କୋଲକାତା : ପଶ୍ଚିମବଙ୍ଗର ମାଲଦାରୁ ଆସିଛି ଚିନ୍ତାଜନକ ଖବର। ମାତ୍ର ତିନି ସପ୍ତାହ ମଧ୍ୟରେ ଗଲାଣି ୬୦ ଶିଶୁଙ୍କ ଜୀବନ । କେବଳ ଗୋଟିଏ ଦିନରେ ହିଁ ୧୦ ଜଣ ଶିଶୁଙ୍କ ଜୀବନ ଯାଇଛି। ଘଟଣାଟି ସାମ୍ନାକୁ ଆସିବା ପରେ ମାଲଦା ମେଡିକାଲ କଲେଜ୍ ଓ ହସ୍ପିଟାଲ୍ ଏବେ ସ୍ୱାସ୍ଥ୍ୟ ବିଭାଗର ସ୍କାନରରେ । ମୃତ୍ୟୁର କାରଣ କଣ ? ଚିକିତ୍ସାରେ କୌଣସି ଅବହେଳା ହୋଇଛି କି ? ନା ଗୁରୁତର ଅବସ୍ଥାରେ ଅନ୍ୟ ହସ୍ପିଟାଲରୁ ରେଫର୍ ହୋଇ ଆସିବା ପରେ ଶିଶୁମାନଙ୍କ ମୃତ୍ୟୁ ହୋଇଛି ? ଏସବୁ ଦିଗକୁ ନେଇ ତଦନ୍ତ ଆରମ୍ଭ ହୋଇଛି ।

ମାଲଦା ମେଡିକାଲ କଲେଜ୍ ଓ ହସ୍ପିଟାଲରେ ଅଗଷ୍ଟ ମାସର ପ୍ରଥମ ତିନି ସପ୍ତାହରେ ୬୦ ଶିଶୁଙ୍କ ମୃତ୍ୟୁ ଘଟିଛି। ଏହା ମଧ୍ୟରୁ ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ଗୋଟିଏ ଦିନରେ ୧୦ ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣା ପରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ହସ୍ପିଟାଲ କର୍ତ୍ତୃପକ୍ଷଙ୍କଠାରୁ ବିସ୍ତୃତ ରିପୋର୍ଟ ମାଗିଛି। ତେବେ ମୃତ ଶିଶୁମାନଙ୍କ ମଧ୍ୟରୁ ଅନେକ ଗୁରୁତର ଅବସ୍ଥାରେ ଅନ୍ୟ ହସ୍ପିଟାଲ ଏବଂ ନର୍ସିଂହୋମରୁ ରେଫର୍ ହୋଇ ମାଲଦା ମେଡିକାଲକୁ ଆସିଥିଲେ। ୬୦ ମୃତ୍ୟୁ ମଧ୍ୟରୁ ୪୪ ଜଣ ଶିଶୁ ଅନ୍ୟ ସ୍ଥାନରେ ଜନ୍ମ ନେଇଥିଲେ ଏବଂ ଅବସ୍ଥା ବିଗିଡ଼ିବା ପରେ ମାଲଦା ମେଡିକାଲକୁ ରେଫର୍ ହୋଇଥିଲେ। ଗୋଟିଏ ଦିନରେ ମୃତ ୧୦ ଶିଶୁଙ୍କ ମଧ୍ୟରୁ ୮ ଜଣ ଅନ୍ୟ ହସ୍ପିଟାଲରୁ ଅତ୍ୟନ୍ତ ଗୁରୁତର ଅବସ୍ଥାରେ ଆସିଥିଲେ। ବାକି ୨ ଜଣ ଶିଶୁଙ୍କ ଜନ୍ମ ମାଲଦା ମେଡିକାଲ କଲେଜ୍ ହସ୍ପିଟାଲରେ ହୋଇଥିଲା।

ଡାକ୍ତରମାନଙ୍କ କହିବା ଅନୁସାରେ, କେତେକ ନବଜାତ ଶିଶୁଙ୍କଠାରେ ଶ୍ୱାସକ୍ରିୟା ସମସ୍ୟା, ଜଣ୍ଡିସ୍ ଏବଂ ଜନ୍ମଗତ ହୃଦ୍ରୋଗ ଭଳି ଜଟିଳତା ଥିଲା। ତେଣୁ କେବଳ ହସ୍ପିଟାଲକୁ ମୃତ୍ୟୁ ପାଇଁ ଦାୟୀ କରାଯାଇପାରିବ କି ନାହିଁ, ସେନେଇ ତଦନ୍ତ ଜରୁରୀ ହୋଇଛି। ଘଟଣାର ପ୍ରାଥମିକ ତଦନ୍ତ ଆରମ୍ଭ ହୋଇସାରିଛି ଏବଂ ପ୍ରାଥମିକ ରିପୋର୍ଟ ରାଜ୍ୟ ସରକାରଙ୍କୁ ପଠାଯାଇଛି। ଏହାସହିତ ଶିଶୁମାନେ ଯେଉଁ ଘରୋଇ ହସ୍ପିଟାଲ, ନର୍ସିଂହୋମ୍ ଓ ବ୍ଲକ୍ ସ୍ତରୀୟ ସ୍ୱାସ୍ଥ୍ୟକେନ୍ଦ୍ରରୁ ଆସିଥିଲେ, ସେଗୁଡ଼ିକୁ ମଧ୍ୟ ଯାଞ୍ଚ କରାଯାଉଛି। ଏପର୍ଯ୍ୟନ୍ତ ୧୬ଟି ହସ୍ପିଟାଲ ଓ ନର୍ସିଂହୋମ୍ ଯାଞ୍ଚ ହୋଇଥିବା ରିପୋର୍ଟରେ କୁହାଯାଇଛି।

ମାଲଦା ମେଡିକାଲ କଲେଜ୍ ହସ୍ପିଟାଲର ସୁପରିଣ୍ଟେଣ୍ଡେଣ୍ଟ ମଧ୍ୟ ଗୋଟିଏ ଦିନରେ ୧୦ ଶିଶୁଙ୍କ ମୃତ୍ୟୁ ଘଟିଥିବା କଥା ସ୍ୱୀକାର କରିଛନ୍ତି। ହସ୍ପିଟାଲ ପକ୍ଷରୁ ସ୍ୱାସ୍ଥ୍ୟ ବିଭାଗକୁ ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରାଯାଉଛି। ଏବେ ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗର ତଦନ୍ତ ରିପୋର୍ଟ ଉପରେ ନଜର। ଏହି ମୃତ୍ୟୁ ପଛରେ ପ୍ରକୃତ କାରଣ କଣ, ଚିକିତ୍ସା ବ୍ୟବସ୍ଥାରେ କୌଣସି ତ୍ରୁଟି ଥିଲା କି ନାହିଁ ଏବଂ ରେଫର୍ ହୋଇ ଆସୁଥିବା ଗୁରୁତର ଶିଶୁଙ୍କ ପାଇଁ ବ୍ୟବସ୍ଥା କେତେ ପ୍ରସ୍ତୁତ ତଦନ୍ତ ପରେ ଏସବୁର ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିବ। ମାତ୍ର ତିନି ସପ୍ତାହରେ ୬୦ ଶିଶୁଙ୍କ ମୃତ୍ୟୁ ନିଶ୍ଚିତ ଭାବେ ଚିନ୍ତା ବଢ଼ାଇଛି।