମ୍ପତ୍ତି ସଂରକ୍ଷଣ ପ୍ରଶ୍ନର ସକରାତ୍ମକ ସମାଧାନ ହେବା ଆବଶ୍ୟକ, ମକଦ୍ଦମାରେ ସମୟ ଲାଗିପାରେ ତେବେ ଏଥି ମଧ୍ୟରେ ସମ୍ପତ୍ତି ମଧ୍ୟ ସୁରକ୍ଷିତ ହେବା ଆବଶ୍ୟକ ବୋଲି କୋର୍ଟ କହିଛନ୍ତି।

ତେବେ ପ୍ରିୟା କପୁରଙ୍କ ପକ୍ଷରୁ କୋର୍ଟରେ ହାଜର ଓକିଲ ରାଜୀବ ନାୟର ସମ୍ପତ୍ତି ଲୁଚାଇବା ଅଥବା ହେରଫେର ଅଭିଯୋଗକୁ ଖଣ୍ଡନ କରିଛନ୍ତି, କହିଛନ୍ତି ସମସ୍ତ ସୂଚନା ଉନ୍ମୁକ୍ତ କରିଦିଆଯାଇଛି। ସେହିପରି ମୂଲ୍ୟବାନ ସାମଗ୍ରୀ ସମ୍ବଦ୍ଧିତ ଦାବିକୁ ମଧ୍ୟ ଖଣ୍ଡନ କରିଛନ୍ତି ଓ ଇଛାପତ୍ର ର ବୈଧତାକୁ ରକ୍ଷା କରିବାକୁ ଯାଇ ଏହା ପରିବାରର ଏକ ଅନ୍ୟ ଇଛାପତ୍ର ଅନୁସାରେ ଲେଖା ଯାଇଥିବା କହିଛନ୍ତି। ହେଲେ କୋର୍ଟରେ ପିଲାଙ୍କ ପ୍ରତିନିଧିତ୍ୱ କରୁଥିବା ବରିଷ୍ଠ ଅଧିବକ୍ତା ମହେଶ ଜେଠମଲାନୀ ଇଛାପତ୍ରରେ କଥିତ ବିସଙ୍ଗତି ଆଡକୁ ଇଶାରା କରିଛନ୍ତି। ଯେଉଁଥିରେ ଭାଷା, ପଞ୍ଜିକରଣ ହୋଇନଥିବା ଓ ଏହାର ପ୍ରସ୍ତୁତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଜେଠମଲାନୀ ମାମଲାର ଗହନ ଯାଞ୍ଚ ଆବଶ୍ୟକତା ଥିବା କହିଛନ୍ତି।

ଓକିଲ କହିଛନ୍ତି ଯେ ପ୍ରିୟା କପୁର ଉଭୟ ନିଜେ ଇଛାପତ୍ରର ପ୍ରସ୍ତୁତ କର୍ତ୍ତା ଓ ଏକମାତ୍ର ଲାଭାର୍ଥୀ । ଏହା କିପରି ସମ୍ଭବ ବୋଲି ଜେଠମଲାନୀ ପ୍ରଶ୍ନ କରିଛନ୍ତି। ଏହା ପୂର୍ବରୁ ସଞ୍ଜୟଙ୍କ ମା ରାଣୀ କପୁର ଏହି ଇଛାପତ୍ରକୁ ଚ୍ୟାଲେଞ୍ଜ କରିଥିଲେ। ସେ କହିଥିଲେ ଏପରି କିଛି ଅଛି ବୋଲି ସେ ଜାଣନ୍ତି ନାହିଁ। ସେହିପରି ସମ୍ପତ୍ତି ସମ୍ପର୍କିତ ସୂଚନା ଉନ୍ମୁକ୍ତ କରାଯିବାର ସୀମା ଉପରେ ମଧ୍ୟ ବିବାଦ କରିଥିଲେ।

ଜାଣନ୍ତୁ ମାମଲା କ’ଣ?
ଗତବର୍ଷ ଅଗଷ୍ଟ ମାସରେ ପ୍ରିୟା ସଚଦେବ କପୁର ଦିଲ୍ଲୀ ହାଇକୋର୍ଟରେ ଏକ ଡକ୍ୟୁମେଣ୍ଟ ଉପସ୍ଥାପନ କରିଥିଲେ ଓ ଦାବି କରିଥିଲେ ଯେ ଏହା ସଞ୍ଜୟ କୁପଙ୍କ ଇଛାପତ୍ର (ବସିୟତ)। ତେବେ ସଞ୍ଜୟଙ୍କ ଝିଅ ସମାୟାରା, ପୁଅ କିୟାନ ଓ ମା ରାଣୀ କପୁର ଏହାକୁ ଚ୍ୟାଲେଞ୍ଜ କରିଛନ୍ତି। ସେହି ଅଗଷ୍ଟ ମାସରେ ହିଁ କରିସ୍ମା ତାଙ୍କ ପିଲାଙ୍କ ପକ୍ଷରୁ ପ୍ରିୟାଙ୍କ ଉପରେ ମୋକଦ୍ଦମା ରୁଜୁ କରିଥିଲେ ଓ ଅଭିଯୋଗ କରିଥିଲେ ପ୍ରିୟା ସଞ୍ଜୟଙ୍କ ବସିୟତରେ ହେରଫେର କରିଛନ୍ତି ଏବଂ ମୋର ଦୁଇ ପିଲାଙ୍କୁ ପିତାଙ୍କ ଉତ୍ତରାଧିକାରରୁ ବଞ୍ଚିତ କରିଛନ୍ତି।

