ହାଇଦ୍ରାବାଦ: ବିଶ୍ୱ କ୍ରିକେଟର ରନ୍ ମେସିନ୍ ତଥା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ର ଷ୍ଟାର୍ ବ୍ୟାଟର ବିରାଟ କୋହଲି (Virat Kohli) ନିଜ ନାମରେ ଆଉ ଏକ ମହାନ ରେକର୍ଡ ଯୋଡ଼ିଛନ୍ତି । ଆଇପିଏଲ୍ ୨୦୨୬ (IPL 2026) ର ଏକ ହାଇଭୋଲଟେଜ୍ ମ୍ୟାଚ୍ରେ ସନରାଇଜର୍ସ ହ୍ରାଇଦ୍ରାବାଦ (SRH) ବିପକ୍ଷରେ ମୈଦାନକୁ ଓହ୍ଲାଇ କୋହଲି ଟି-୨୦ କ୍ରିକେଟ ଇତିହାସରେ ଏମିତି ଏକ କୀର୍ତ୍ତିମାନ ସ୍ଥାପନ କରିଛନ୍ତି, ଯାହା ଆଜି ପର୍ଯ୍ୟନ୍ତ କୌଣସି ବ୍ୟାଟର କରିପାରି ନାହାନ୍ତି । ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍ରେ କୋହଲି ବିଶ୍ୱର ସର୍ବଶ୍ରେଷ୍ଠ ପାର୍ଟନରସିପ୍ (ଭାଗିଦାରୀ) ରେକର୍ଡ ନିଜ ନାମରେ କରିଛନ୍ତି ।

ଏହି ରୋମାଞ୍ଚକର ମ୍ୟାଚରେ ବିରାଟ କୋହଲି ଟି-୨୦ କ୍ରିକେଟ ଇତିହାସରେ ସବୁଠାରୁ ଅଧିକ ଥର ୫୦ କିମ୍ବା ତାଠାରୁ ଅଧିକ ରନ୍ର ଭାଗିଦାରୀ କରିଥିବା ବିଶ୍ୱର ପ୍ରଥମ ବ୍ୟାଟର । ଅର୍ଥାତ୍, ସେ ନିଜ ସାଥୀ ବ୍ୟାଟରମାନଙ୍କ ସହ ମିଶି ଟି-୨୦ ଫର୍ମାଟରେ ସର୍ବାଧିକ ଅର୍ଦ୍ଧଶତକୀୟ ପାର୍ଟନରସିପ୍ କରିବାରେ ଗୌରବ ହାସଲ କରିଛନ୍ତି ।

ଭେଙ୍କଟେଶ ଆୟରଙ୍କ ସହ ମିଶି କଲେ ରେକର୍ଡ

ଏହି ମ୍ୟାଚରେ ଆରସିବି ପକ୍ଷରୁ ଓପନିଂ କରିବାକୁ ଆସିଥିବା ବିରାଟ କୋହଲି ଏବଂ ଭେଙ୍କଟେଶ ଆୟର ସନରାଇଜର୍ସ ହ୍ରାଇଦ୍ରାବାଦର ବୋଲରମାନଙ୍କୁ କଡ଼ା ମୁକାବିଲା କରିଥିଲେ । ଉଭୟ ବ୍ୟାଟର ପ୍ରଥମ ୱିକେଟ୍ ପାଇଁ ୫୦ ରୁ ଅଧିକ ରନ୍ର ଏକ ଦମଦାର ଓପନିଂ ପାର୍ଟନରସିପ୍ କରିଥିଲେ । ଭେଙ୍କଟେଶ ଆୟରଙ୍କ ସହ କରିଥିବା ଏହି ଅର୍ଦ୍ଧଶତକୀୟ ଭାଗିଦାରୀ ବଳରେ ହିଁ କୋହଲି କ୍ରିକେଟର ଏହି ସର୍ବକାଳୀନ ମହାନ ରେକର୍ଡକୁ ନିଜ ନାଁରେ କରିପାରିଛନ୍ତି ।

କ୍ରିସ୍ ଗେଲ୍ ଏବଂ ଡେଭିଡ୍ ୱାର୍ଣ୍ଣରଙ୍କୁ ପଛରେ ପକାଇଲେ

ଟି-୨୦ କ୍ରିକେଟରେ ପାର୍ଟନରସିପ୍ ମାମଲାରେ ପୂର୍ବରୁ ୱେଷ୍ଟଇଣ୍ଡିଜ୍ର 'ୟୁନିଭର୍ସ ବସ୍' କ୍ରିସ୍ ଗେଲ୍ ଏବଂ ଅଷ୍ଟ୍ରେଲିଆର ଓପନର ଡେଭିଡ୍ ୱାର୍ଣ୍ଣରଙ୍କ ଭଳି କ୍ରିକେଟର ଆଗରେ ଥିଲେ । କିନ୍ତୁ ବିରାଟ କୋହଲି ନିଜର ଚମତ୍କାର ଫର୍ମ ଏବଂ କ୍ରମାଗତ ଭଲ ପ୍ରଦର୍ଶନ ଜାରି ରଖି ଏହି ସମସ୍ତ ମହାନ ଖେଳାଳିଙ୍କୁ ପଛରେ ପକାଇ ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି ।

କାହିଁକି ସ୍ୱତନ୍ତ୍ର ଏହି ରେକର୍ଡ ?

ଏହି ରେକର୍ଡ ପ୍ରମାଣ କରେ ଯେ, କୋହଲି କେବଳ ନିଜ ପାଇଁ ରନ୍ ସଂଗ୍ରହ କରନ୍ତି ନାହିଁ, ବରଂ କ୍ରିଜ୍ରେ ଅନ୍ୟ ବ୍ୟାଟରଙ୍କୁ ସାଥୀରେ ନେଇ ଦଳକୁ ଏକ ବଡ଼ ସ୍କୋର ଆଡ଼କୁ ଆଗେଇ ନେବାରେ ତାଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ । ଆଇପିଏଲ୍ରେ କ୍ରିସ୍ ଗେଲ୍, ଏବି ଡିଭିଲିୟର୍ସ, ଫାଫ୍ ଡୁ ପ୍ଲେସିସ୍ ଏବଂ ଏବେ ଭେଙ୍କଟେଶ ଆୟରଙ୍କ ଭଳି ଖେଳାଳିଙ୍କ ସହ କୋହଲିଙ୍କର ଜବରଦସ୍ତ କେମିଷ୍ଟ୍ରି ଦେଖିବାକୁ ମିଳିଛି । ଟି-୨୦ ଏବଂ ଆଇପିଏଲ୍ ଇତିହାସରେ ସର୍ବାଧିକ ରନ୍, ସର୍ବାଧିକ ଶତକ ଏବଂ ଏବେ ସର୍ବାଧିକ ୫୦+ ପାର୍ଟନରସିପ୍ର ରେକର୍ଡ ନିଜ ନାମରେ କରି ବିରାଟ କୋହଲି ଏହା ପ୍ରମାଣିତ କରିଛନ୍ତି ଯେ, କାହିଁକି ତାଙ୍କୁ କ୍ରିକେଟ ଜଗତର 'କିଙ୍ଗ୍ କୋହଲି' ବୋଲି କୁହାଯାଏ ।