ଜି ଉଦୟଗିରି, ୩୦/୧୦ : କନ୍ଧମାଳ ଜିଲ୍ଲାରେ ଅର୍ଣ୍ଣବ ବାତ୍ୟାର ପ୍ରଭାବରେ ଲଗାତାର ୭୨ ଘଣ୍ଟାରୁ ଅଧିକ ସମୟ ଧରି ବର୍ଷା ହେବା ଫଳରେ ଜନଜୀବନ ଗୁରୁତର ଭାବେ ପ୍ରଭାବିତ ହୋଇଛି। ଜି. ଉଦୟଗିରିରେ ଜିଲ୍ଲାର ସର୍ବାଧିକ ୪୬୨.୪୦ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ଜଣା ପଡ଼ିଛି। ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ପାହାଡ଼ ଧସିବା, ରାସ୍ତା ଓ ପୋଲ ଭାଙ୍ଗିବା, ଚାଷଜମି ଜଳମଗ୍ନ ହୋଇଛି।

Also Read :- ବନ୍ୟା ସ୍ଥିତିରେ କେମିତି ଆଶାୟୀ ଦେବେ OCS ମେନ୍ ପରୀକ୍ଷା ? ତାରିଖ ବଦଳାଇବାକୁ ଦାବି

ଜି. ଉଦୟଗିରି ବ୍ଲକର କତିଙ୍ଗିଆ ପଞ୍ଚାୟତ ଅନ୍ତର୍ଗତ ବଲିଙ୍ଗିଆ ଗ୍ରାମ ନିକଟସ୍ଥ ପାହାଡ଼ରେ ଭୟଙ୍କର ଭୂସ୍ଖଳନ ହୋଇଛି। ପାହାଡ଼ ଉପରୁ ବଡ଼ ବଡ଼ ପଥର, ମାଟି ଅତଡ଼ା ଓ ଗଛ ଖସି ରାସ୍ତା ଉପରେ ପଡ଼ିବା ଫଳରେ ଗ୍ରାମକୁ ଯାତାୟାତ ବିଚ୍ଛିନ୍ନ ହୋଇଯାଇଛି।ଭୂସ୍ଖଳନର ପ୍ରଭାବ ପ୍ରାୟ ଏକ କିଲୋମିଟର ଅଞ୍ଚଳ ପର୍ଯ୍ୟନ୍ତ ଦେଖାଯାଇଥିବା ବେଳେ କେତେକ ସ୍ଥାନରେ ୨୦୦ ଫୁଟରୁ ଅଧିକ ଗଭୀର ଖାଲ ସୃଷ୍ଟି ହୋଇଥିବା ଜଣାପଡ଼ିଛି।

ବଲିଙ୍ଗିଆ ଗ୍ରାମରେ ପ୍ରାୟ ୧୨ଟି ପରିବାରର ୪୦ ଜଣ ଲୋକ ବସବାସ କରନ୍ତି। ଭୂସ୍ଖଳନ ଯୋଗୁଁ ଗ୍ରାମର ରାସ୍ତା ବନ୍ଦ ହୋଇଯିବାରୁ ସେମାନଙ୍କ ଯାତାୟାତ ସହିତ ସୁରକ୍ଷାକୁ ନେଇ ଚିନ୍ତା ବଢ଼ିଯାଇଥିଲା।ଘଟଣା ସମ୍ପର୍କରେ ଖବର ପାଇ ଅତିରିକ୍ତ ଜିଲ୍ଲାପାଳ କୁଶଳ ଚନ୍ଦ୍ର ନାଏକ ଓ ବହୁ ପ୍ରଶାସନିକ ଅଧିକାରୀ ମଧ୍ୟ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ।ବଲିଙ୍ଗିଆ ଗ୍ରାମବାସୀଙ୍କୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ୟମ କରାଯାଇଥିଲା।

ଭୂସ୍ଖଳନ ପରେ ଗ୍ରାମବାସୀ ଜୀବନ ବଞ୍ଚାଇବା ପାଇଁ ଘରୁ ବାହାରକୁ ଦୌଡ଼ି ପଳାଇଥିଲେ। ଫଳରେ ସେମାନେ ଅଳ୍ପକେ ବଡ଼ ବିପଦରୁ ବର୍ତ୍ତିଯାଇଥିଲେ। ତେବେ ଘର ଭିତରେ ପାଣି, କାଦୁଅ ଓ ମାଟି ପଶି ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ କେତେକ କୁକୁଡ଼ା ଓ ଛେଳି ଭାସିଯାଇଥିବା କିମ୍ବା ମରିଯାଇଥିବା ଜଣାପଡ଼ିଛି। ଏକର ଏକର ଜମିରେ ଚାଷ ହୋଇଥିବା ହଳଦୀ, ଧାନ ଓ ଅନ୍ୟାନ୍ୟ ଫସଲ ନଷ୍ଟ ହୋଇଥିବାରୁ ଚାଷୀମାନେ ଚିନ୍ତାରେ ପଡିଛନ୍ତି ।