ନୂଆଦିଲ୍ଲୀ:ପାକିସ୍ତାନ ନୌସେନା ପୋତ ପିଏନଏସ ହୁନୈନ ଭାରତୀୟ ନୌସେନା ଜାହାଜ ଆଇଏନଏସ କୋଲକାତାକୁ ଧକ୍କା ଦେଇଥିଲା। ଏହାକୁ ନେଇ ଦୁଇ ଦେଶଙ୍କ ମଧ୍ୟରେ କୂଟନୈତିକ ଉତ୍ତେଜନା ବଢିବା ଆରମ୍ଭ ହୋଇଛି। ମାମଲାରେ ପାକିସ୍ତାନର ଅଭିଯୋଗକୁ ଖଣ୍ଡନ କରିଛି ଭାରତ। ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ ଶୁକ୍ରବାର ମିଡିଆ ବ୍ରିଫିଙ୍ଗରେ ଇସ୍ଲାମାବାଦ ସତ୍ୟତା ଲୁଚାଉଥିବା ଓ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ଅଭିଯୋଗ କରିଛନ୍ତି। ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ ଏହି ଘଟଣାରେ ଆଇଏନଏସ କୋଲକାତାର ସେଭଳି କୌଣସି ବଡ଼ କ୍ଷତି ହୋଇ ନାହିଁ ଓ ସମ୍ପୂର୍ଣ୍ଣ ସୁରକ୍ଷିତ।

ରଣଧୀର ଜୟସ୍ୱାଲ କହିଛନ୍ତି ଯେ ନିକଟରେ ଭାରତ ଓ ପାକିସ୍ତାନ ମଧ୍ୟରେ କିଛି ଘଟଣା ଘଟିଛି, ଯାହାକୁ ନେଇ ତଥ୍ୟ ସ୍ପଷ୍ଟ କରିବାକୁ ଚାହୁଁଛି। ଆମେ ଆମର ବିରୋଧ ଉପରେ ପାକିସ୍ତାନର ପ୍ରତିକ୍ରିୟା ଦେଖିଛୁ। ସବୁଥର ଭଳି ଏଥର ମଧ୍ୟ ସେମାନଙ୍କ ଜବାବ ଟାଳଟୁଳ ଭଳି ଓ ସତ୍ୟତା ଲୁଚାଇବାର ଏକ ପ୍ରୟାସ। ଏ ନେଇ ସେମାନଙ୍କଠୁ ଏଇଆ ହିଁ ଆଶା କରାଯାଉଥିଲା। ଏଣୁ ଆମ ଉପରେ ଲଗାଯାଉଥିବା ସବୁ ଅଭିଯୋଗକୁ ଆମେ ଖଣ୍ଡନ କରୁଛୁ।

ଜୟସ୍ୱାଲ କହିଛନ୍ତି ଯେ ଆଇଏନଏସ କୋଲକାତା ପଶ୍ଚିମ ଆରବ ସାଗରରେ ରୁଟିନ ଡ୍ୟୁଟିରେ ମୁତୟନ ଥିଲା। ଏହି ସମୟରେ ପାକିସ୍ତାନ ନୌସେନା ପୋତ ପିଏନଏସ ହୁନୈନ ସମୁଦ୍ରରେ ଅସ୍ୱୀକାର୍ଯ୍ୟ ଆଚରଣ କରିଥିଲା, ଏଣୁ ଏହି ଧକ୍କା ହୋଇଥିଲା। ପିଏନଏସ ହୁନୈନର ବିପଦଜନକ ଭାବେ ଓଭର ଟେକ୍ ଉଦ୍ୟମ ୧୯୯୧ରେ ଭାରତ ଓ ପାକିସ୍ତାନ ମଧ୍ୟରେ ସୈନ୍ୟ ଅଭ୍ୟାସ, ଯୁଦ୍ଧାଭ୍ୟାସ ଓ ସୈନ୍ୟ ଯାତାୟାତର ଅଗ୍ରୀମ ସୂଚନା ସମ୍ପର୍କିତ ବୁଝାମଣାର ଅନୁଚ୍ଛେଦ ୧୦ରୁ ଗୁରୁତ୍ତର ଉଲ୍ଲଂଘନ ଥିଲା। ଏହି ଅନୁଚ୍ଛେଦ ସ୍ପଷ୍ଟ ରୂପେ ସମୁଦ୍ରରେ ନୌସେନା ୟୁନିଟ୍ କୁ ଜଣେ ଜଣକଠାରୁ ୩ ନଟିକାଲ ମାଇଲ ଦୂରତା ରକ୍ଷା କରିବାକୁ ନିର୍ଦ୍ଦେଶ ଦେଉଛି। ତେବେ ପାକିସ୍ତାନ ଏହାର ଉଲ୍ଲଂଘନ କରିଛି।

ପାକିସ୍ତାନ ଦାବି କରିଛି ଯେ ଏହି ଘଟଣା ପାକିସ୍ତାନର ବିଶେଷ ଆର୍ଥିକ କ୍ଷେତ୍ରରେ ତାର ‘ସି ସ୍ପାର୍କ-୨୦୨୬’ ନୌସେନା ଅଭ୍ୟାସ କାଳରେ ହୋଇଛି। ଏହି ଘଟଣା ପରେ ଉଭୟ ଦେଶ ପରସ୍ପର ବିରୋଧରେ କୂଟନୈତିକ ବିରୋଧ ରୁଜୁ କରିଛନ୍ତି। ଭାରତର କହିବା କଥା ହେଉଛି ଧକ୍କା ପୂର୍ବରୁ ପିଏନଏସ୍ ହୁନୈନ ଦ୍ରୁତଗତିରେ ଆଇଏନଏସ କୋଲକାତା ନିକଟକୁ ଆସିଯାଇଥିଲା ଓ ଏଥିରେ ସମୁଦ୍ରରେ ଧକ୍କା ରୋକିବାକୁ ଅନ୍ତର୍ଜାତୀୟ ନିୟମର ଉଲ୍ଲଂଘନ କରିଛି। ଭାରତ ଏହା ବି କହିଛି ଯେ ଏହି ଧକ୍କା ଯୋଗୁ ଆଇଏନଏସ୍ କୋଲକାତାର ସେଭଳି କୌଣସି ବଡ଼ କ୍ଷୟକ୍ଷତି ହୋଇ ନାହିଁ। ଯୁଦ୍ଧ ଜାହାଜ ଏବେବି ସମୁଦ୍ରରେ ପାଟ୍ରୋଲିଂ ଚଳାଇଛି।