ନୂଆଦିଲ୍ଲୀ ୨୭।୧୧; ବାହାଘର ଭୋଜିରେ ଗରମ ରୁଟି ମାଗିବାକୁ ନେଇ ମହାଭାରତ! ତନ୍ଦୁରି ରୁଟିକୁ ନେଇ ବରଯାତ୍ରୀ ଓ ମିଠା ବ୍ୟବସାୟୀଙ୍କ ମଧ୍ୟରେ ଏମିତି ଝଗଡ଼ା ହେଲା ଯେ, ଅଧାରେ ଅଟକିଗଲା ବାହାଘର। ଶେଷରେ ବିବାହ ମଣ୍ଡପରେ ପହଞ୍ଚିଲା ପୋଲିସ। ଘଟଣାଟି ଘଟିଛି ଉତ୍ତରପ୍ରଦେଶର ଫିରୋଜାବାଦ ଜିଲ୍ଲାରେ।

ସୂଚନା ଅନୁସାରେ, ଆଗ୍ରାରୁ ଏକ ବରଯାତ୍ରୀ ପାମାରି ଗାଁକୁ ବିବାହ ପାଇଁ ଆସିଥିଲେ। ବୁଧବାର ରାତିରେ ବିବାହ ଉତ୍ସବ ଚାଲିଥିବା ବେଳେ ଅତିଥିମାନେ ଭୋଜି ଖାଉଥିଲେ। ଏହି ସମୟରେ କିଛି ସମ୍ପର୍କୀୟ ତନ୍ଦୁରି ରୋଷେୟାଙ୍କୁ ଗରମ ରୁଟି ମାଗିଥିଲେ। କିନ୍ତୁ ଅଭିଯୋଗ ଅନୁସାରେ, ରୋଷେୟା ନୂଆ ରୁଟି କରିବାକୁ ମନା କରି ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ଥଣ୍ଡା ରୁଟି ଦେଇଥିଲେ। ବାସ୍, ଏହାକୁ ନେଇ ଆରମ୍ଭ ହୋଇଥିଲା ଯୁକ୍ତିତର୍କ। ଧୀରେ ଧୀରେ କଥା ବଢି କି ହାତାହାତିରେ ପହଞ୍ଚିଥିଲା। ଫଳରେ ବିବାହ ଉତ୍ସବରେ ଦେଖାଦେଇଥିଲା ହଙ୍ଗାମା। ଏପରିକି ବରମାଳା ଉତ୍ସବ ମଧ୍ୟ ଦୀର୍ଘ ସମୟ ଧରି ବନ୍ଦ ରହିଥିଲା।

ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଉଭୟ ପକ୍ଷଙ୍କୁ ବୁଝାସୁଝା କରିବା ପରେ ତନ୍ଦୁରି କାରିଗରଙ୍କ ସମେତ ଦୁଇ ଜଣଙ୍କୁ ପୋଲିସ ଅଟକ ରଖିଥିଲା। ପରେ ପୋଲିସ ଉପସ୍ଥିତିରେ ପରିସ୍ଥିତି ସ୍ୱାଭାବିକ ହୋଇଥିଲା ଏବଂ ବାକି ବିବାହ ରୀତିନୀତି ସମ୍ପନ୍ନ ହେଲା। ଗୁରୁବାର ସକାଳେ କନ୍ୟାଙ୍କୁ ବିଦାୟ ମଧ୍ୟ ଦିଆଯାଇଥିଲା । ତେବେ ଏହି ଘଟଣାକୁ ନେଇ ପୋଲିସ କହିଛି, ଅଭିଯୋଗ ଆଧାରରେ ଆଗାମୀ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଗରମ ରୁଟିକୁ ନେଇ ଆରମ୍ଭ ହୋଇଥିବା ଏହି ବିବାଦ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।