ଇମ୍ଫାଲ: ମଣିପୁରର କାମଜୋଙ୍ଗ ଜିଲ୍ଲା ଚସସାଦ ଗାଁରେ ସନ୍ଦିଗ୍ଧ ଉଗ୍ରପନ୍ଥୀ କୁକି ସମୂଦାୟଙ୍କ ଅନୁନ୍ୟ ୧୫ଟି ଘରକୁ ନିଆଁ ଲଗାଇ ଦେଇଛନ୍ତି। ଏହି ଘଟଣା ପରେ ଆତଙ୍କିତ ଲୋକେ ଜଙ୍ଗଲକୁ ପଳାଇଥିବା ବେଳେ କିଛି ନିକଟରେ ଥିବା ସୁରକ୍ଷା ବଳଙ୍କ ଶିବିରରେ ଶରଣ ନେବାକୁ ବାଧ୍ୟ ହୋଇଛନ୍ତି। ରିପୋର୍ଟ ଅନୁସାରେ ଶନିବାର ଗାଁରେ ଗୁଳିକାଣ୍ଡ ହୋଇଥିଲା। ଏଥିରେ କୁକି ସମୂଦାୟର ସେଇଖାଓହାଓ ହାଓକିପଙ୍କ ମୃତ୍ୟୁ ହୋଇଥିଲା। ଏହି ଗୁଳିକାଣ୍ଡରେ ଅନ୍ୟ ୪ ଜଣ ଗୁରୁତର ଆହତ ହୋଇଥିଲେ। ଏହା ପରେ ବିଳମ୍ବିତ ରାତ୍ରିରେ ଗାଁରେ ନିଆଁ ଲଗାଇ ଦିଆଯାଇଥିବା ଘଟଣା ସାମ୍ନାକୁ ଆସିଛି।

ଉପମୁଖ୍ୟମନ୍ତ୍ରୀ ନେମଚା କିପଗେନ୍ ହିଂସାର ନିନ୍ଦା କରିଥିବା ବେଳେ ହାଓକିପଙ୍କ ମୃତ୍ୟୁରେ ଦୁଃଖ ବ୍ୟକ୍ତ କରିବା ସହ ଆହତ ଗ୍ରାମୀଣ ନେତା ଓ ବିସ୍ଥାପିତ ପରିବାରଙ୍କ ସ୍ଥିତିକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି। ସେ ଗାଁ ପୋଡିକୁ ଅସହନୀୟ ଅପରାଧ କହିଥିବା ବେଳେ ଜିଲ୍ଲା ପ୍ରଶାସନ, ରାଜ୍ୟ ପୋଲିସ ଓ ସୁରକ୍ଷା ବଳଙ୍କୁ ୨୪ ଘଣ୍ଟା ସତର୍କ ରହିବା, ନାଗରିକ ଓ ସେମାନଙ୍କ ସମ୍ପତ୍ତି ସୁରକ୍ଷା ତଥା ହିଂସା ଲାଗି ଦାୟି ଲୋକଙ୍କୁ ଆଇନ ପରିସରକୁ ଆଣିବାକୁ କହିଛନ୍ତି। ଜନୈକ ପୋଲିସ ଅଧିକାରୀ କହିଛନ୍ତି ଯେ ପ୍ରଭାବିତ କ୍ଷେତ୍ରରେ ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଆସାମ ରାଇଫଲସ୍, ସୀମା ସୁରକ୍ଷାବଳ ଓ କାମଜୋଙ୍ଗ ପୋଲିସର ମିଳିତ ପ୍ଲାଟୁନ ମୁତୟନ କରାଯାଇଥିବା କହିଛନ୍ତି।

ଚସସାଦ ଗାଁ ଓ କାମଜୋଙ୍ଗ ଜିଲ୍ଲା ମୁଖ୍ୟାଳୟ ଭାରତ-ମ୍ୟାମାଁର ସୀମାର ଅତି ନିକଟରେ ରହିଛି। ଏହି ସମ୍ବେଦନଶୀଳ ଅଞ୍ଚଳ ସଶସ୍ତ୍ର ସମୂହଙ୍କ ମଧ୍ୟରେ ଉତ୍ତେଜନା କାରଣରୁ ସର୍ବଦା ସୁରକ୍ଷା ସମ୍ପର୍କିତ ଚିନ୍ତାର ସାମ୍ନା କରୁଛି। ସ୍ଥାନୀୟ ଲୋକଙ୍କ ଅନୁସାରେ ସୁରକ୍ଷାକୁ ନେଇ ଭୟ କାରଣରୁ ଗ୍ରାମୀଣ ସେମାନଙ୍କ ଘର ଛାଡି ପଳାୟନ କରିଛନ୍ତି। ଏହି ଘଟଣା ନେଇ ଚସସାଦ ପୋଲିସ ଷ୍ଟେସନକୁ ରବିବାର ସୂଚନା ମିଳିଥିବା ଜଣାପଡିଛି। ତେବେ ଥାନାରେ କର୍ମଚାରୀଙ୍କ ଅଭାବ ଯୋଗୁ ଖବର ଲେଖାଯିବା ପର୍ଯ୍ୟନ୍ତ ପୋଲିସ ଘଟଣାସ୍ଥଳକୁ ନୀରିକ୍ଷଣ କରିବାକୁ ମଧ୍ୟ ଯାଇ ନଥିବା କୁହାଯାଉଛି।

ଅଗ୍ନିକାଣ୍ଡ ଜନିତ କ୍ଷୟକ୍ଷତି, ଆକ୍ରମଣ ପଛର ପରିସ୍ଥିତି ଓ ଏଥିରେ ସାମିଲ ଲୋକଙ୍କ ପରିଚୟ ଏ ପର୍ଯ୍ୟନ୍ତ ସାମ୍ନାକୁ ଆସି ନାହିଁ। କୁକି ଜନଜାତି ସମୂଦାୟର ଶୀର୍ଷ ସଙ୍ଗଠନ କୁକି ଜୋ କାଉନସିଲ (କେଜେଡସି) ଏକ ବୟାନରେ କହିଛି ଯେ କାମଜୋଙ୍ଗ ଜିଲ୍ଲା, ବିଶେଷ କରି ଚସସାଦ ଗାଁର ସୁରକ୍ଷା ସ୍ଥିତି ଚିନ୍ତାଜନକ ଭାବେ ବିଗିଡି ଯାଇଛି। ସଙ୍ଗଠନ ଅନୁସାରେ ଏକ ସପ୍ତାହରୁ କିଛି ଅଧିକ ସମୟରେ କୁକି ଜୋ ସମୂଦାୟର ୪ ଜଣଙ୍କୁ ହତ୍ୟା କରାଯାଇଛି। ଏହା ନିର୍ଦ୍ଦୋଷ ଲୋକଙ୍କ ସୁରକ୍ଷାରେ ସରକାରଙ୍କ ବିଫଳତାକୁ ପ୍ରମାଣିତ କରୁଛି।