ଭୁବନେଶ୍ୱର : ମଣ୍ଡପେ ବିରାଜିଛନ୍ତି ମା’। ମହାମାୟାଙ୍କ ଆଗମନ ପାଇଁ ସବୁଠି, ଖୁସି ଓ ଆନନ୍ଦ। ଗାଁଠୁ ସହର ସବୁଠି ପାର୍ବଣର ମାହୋଲ । ପୂଜାମଣ୍ଡପରେ ଚାଲିଛି ମନ୍ତ୍ରପାଠ ଓ ପୂଜାର୍ଚ୍ଚନା। ଧୂପ, ଦୀପ ଓ ମନ୍ତ୍ରପାଠରେ ଭକ୍ତିମୟ ହୋଇଉଠିଛି ପରିବେଶ। ତେବେ ସପ୍ତମୀ ପୂଜାରେ ରହିଛି ଅନେକ ମହତ୍ତ୍ୱ।ଏହି ଦିନ ସନ୍ତାନର ସୁଖ, ସମୃଦ୍ଧି , ଉତ୍ତମ ସ୍ୱାସ୍ଥ୍ୟ ଓ ଦୀର୍ଘାୟୁ ପାଇଁ ମାଙ୍କୁ ପ୍ରାର୍ଥନା କରାଯାଏ। ହିନ୍ଦୁ ଧର୍ମରେ ଏହି ସବୁ ମନୋକାମନାକୁ ନେଇ ପାଳନ କରାଯାଏ ସପ୍ତମୀ ବ୍ରତ। ଏହି ବ୍ରତ ଭଗବାନ ଶିବ ଓ ମା’ ପାର୍ବତୀଙ୍କୁ ସମର୍ପିତ। ମାନ୍ୟତା ରହିଛି, ଏହି ଦିନ ଭକ୍ତି ଓ ଶ୍ରଦ୍ଧାର ସହ ମହାଦେବ ଏବଂ ମା’ ପାର୍ବତୀଙ୍କ ପୂଜା କଲେ ସନ୍ତାନଙ୍କ ଉପରେ ଦେବାଦେବୀଙ୍କ କୃପା ରହିଥାଏ। ସପ୍ତମୀର ଆଉ ଏକ ବିଶେଷ ମହତ୍ତ୍ୱ ହେଉଛି, ଏହି ଦିନ ଦେବୀ ଦୁର୍ଗା ଏବଂ ମହିଷାସୁରଙ୍କ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଥିଲା ବୋଲି ବିଶ୍ୱାସ କରାଯାଏ। ସପ୍ତମୀ ତିଥିରେ ଦେବୀ ଦୁର୍ଗାଙ୍କ 'କାଳରାତ୍ରି' ରୂପକୁ ପୂଜା କରାଯାଏ। ଲୋକ ବିଶ୍ୱାସ ଅନୁସାରେ, ଏହି ଦିନ ଦେବୀଙ୍କୁ ପୂଜା କରିବା ଦ୍ୱାରା ଜୀବନରୁ ଭୟ, ନକାରାତ୍ମକତା ଏବଂ ବାଧାବିଘ୍ନ ହୋଇଥାଏ ଦୂର ।

Also Read- ପୂର୍ବରୁ ମିଳିଥିଲା ହତ୍ୟା ଧମକ ; ଘରୁ ଯାଇ ଆଉ ଫେରିଲେନି, ବାଲିଯାତ୍ରା ପଡ଼ିଆରୁ ମିଳିଲା ମୃତଦେହ

ମା’ଙ୍କୁ ସ୍ୱାଗତରେ ସଜେଇ ହୋଇଛି ଭବ୍ୟ ପୂଜାମଣ୍ଡପ କୁ ସୁଉଚ୍ଚ ତୋରଣ । ରଙ୍ଗୀନ ଆଲୋକମାଳାରେ ଝଲସୁଛି ପୂଜାସ୍ଥଳ। ଆଜିଠୁ ମାଆଙ୍କର ଯଥା ରୀତି ପୂଜାର୍ଚ୍ଚନା ଆରମ୍ଭ ହେଉଥିବାରୁ ପୂଜା ମଣ୍ଡପ ଗୁଡିକରେ ଲାଗିଲାଣି ଗହଳିଚହଳି। ମା’ଙ୍କ ଦର୍ଶନ କରିବା ସହ ଆଶୀର୍ବାଦ ଲାଭ ପାଇଁ ମଣ୍ଡପରେ ଭକ୍ତଙ୍କ ଭିଡ଼ ଜମୁଛି। ସେପଟେ ପୂଜାକୁ ଆହୁରି ଖାସ୍ କରିଛି ମେଳା ମୀନା ବଜାର । ଆଉ ସେହି ମେଳାରେ ଲାଗିଥିବା ଦୋକାନ ବଜାର । ଶ୍ରଦ୍ଧାଳୁମାନେ ମା’ଙ୍କୁ ଦର୍ଶନ କରିବା ସହ ମେଳାରେ କିଣାକିଣି କରିବାର ମଜାବି ଉଠାଉଛନ୍ତି। ସେପଟେ କୋଲକାତା ଦୁର୍ଗା ମଣ୍ଡପ ଦଳାଚକଟା ପରେ ଭୁବନେଶ୍ୱର ପୂଜା ମଣ୍ଡପ ଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଭକ୍ତଙ୍କ ସୁରକ୍ଷିତ ଦର୍ଶନ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି।