କୋଲକାତା, ୦୪/୦୫: ପଶ୍ଚିମବଙ୍ଗରେ ବଦଳିପାରେ ଶାସନ । ସରକାର ପରିବର୍ତ୍ତନର ଆଭାସ ମିଳୁଛି । ଭାରତୀୟ ଜନତା ପାର୍ଟି ମମତା ବାନାର୍ଜୀଙ୍କ ଟିଏମସି ଗଡରେ ଏଥର ଧସେଇ ପଶିଛି । ଦଳ ୧୮୦ରୁ ଅଧିକ ସିଟରେ ଆଗୁଆ ରହିଛି । ଅନ୍ୟ ଦିଗରେ ଟିଏମସି ୯୮ଟି ଆସନରେ ଲିଡ୍ କରୁଛି ।

ତେବେ ପଶ୍ଚିମବଙ୍ଗରେ ସବୁଠୁ ଚର୍ଚ୍ଚିତ ଆସନ ହେଉଛି ଭବାନୀପୋର । ଏଠାରେ ଟିଏମସି ନେତ୍ରୀ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭାଗ୍ୟ ପରୀକ୍ଷା କରୁଛନ୍ତି । ତାଙ୍କ ବିପକ୍ଷରେ ବିଜେପି ରାଜ୍ୟର ସବୁଠୁ ଟପ୍ ଲିଡର ଶୁଭେନ୍ଦୁ ଅଧିକାରୀଙ୍କୁ ପ୍ରାର୍ଥୀ କରିଛି । ଉଭୟଙ୍କ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳୁଛି ।

କିଏ ପାଇଲେ କେତେ ଭୋଟ୍ ?

ପଞ୍ଚମ ରାଉଣ୍ଡ ସୁଦ୍ଧା ମମତା ବାନାର୍ଜୀ ୨୫୯୪୨ ଭୋଟ୍ ପାଇଛନ୍ତି । ଅନ୍ୟ ପଟେ ଶୁଭେନ୍ଦୁ ଅଧିକାରୀ ୯୨୩୬ ଭୋଟ୍ ପାଇଛନ୍ତି । ଅର୍ଥାତ ମମତାଙ୍କଠୁ ଶୁଭେନ୍ଦୁ ପ୍ରାୟ ୧୬୭୦୬ ଭୋଟରେ ପଛୁଆ ରହିଛନ୍ତି । ଆଗକୁ ଆହୁରି ୧୫ ରାଉଣ୍ଡ ବାକି ରହିଛି । ଯାହା ଟ୍ରେଣ୍ଡ୍ କୁ ବଦଳାଇପାରେ । କିନ୍ତୁ ଦିନ ୧୨ଟା ୩୦ ସୁଦ୍ଧା ମମତା ଶୁଭେନ୍ଦୁଙ୍କଠୁ ଆଗୁଆ ଅଛନ୍ତି ।

କଂଗ୍ରେସର ପ୍ରଦର୍ଶନ

ଏଠାରେ କଂଗ୍ରେସ ଅତି ନୈରାଶ୍ୟଜନକ ପ୍ରଦର୍ଶନ କରିଛି । ଦଳ ପ୍ରଦୀପ ପ୍ରସାଦଙ୍କୁ ପ୍ରାର୍ଥୀ କରିଥିଲା । ସେ ମାତ୍ର ୩୩୫ ଖଣ୍ଡ ଭୋଟ୍ ପାଇଛନ୍ତି ।