ସଞ୍ଜୟ ସୋନା କମଷ୍ଟାରର ଚେୟାରମ୍ୟାନ ଥିଲେ। ସେ ୧୯୯୬ ମସିହାରେ ଫ୍ୟାସନ ଡିଜାଇନର ନନ୍ଦିତା ମହତାନୀଙ୍କୁ ବିବାହ କରିଥିଲେ। ତାଙ୍କର ଏହି ବିବାହ ୪ ବର୍ଷ ପର୍ଯ୍ୟନ୍ତ ଚାଲିଥିଲା। ପରେ ସଞ୍ଜୟ ୨୦୦୩ ମସିହାରେ ଫିଲ୍ମ ଅଭିନେତ୍ରୀ କରିସ୍ମା କପୁରଙ୍କୁ ବିବାହ କରିଥିଲେ। ଏହି ଦମ୍ପତ୍ତିଙ୍କ ଠାରୁ ୨୦୦୫ ମସିହାରେ ଝିଅ ସମାୟରା ଓ ୨୦୧୧ ମସିହାରେ ପୁଅ କିୟାନ ଜନ୍ମ ହୋଇଥିଲେ। ୨୦୧୪ ମସିହାରେ ସଞ୍ଜୟ ଓ କରିସ୍ମା ବିବାହ ବିଛେଦପାଇଁ ଆବେଦନ କରିଥିଲେ ଓ ୨୦୧୬ ମସିହାରେ ତାହା ମଞ୍ଜୁର ହୋଇଥିଲା। କରିସ୍ମାଙ୍କ ଠାରୁ ଛାଡପତ୍ର ନେଇ ସଞ୍ଜୟ ପ୍ରିୟା ସଚଦେବାଙ୍କୁ ବିବାହ କରିଥିଲେ ଓ ତାଙ୍କର ଅଜରିୟାସ ନାମରେ ପୁଅଟିଏ ଅଛି। ଗତ ବର୍ଷ ଜୁନ ୧୨ ତାରିଖରେ ଇଂଲଣ୍ଡରେ ପୋଲୋ ମ୍ୟାଚ୍ କାଳରେ ସଞ୍ଜୟଙ୍କର ପରଲୋକ ହୋଇଥିଲା।

କଣ କହିଛନ୍ତି ମାଉସୀ କରିନା କପୁର?
ଦିଲ୍ଲୀ ହାଇକୋର୍ଟଙ୍କ ନିଷ୍ପତ୍ତିରେ କରିସ୍ମାଙ୍କ ଭଉଣୀ ତଥା ଅଭିନେତ୍ରୀ କରିନା କପୁର ବେଶ୍ ଖୁସି ବ୍ୟକ୍ତ କରିଛନ୍ତି। ଏ ନେଇ କରିନା ତାଙ୍କ ଇଂଷ୍ଟାଗ୍ରାମ ଷ୍ଟୋରିଜରେ ଏକ ପୋଷ୍ଟ କରିଛନ୍ତି। ଏଥିରେ ସେ ନ୍ୟାୟ ଓ ସତ୍ୟର ସର୍ବଦା ବିଜୟ ହୁଏ ବୋଲି ଉଲ୍ଲେଖ କରିଛନ୍ତି। ସଞ୍ଜୟ କପୁରଙ୍କ ଆନୁମାନିକ ସମ୍ପତ୍ତିର ପରିମାଣ ପ୍ରାୟ ୩୦,୦୦୦ କୋଟି ଟଙ୍କା ହେବ, ଯାହା ଏବେ ଭୟଙ୍କର ପାରିବାରିକ ବିବାଦର କେନ୍ଦ୍ର ପାଲଟିଯାଇଛି। କେବଳ ମଉସୀ କରିନା ନୁହନ୍ତି ପିୟୁଷି ମନ୍ଧିରା କପୁର ମଧ୍ୟ ହାଇକୋର୍ଟଙ୍କ ନିଷ୍ପତ୍ତିରେ ଖୁସି ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ବାସ୍ତବରେ ଏହି ସମ୍ପତ୍ତି ଆମ ମାଙ୍କର ଓ ଏଥିରେ ସମସ୍ତଙ୍କର ଅଂଶିଦାରୀ ରହିଛି।