ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେବା ପାଇଁ ଭାରତ ଆସିବେ । ଏହି ଶିଖର ସମ୍ମିଳନୀ ସେପ୍ଟେମ୍ୱର ୧୨-୧୩ରେ ଆୟୋଜିତ ହେବ । କ୍ରେମଲିନ୍ ପକ୍ଷରୁ ଏହାକୁ ସ୍ପଷ୍ଟ କରାଯାଇଛି । ଗୋଟିଏ ବର୍ଷ ମଧ୍ୟରେ ପୁଟିନ ଦ୍ୱିତୀୟ ଥର ପାଇଁ ଭାରତ ଆସିବେ । ଏହା ପୂର୍ବରୁ ରୁଷ ରାଷ୍ଟ୍ରପତି ଗତ ବର୍ଷ ଡିସେମ୍ୱର ୨୩ରେ ଭାରତ-ରୁଷ ବାର୍ଷିକ ସମ୍ମିଳନୀରେ ଯୋଗ ଦେବା ପାଇଁ ନୂଆଦିଲ୍ଲୀ ଆସିଥିଲେ । ଉଲ୍ଲେଖଯୋଗ୍ୟ ଯେ ଏହି ମାସ ଆରମ୍ଭରେ ରୁଷ ବିଦେଶ ମନ୍ତ୍ରୀ ସର୍ଗେଇ ଲାଭରୋଭ ବ୍ରିକ୍ସ ଦେଶର ବିଦେଶ ମନ୍ତ୍ରୀଙ୍କ ବୈଠକ ପାଇଁ ଭାରତ ଆସିଥିଲେ । ବ୍ରିକ୍ସ ନେତାଙ୍କ ବୈଠକ ଗତ ବର୍ଷ ଜୁଲାଇରେ ବ୍ରାଜିଲର ରିୟୋ ଡି ଜନେରିଓରେ ହୋଇଥିଲା । ଏହା ବ୍ରିକ୍ସର ୧୭ତମ ଶିଖର ସମ୍ମିଳନୀ ହେବ । ଏହାର ଥିମ୍- "Building for Resilience, Innovation, Cooperation, and Sustainability." ରହିଛି ।

ଭାରତର ରୁଷ ସହ ବିଦେଶ ନୀତି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । ବିଶେଷ କରି ଗତ ଅନେକ ଦଶନ୍ଧି ଧରି ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ସହଯୋଗ ଓ ଉର୍ଜା ସମ୍ପର୍କ ଘନିଷ୍ଠ ରହିଛି । ତେବେ ଗତ କିଛି ସମୟ ଧରି ଭାରତ-ରୁଷ ସମ୍ପର୍କରେ ଆମେରିକା ରଣନୀତି କଣ୍ଟା ସାଜିବାରେ ଲାଗିଛି । ଏହା ସତ୍ତ୍ୱେ, ଭାରତ ଏବେବି ରୁଷକୁ ନିଜର ଦୀର୍ଘକାଳୀନ ରଣନୀତିକ ହିତର ସୁରକ୍ଷାରେ ଗୁରୁତ୍ୱପୂର୍ଣ୍ଣ ସହଯୋଗୀ ରୂପେ ଦେଖୁଛି ।

ଭାରତ ଜାନୁଆରୀ ୧୩, ୨୦୨୬ରେ ଆନୁଷ୍ଠାନିକ ଭାବରେ ବ୍ରିକ୍ସ ଅଧ୍ୟକ୍ଷତା ଗ୍ରହଣ କରିଥିଲା । ବିଶ୍ୱ ଭୂ-ରାଜନୈତିକ ଅସ୍ଥିରତା ଏବଂ ପରିବର୍ତ୍ତିତ ଚ୍ୟାଲେଞ୍ଜ ମଧ୍ୟରେ ଭାରତ ୧୦ ସଦସ୍ୟ ବିଶିଷ୍ଟ ଗୋଷ୍ଠୀର ଅଧ୍ୟକ୍ଷତା ପାଇଁ ଏକ ନୂତନ ଦୃଷ୍ଟିକୋଣର ସଙ୍କେତ ଦେଇଛି । ମକର ସଂକ୍ରାନ୍ତିର ପୂର୍ବ ସନ୍ଧ୍ୟାରେ, ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଭାରତର ବ୍ରିକ୍ସ ୨୦୨୬ ଅଧ୍ୟକ୍ଷତା ପାଇଁ ଆନୁଷ୍ଠାନିକ ଥିମ୍, ଲୋଗୋ ଏବଂ ୱେବସାଇଟ୍ ଲଞ୍ଚ କରିଥିଲେ ।

ଭାରତର ବ୍ରିକ୍ସ ସଭାପତିତ୍ୱରେ ଶିଖର ସମ୍ମିଳନୀର ଲୋଗୋ 'ପଦ୍ମ' ଫୁଲ ରହିଛି । ଲୋଗୋର କେନ୍ଦ୍ରରେ "ନମସ୍ତେ" ଅଭିବାଦନ ରହିଛି । ଏହାକୁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ଆରମ୍ଭ କରାଯାଇଥିବା ଏକ ଖୋଲା ପ୍ରତିଯୋଗିତା ମାଧ୍ୟମରେ ଚୟନ କରାଯାଇଥିଲା । ଏହି ବର୍ଷ ଭାରତର ବ୍ରିକ୍ସ ସଭାପତିତ୍ୱର ବିଷୟବସ୍ତୁ ହେଉଛି ସ୍ଥିରତା, ନବସୃଜନ, ସହଯୋଗ ଏବଂ ସ୍ଥିରତା ପାଇଁ ନିର୍ମାଣ । ଏହି ବିଷୟବସ୍ତୁ ପ୍ରଧାନମନ୍ତ୍ରୀଙ୍କ ମାନବତା-ପ୍ରଥମେ ଏବଂ ଲୋକ-କେନ୍ଦ୍ରିକ ଆଭିମୁଖ୍ୟରୁ ସୃଷ୍ଟ ହୋଇଛି ।