ନୂଆଦିଲ୍ଲୀ: ୨୦୨୧ ମସିହାରେ ଏକ ଜୁମ୍ (Zoom) କଲ୍‌ ମାଧ୍ୟମରେ ନିଜ କମ୍ପାନୀର ୯୦୦ ଜଣ କର୍ମଚାରୀଙ୍କୁ ଛଟେଇ କରି ଚର୍ଚ୍ଚାକୁ ଆସିଥିଲେ ଭାରତୀୟ ବଂଶୋଦ୍ଭବ ସିଇଓ ବିଶାଳ ଗର୍ଗ । ଏବେ ନିଜେ ସି.ଇ.ଓ (CEO) ପଦରୁ ବହିଷ୍କୃତ ହେବା ପରେ ନିଜ ପଦବୀ ଫେରି ପାଇବାକୁ ଗୁହାରି କରୁଛନ୍ତି । 

 'ବେଟର ହୋମ୍ ଆଣ୍ଡ ଫାଇନାନ୍ସ' କମ୍ପାନୀର ବୋର୍ଡ ଅଗଷ୍ଟ ୩ ତାରିଖରେ ବିଶାଳ ଗର୍ଗଙ୍କୁ ସି.ଇ.ଓ ପଦରୁ ହଟାଇ ତାଙ୍କ ସ୍ଥାନରେ ଡାନିଏଲ୍ ଲୁଇସଙ୍କୁ ନୂତନ ସି.ଇ.ଓ ଭାବରେ ନିଯୁକ୍ତି ଦେଇଛି।

ଗର୍ଗଙ୍କ ଅଭିଯୋଗ ଅନୁଯାୟୀ, ହେଜ୍ ଫଣ୍ଡ ମ୍ୟାନେଜର ଡାନିଏଲ୍ ଲୁଇସ୍ ଛଅ ମାସ ପୂର୍ବରୁ କମ୍ପାନୀର ଖର୍ଚ୍ଚ କାଟ ଓ ଲାଭ ବୃଦ୍ଧିର ପ୍ରସ୍ତାବ ନେଇ ଆସିଥିଲେ। ମାତ୍ର ସେ ବୋର୍ଡର ଭରସା ଜିତି ଗର୍ଗଙ୍କୁ ପଦରୁ ହଟାଇ ନିଜେ ସି.ଇ.ଓ ବନିଯାଇଛନ୍ତି। ନିଜ ପଦବୀ ଫେରି ପାଇବାକୁ ଗର୍ଗ ଜଣେ ପ୍ରସିଦ୍ଧ ଆଇନଜୀବୀଙ୍କୁ ନିଯୁକ୍ତ କରିଛନ୍ତି ଏବଂ ବୋର୍ଡ ତାଙ୍କୁ ସି.ଇ.ଓ ଭାବରେ ପୁନଃ ନିଯୁକ୍ତି ପାଇଁ ଦାବି କରିଛନ୍ତି।

୨୦୨୧ରେ ବିଶାଳ ଗର୍ଗ କମ୍ପାନୀର ୯ ପ୍ରତିଶତ କର୍ମଚାରୀଙ୍କୁ (ପ୍ରାୟ ୯୦୦ ଜଣ) ଏକାଥରେ ବହିଷ୍କାର କରିଥିଲେ। ସେତେବେଳେ ସେ କର୍ମଚାରୀମାନଙ୍କ ବିରୋଧରେ କାର୍ଯ୍ୟଦକ୍ଷତା ଏବଂ ସମୟର ଅପବ୍ୟବହାର କରୁଥିବା ଅଭିଯୋଗ ଆଣିଥିଲେ।