ଆୟର୍ଲାଣ୍ଡ: ୱେଲ୍ସ ଉପକୂଳରେ ଏକ ବିମାନ ଦୁର୍ଘଟଣା ଘଟିଛି। ଏକ ମାଇକ୍ରୋଲାଇଟ୍ ବିମାନ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ସମୁଦ୍ର ମଧ୍ୟରେ ଜରୁରୀ ଅବତରଣ କରିଥିଲା। ତେବେ ଉଦ୍ଧାରକାରୀ ଦଳ ଯେତେବେଳେ ଘଟଣାସ୍ଥଳରେ ପହଞ୍ଚିଥିଲେ, ସେମାନେ ଦୁଇଜଣ ଯାତ୍ରୀଙ୍କୁ ବିମାନର ଡେଣା ଉପରେ ଶାନ୍ତ ଭାବେ ବସିଥିବାର ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ବିମାନଟି ଆୟର୍ଲାଣ୍ଡରୁ ଇଟାଲୀ ଯାଉଥିବା ବେଳେ ୱେଲ୍ସର ଆବରପୋର୍ଥ ଗ୍ରାମ ନିକଟରେ ଇନ୍ଧନ ଭରିବା ପାଇଁ ଯୋଜନା କରିଥିଲା। କିନ୍ତୁ ଯାନ୍ତ୍ରିକ ଅସୁବିଧା ଯୋଗୁଁ ସନ୍ଧ୍ୟା ୬ଟା ସମୟରେ ଏହା ସମୁଦ୍ର ମଧ୍ୟରେ ଖସିପଡ଼ିଥିଲା। 'ମେ-ଡେ' କଲ୍ ପାଇବା ପରେ ନ୍ୟୁ କ୍ୱେ ରୁ RNLI ଲାଇଫ୍ବୋଟ୍ ଏବଂ ଏଚ୍ଏମ୍ କୋଷ୍ଟଗାର୍ଡର ହେଲିକପ୍ଟର ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ଉଭୟ ଯାତ୍ରୀ ଲାଇଫ୍ ଜ୍ୟାକେଟ୍ ପିନ୍ଧି ବିମାନର ଡେଣା ଉପରେ ବସିଥିବାର ଦେଖିବାକୁ ମିଳିଥିଲା। ସେମାନଙ୍କ ଶରୀରରେ କୌଣସି ଆଘାତ ନଥିଲେ ମଧ୍ୟ ସେମାନେ ଦୁର୍ଘଟଣା ଯୋଗୁଁ ସ୍ତବ୍ଧ ହୋଇଯାଇଥିଲେ।

ଉଦ୍ଧାରକାରୀ ଦଳ ଉଭୟ ଯାତ୍ରୀଙ୍କୁ ଲାଇଫ୍ବୋଟ୍ରେ ଉଦ୍ଧାର କରିଥିଲେ। ସେମାନେ ଅତ୍ୟଧିକ ଶୀତୁଆ ଅବସ୍ଥାରେ ଥିଲେ ମଧ୍ୟ ସଚେତନ ଓ ସ୍ୱାଭାବିକ ଥିଲେ। ସେମାନଙ୍କୁ ତୁରନ୍ତ ପ୍ରାଥମିକ ଚିକିତ୍ସା ସହ ଗରମ ପାନୀୟ ପ୍ରଦାନ କରାଯାଇଥିଲା। ଉପକୂଳରେ ପହଞ୍ଚିବା ପରେ ୱେଲ୍ସ ଆମ୍ବୁଲାନ୍ସ ସର୍ଭିସ୍ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲା। ଗୋଟିଏ ରାତି ଚିକିତ୍ସା ପରେ ସେମାନଙ୍କୁ ଛାଡ଼ି ଦିଆଯାଇଥିଲା ଏବଂ ପରଦିନ ସେମାନେ ଫେରି ଯୋଗେ ସୁରକ୍ଷିତ ଭାବେ ଆୟର୍ଲାଣ୍ଡ ଫେରିଯାଇଥିଲେ।

ଉଦ୍ଧାରକାରୀ ଦଳର ନାଭିଗେଟର୍, ରିସ୍-ଟମ୍ ଜୋନ୍ସ୍ କହିଛନ୍ତି ଯେ, ଉଦ୍ଧାର ହୋଇଥିବା ଯାତ୍ରୀଙ୍କ ମଧ୍ୟରୁ ଜଣେ ୨୦୨୧ ମସିହାରେ ସେମାନଙ୍କ ଦ୍ୱାରା ଉଦ୍ଧାର ହୋଇଥିବା ଜଣେ ଆୟର୍ଲାଣ୍ଡର ନାବିକଙ୍କ ପଡ଼ୋଶୀ ଥିଲେ। ଏହି ଘଟଣାକୁ ନେଇ ଯାତ୍ରୀମାନେ ଜରୁରୀକାଳୀନ ସେବା ପ୍ରଦାନକାରୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ଏହି ଘଟଣାଟି ଉଦ୍ଧାରକାରୀଙ୍କ ତ୍ୱରିତ ପଦକ୍ଷେପ ଏବଂ ଯାତ୍ରୀଙ୍କ ସାହସିକତାର ଏକ ବଡ଼ ଉଦାହରଣ।