କୋଲକାତା: ତିଲଜଲାରେ ନିକଟରେ ହୋଇଥିବା ବୁଲଡୋଜର କାର୍ଯ୍ୟାନୁଷ୍ଠାନ ବିରୋଧରେ ବିକ୍ଷୋଭ ରବିବାର ଉଗ୍ରରୂପ ଧାରଣ କରିଛି। ପାର୍କସର୍କସ ଅଞ୍ଚଳରେ ପ୍ରଦର୍ଶନକାରୀ ଓ ପୋଲିସ ମଧ୍ୟରେ ସଂଘର୍ଷ ହୋଇଛି। ବିକ୍ଷୋଭକାରୀଙ୍କ ଟେକାପଥର ମାଡ଼ରେ ଅନୁନ୍ୟ ୩ ଜଣ ପୋଲିସ କର୍ମଚାରୀ ଆହତ ହୋଇଥିବା ବେଳେ ଅନେକ ଯାନବାହନ ନଷ୍ଟ ହୋଇଛି। ତିଲଜଲାର ଏକ ଫ୍ୟାକ୍ଟ୍ରିରେ ନିଆଁ ଲାଗିବା କାରଣରୁ ୨ ଜଣଙ୍କ ମୃତ୍ୟ ପରେ ବେଙ୍ଗଲ ସରକାର ଗତ ବୁଧବାର ଅଞ୍ଚଳକୁ ଜବରଦଖଲ ମୁକ୍ତ କରିବାକୁ ବୁଲଡୋଜର କାର୍ଯ୍ୟାନୁଷ୍ଠାନ କରିଥିଲେ।

ଅଧିକାରୀଙ୍କ ଅନୁସାରେ ଜବରଦଖଲ ହଟାଇବା ଅଭିଯାନ ବିରୋଧରେ ଲୋକେ ପାର୍କସର୍କସ ସେଭେନ ପଏଣ୍ଟ କ୍ରସିଂ ନିକଟରେ ଏକଜୁଟ ହୋଇ ରାସ୍ତା ଅବରୋଧ କରିବାକୁ ଉଦ୍ୟମ କରିଥିଲେ। ପୋଲିସ ସଡକ ଅବରୋଧକାରୀଙ୍କୁ ଘଉଡାଇବାକୁ ଉଦ୍ୟମ କରିବାରୁ କିଛି ଲୋକେ ଟେକାପଥର ମାଡ଼ କରିଥିଲେ। ଲୋକଙ୍କ ଟେକାପଥର ମାଡ଼ରେ ରାସ୍ତା କଡରେ ଛିଡା ହୋଇଥିବା ଅନେକ ଗାଡ଼ି କ୍ଷତିଗ୍ରସ୍ତ ହୋଇଛି। ଏଣୁ ଘଟଣାସ୍ଥଳକୁ ବହୁ ସଂଖ୍ୟାରେ କୋଲକାତା ପୋଲିସ ଓ କେନ୍ଦ୍ରୀୟ ବଳ ପହଞ୍ଚିଥିବା ବେଳେ ଅନେକ ଲୋକଙ୍କୁ ଗିରଫ କରାଯାଇଛି।

କୋଲକାତା ପୋଲିସର ଅତିରିକ୍ତ କମିଶନର ଆଶିଷ ବିଶ୍ୱାସ କହିଛନ୍ତି ଯେ ହିଂସାରେ ସାମିଲ ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ବିଶ୍ୱାସ କହିଛନ୍ତି ଯେ ହିଂସା ଅଭିଯୋଗରେ ଆମେ କିଛି ଲୋକଙ୍କୁ ଗିରଫ କରିଛୁ। ତେବେ କେତେ ଲୋକଙ୍କୁ ଗିରଫ କରାଯାଇଛି ସେମାନଙ୍କ ସଂଖ୍ୟା ଅତିରିକ୍ତ କମିଶନର ଗଣମାଧ୍ୟମକୁ ଜଣାଇ ନାହାନ୍ତି। ହେଲେ ପରିସ୍ଥିତି ଏବେ ଶାନ୍ତିପୂର୍ଣ୍ଣ ଥିବା ଜଣାପଡିଛି।