କୋଲକାତା, ୦୨/୦୫ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ବଡ ଝଟକା । ଟିଏମସି ନେତ୍ରୀ ମମତାଙ୍କ ଦାବିକୁ ଅଗ୍ରାହ୍ୟ କରିଦେଇଛନ୍ତି ସୁପ୍ରିମକୋର୍ଟ । ଭୋଟ୍ ଗଣତିକୁ ନେଇ ମମତାଙ୍କ ଦାବିକୁ କୋର୍ଟ୍ ଯୁକ୍ତି ସମ୍ମତ ନୁହେଁ ବୋଲି କହିଛନ୍ତି ।

ଆଉ ଦୁଇ ଦିନ ପରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଗଣତି ହେବ । ୨୯୪ ସିଟରେ ନୂଆ ବିଧାୟକ ବାଛିବେ ବଙ୍ଗ ଭୋଟର । ଭୋଟ ଗଣତି କେନ୍ଦ୍ରରେ କେନ୍ଦ୍ର ସରକାରଙ୍କ ଅଧିକାରୀ ଏବଂ କର୍ମଚାରୀ ନିୟୋଜିତ ହେବେ । ହେଲେ ଏହାକୁ ବିରୋଧ କରିଥିଲେ ମମତା । କେନ୍ଦ୍ର ସରକାରଙ୍କ କର୍ମଚାରୀ ମତଗଣନା ବେଳେ ଉପସ୍ଥିତ ରହିବା ଅନୁଚିତ ବୋଲି ମମତା ଦାବି କରିଥିଲେ । ପ୍ରଥମେ ମାମଲାକୁ ନେଇ ସେ ହାଇକୋର୍ଟ ଯାଇଥିଲେ । ହେଲେ କୋଲକାତା ହାଇକୋର୍ଟ ମମତାଙ୍କ ଆବେଦନକୁ ଖାରଜ କରିଦେଇଥିଲେ ।

ତେବେ କୋଲକାତା ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ୍ କରି ମମତା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ସୁପ୍ରିମକୋର୍ଟ ମଧ୍ୟ ଭୋଟ୍ ଗଣତିରେ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ନିଯୁକ୍ତି ନିୟମର ଉଲ୍ଲଙ୍ଘନ ନୁହେଁ ବୋଲି କହିଛନ୍ତି । ଏହାସହ ଘଟଣାକୁ ନେଇ ନୂଆ ଆବେଦନର ଆବଶ୍ୟକତା ନଥିବା ଖଣ୍ଡପୀଠ ପ୍ରକାଶ କରିଛନ୍ତି ।

ଶୁଣାଣି ବେଳେ ଟିଏମସି ପକ୍ଷରୁ ଆଇନଜୀବୀ କପିଲ ଶିବ୍ବଲ ଗଣତି ବେଳେ ପ୍ରତି ଟେବୁଲରେ ଅତି କମରେ ରାଜ୍ୟ ସରକାରଙ୍କ ଜଣେ କର୍ମଚାରୀ ରହିବାକୁ ନିବେଦନ କରିଥିଲେ । ଏହାପୂର୍ବରୁ ଟିଏମସି ପକ୍ଷରୁ ଆଇନଜୀବୀ କପିଲ ଶିବ୍ବଲ ନିର୍ବାଚନ ଆୟୋଗଙ୍କ ଭୁମିକାକୁ ପ୍ରଶ୍ନ କରିଥିଲେ । ଇସିଙ୍କଠୁ କୌଣସି ନ୍ୟାୟ ମିଳିପାରିବ ନାହିଁ ବୋଲି ସେ କୋର୍ଟରେ ଦର୍ଶାଇଥିଲେ । ଯେତେବେଳେ ସମସ୍ତ ଟେବୁଲରେ କେନ୍ଦ୍ର ସରକାରଙ୍କ କର୍ମଚାରୀ ନିଯୁକ୍ତିକୁ ନେଇ କପିଲ ପ୍ରଶ୍ନ କରିଥିଲେ ସେତେବେଳେ କୋର୍ଟ ପୂର୍ବରୁ ନିର୍ବାଚନ ଆୟୋଗଙ୍କ ପ୍ରାବଧାନକୁ ନେଇ ଏଥିରେ କୌଣସି ଅସୁବିଧା ନଥିବା କହିଥିଲେ । କାରଣ ନିୟମରେ ଉଭୟ କେନ୍ଦ୍ର ଏବଂ ରାଜ୍ୟର କର୍ମଚାରୀ ନିଯୁକ୍ତ ହେବା ନେଇ ପ୍ରାବଧାନ ରହିଛି ।

ଶିବ୍ବଲଙ୍କ ଅଭିଯୋଗ

ଶିବ୍ବଲ କୋର୍ଟରେ ଅଭିଯୋଗ କରିଥିଲେ ଯେ, ନିର୍ବାଚନ ଆୟୋଗ ବୈଠକ କରୁଛନ୍ତି । କିନ୍ତୁ କୌଣସି ତଥ୍ୟ ଦେଉ ନାହାଁନ୍ତି । ରାଜ୍ୟରେ କେନ୍ଦ୍ର ସରକାରଙ୍କ ନାମାଙ୍କିତ ମାଇକ୍ରୋ ଅବଜରଭର ନିଯୁକ୍ତ ଅଛନ୍ତି । ତେଣୁ ପ୍ରତି ଟେବୁଲରେ ଅତିରିକ୍ତ କେନ୍ଦ୍ର କର୍ମଚାରୀଙ୍କ କୌଣସି ଆଭଶ୍ୟକତା ନାହିଁ । ସର୍କୁଲାର ଅନୁସାରେ ରାଜ୍ୟ ସରକାରଙ୍କ ନାମାଙ୍କିତ ବ୍ୟକ୍ତି ଟେବୁଲରେ ରହିବେ । କିନ୍ତୁ ନିର୍ବାଚନ ଆୟୋଗ ନିଜ ଇଚ୍ଛାରେ କର୍ମଚାରୀ ନିଯୁକ୍ତ କରିଛନ୍ତି ।

ପୂରା ବିବାଦ କ'ଣ ?

ନିର୍ବାଚନ ଆୟୋଗ ଗତ ୩୦ ତାରିଖରେ ଆଦେଶ ଜାରି କରିଥିଲେ ଯେ, ମତ ଗଣନାର ସମସ୍ତ ଟେବୁଲରେ ସୁପର ଭାଇଜର ଏବଂ ଆସିଷ୍ଟାଣ୍ଟ ରହିବେ । ଏହି କର୍ମଚାରୀଙ୍କ ମଧ୍ୟରୁ ଅତି କମରେ ଜଣେ କେନ୍ଦ୍ର ସରକାରଙ୍କ କର୍ମଚାରୀ ହେବା ଆବଶ୍ୟକ । ଏହି ନିର୍ଦ୍ଦେଶନାମା ପରେ କେନ୍ଦ୍ର ସରକାରଙ୍କ କର୍ମଚାରୀ ବିଜେପିର ପ୍ରଭାବରେ କାମ କରିବେ ବୋଲି ଟିଏମସି ଅଭିଯୋଗ କରିଥିଲା । ଏହାସହ କୋଲକାତା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା । କୋଲକାତା ହାଇକୋର୍ଟ ମଧ୍ୟ ଟିଏମସିର ଆବେଦନକୁ ଖାରଜ କରିଥିଲେ । ଏହାପରେ ଦଳ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା ।