ମୁମ୍ୱାଇ: ‘ହନୁମାନ ଅଂଶ’ ନିର୍ମାଣ କରିଥିବା ନିର୍ଦ୍ଦେଶକ ବିଶାଳ ଚତୁର୍ବେଦୀ ଏବେ ସବୁଆଡ଼େ ଚର୍ଚ୍ଚାରେ ଅଛନ୍ତି । ତାଙ୍କ ନିର୍ମିତ ଫିଲ୍ମ ଏପରି ଏକ ଚମତ୍କାର କରି ଦେଖାଇଛି, ଯାହାର କଳ୍ପନା ସୁଦ୍ଧା କେହି କରିନଥିଲେ । ନିଜର ଏହି ଫିଲ୍ମର ସଫଳତା ପରେ, ବିଶାଳ ଆଉ ଏକ ଫିଲ୍ମର ଘୋଷଣା କରିଛନ୍ତି । ନୀମ୍ କରୋଲି ବାବାଙ୍କ ଉପରେ ଫିଲ୍ମ ତିଆରି କରିବା ପରେ ସେ ଏବେ ମହାକବି ତୁଳସୀଦାସଙ୍କ ଉପରେ ଫିଲ୍ମ ନିର୍ମାଣ କରିବେ ।

ବିଶାଳ ଚତୁର୍ବେଦୀ ନିଜର ନୂଆ ଫିଲ୍ମର ଟାଇଟଲ୍ ‘ରାମ ବୋଲା- ଦି ଇମ୍ମୋର୍ଟାଲ୍ ଷ୍ଟୋରୀ ଅଫ୍ ଗୋସ୍ୱାମୀ ତୁଳସୀଦାସ’ ରଖିଛନ୍ତି । ଏହାର କାହାଣୀ ସେ ନିଜେ ଲେଖିଛନ୍ତି ଏବଂ ନିଜେ ହିଁ ଏହାର ନିର୍ଦ୍ଦେଶନା ଦେବେ । ଏହି ଫିଲ୍ମକୁ ‘ମହାବୀର ଜୈନ ଫିଲ୍ମସ’ ବ୍ୟାନରରେ ନିର୍ମାଣ କରାଯିବ । ବିଶାଳ ଏହାକୁ ମହାବୀର ଜୈନଙ୍କ ସହ ମିଶି ପ୍ରଯୋଜନା ମଧ୍ୟ କରିବେ । ଏହି ପ୍ରୋଜେକ୍ଟକୁ ନେଇ ମହାବୀର ଜୈନ ଫିଲ୍ମସ ମଧ୍ୟ ନିଜର ଉତ୍ସାହ ପ୍ରକାଶ କରିଛି ।

 

ମହାକବି ଗୋସ୍ୱାମୀ ତୁଳସୀଦାସ ୧୬ଶ ଶତାବ୍ଦୀର ଜଣେ ମହାନ ବୈଷ୍ଣବ ସନ୍ଥ ଏବଂ କବି ଥିଲେ । ତାଙ୍କର ସବୁଠାରୁ ବଡ଼ ପରିଚୟ ଅବଧୀ ଭାଷାରେ ଲେଖାଯାଇଥିବା 'ରାମଚରିତମାନସ' । ଏହା ରାମାୟଣ ପ୍ରତି ତାଙ୍କର ଭକ୍ତିଭାବରେ ପରିପୂର୍ଣ୍ଣ ଏକ ସୁନ୍ଦର ରଚନା । ଏହା ବ୍ୟତୀତ ତାଙ୍କ ଦ୍ୱାରା ଲିଖିତ ‘ହନୁମାନ ଚାଳିଶା’ ମଧ୍ୟ ଅତ୍ୟନ୍ତ ଲୋକପ୍ରିୟ । ତୁଳସୀଦାସ 'ବିନୟ ପତ୍ରିକା', 'କବିତାବଳୀ', 'ଗୀତାବଳୀ' ଏବଂ 'ଦୋହାବଳୀ' ଭଳି ଶ୍ରେଷ୍ଠ ଓ ପ୍ରସିଦ୍ଧ ରଚନା ମଧ୍ୟ ଲେଖିଛନ୍ତି । ତାଙ୍କର ପିଲାଦିନର ନାମ ‘ରାମବୋଲା’ ଥିଲା । ସେ ଆଧ୍ୟାତ୍ମିକ ଶିକ୍ଷା ଗ୍ରହଣ କରିବା ସହ ସଂସ୍କୃତ ଏବଂ ହିନ୍ଦୁ ଦର୍ଶନ ଶାସ୍ତ୍ରର ଅଧ୍ୟୟନ କରିଥିଲେ । ପରେ ସେ ସାଂସାରିକ ଜୀବନ ତ୍ୟାଗ କରି ସାଧୁ ଓ ତପସ୍ୱୀଙ୍କ ଜୀବନ ଆପଣେଇବାକୁ ନିଷ୍ପତ୍ତି ନେଇଥିଲେ ।

ନୀମ୍ କରୋଲି ବାବାଙ୍କ ଜୀବନକୁ ଯେପରି ଭାବେ ବିଶାଳ ଚତୁର୍ବେଦୀ ସରଳତା ଏବଂ ଭକ୍ତିଭାବ ସହ ବଡ଼ ପରଦାରେ ଦେଖାଇଛନ୍ତି, ଲୋକମାନେ ଏବେ ମହାକବି ତୁଳସୀଦାସଙ୍କ ଫିଲ୍ମରୁ ମଧ୍ୟ ସେହିଭଳି ଆଶା ରଖିଛନ୍ତି । ଅନ୍ୟପଟେ ‘ହନୁମାନ ଅଂଶ’ର ସିକ୍ୱେଲ୍କୁ ନେଇ ମଧ୍ୟ ଲୋକଙ୍କର ବଡ଼ ଆଶା ରହିଛି ।