ନୂଆଦିଲ୍ଲୀ : ରାତି ପାହିଲେ ୮୦ ତମ ସ୍ୱାଧୀନତା ଦିବସ ପାଳନ କରିବ ଭାରତ । ଏଥିପାଇଁ ପୁର ଠୁ ପଲ୍ଲୀ ସବୁ ଉତ୍ସବମୁଖର । ସବୁଠି ଜାଗ୍ରତ ହୋଇଛି ଜାତୀୟତାର ମନୋଭାବ । ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ବ୍ରିଟିଶ ଶାସନରୁ ମୁକ୍ତ ହୋଇଥିଲା ଭାରତ ବର୍ଷ । ତିନି ଶତାବ୍ଦୀର ପରାଧିନତାର ଶୃଙ୍ଖଳ ଭାଙ୍ଗିଥିଲା । ତେବେ ଦେଶକୁ ସ୍ୱାଧୀନ କରିବା ପାଇଁ ମହାତ୍ମା ଗାନ୍ଧୀଙ୍କଠୁ ଆରମ୍ଭ କରି ସୁଭାଷ ବୋଷ, ସର୍ଦ୍ଦାର ପଟେଲ, ଭଗତ ସିଂଙ୍କ ଭଳି ବହୁ ମହାପୁରୁଷ ଗୋରା ସରକାର ବିରୋଧରେ ଲଢିଥିଲେ । ଖାଲି ସେମାନେ ନୁହେଁ ଆହୁରି ଅନେକ ସାଧାରଣ ନାଗରିକ ସ୍ୱାଧୀନତାର ଆନ୍ଦୋଳନର ନିଆଁରେ ଝାସ ମଧ୍ୟ ଦେଇଥିଲେ । ଜାତୀୟ ସ୍ତର ବ୍ୟତୀତ ଆଞ୍ଚଳିକ ସ୍ତରରେ ମଧ୍ୟ ଆନ୍ଦୋଳନର ନିଆଁ ଜଳିଥିଲା । ତେବେ ଦେଶକୁ ସ୍ୱାଧୀନ କରିବା ଦିଗରେ ଅନେକ ରାଜ୍ୟର ହାତ ରହିଥିଲା । ତନ୍ମଧ୍ୟରୁ କିଛିଟା ଗାଁ ରହିଛି ଯାହା ଦେଶକୁ ସ୍ୱାଧୀନତା ଦେବାରେ ମୁଖ୍ୟ ଭୂମିକା ତୁଲାଇଥିଲା । ତେବେ ଆସନ୍ତୁ ସେହି ଗାଁ ବିଷୟରେ ଜାଣିବା ।

ଇସୁରୁ, କର୍ଣ୍ଣାଟକ :

କର୍ଣ୍ଣାଟକରେ ଇସୁରୁ ଗ୍ରାମର ଲୋକେ ସ୍ୱାଧୀନତା ଆନ୍ଦୋଳନରେ ଭାଗ ନେଇଥିଲେ । ବର୍ତ୍ତମାନ ଏହି ଜାଗା ଶିବମଗୋଡା ଜିଲ୍ଲା ଭାବେ ପରିଚିତ । ୧୯୪୨ ମସିହାର ଭାରତ ଛାଡ଼ ଆନ୍ଦୋଳନ ସମୟରେ ସ୍ଥାନୀୟ ପ୍ରତିରୋଧର ଏକ ଉଲ୍ଲେଖନୀୟ ଉଦାହରଣ ଭାବେ ଏସୁରୁ ଇତିହାସରେ ସ୍ୱତନ୍ତ୍ର ସ୍ଥାନ ହାସଲ କରିଥିଲା। ଗ୍ରାମର ଲୋକେ ଗୋରା ସରକାରକୁ ଚ୍ୟାଲେଞ୍ଜ କରିଥିଲେ । ଗୋରା ସରକାରର ଅଧିକାରୀଙ୍କୁ ହତ୍ୟା କରିଥିଲେ । ଫଳରେ ୨୦୦ ଜଣଙ୍କୁ ସେତେବେଳେ ଗିରଫ କରାଯାଇଥିଲା । ଏହାସହ ଗ୍ରାମର ୫ ଜଣଙ୍କୁ ଫାଶି ଦଣ୍ଡ ମିଳିଥିଲା । ଏହାସହ ୪୧ ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା ।

ବଲିୟା, ଉତ୍ତର ପ୍ରଦେଶ :

ଭାରତ ଛାଡ ଆନ୍ଦୋଳନ ସମୟରେ ବଲିୟା ଖୁବ୍ ଚର୍ଚ୍ଚାରେ ରହିଥିଲା । ଏଠାରେ ଆନ୍ଦୋଳନକାରୀ ବ୍ରିଟିଶ ସରକାର ବିରୋଧରେ ଯୁଦ୍ଧଂଦେହି ଡାକରା ଦେଇଥିଲେ । ଉତ୍ତରପ୍ରଦେଶର ବଲିଆରେ ଭାରତ ଛାଡ଼ ଆନ୍ଦୋଳନ ଏକ ନାଟକୀୟ ମୋଡ଼ ନେଇଥିଲା। ଏଠାରେ ଆନ୍ଦୋଳନକାରୀମାନେ ସିଧାସଳଖ ବ୍ରିଟିଶ୍ ଶାସନର ପ୍ରତୀକ ଓ ପ୍ରଶାସନିକ ବ୍ୟବସ୍ଥାକୁ ଟାର୍ଗେଟ୍ କରିଥିଲେ। ପୋଲିସ ଷ୍ଚେସନ, ପୋଷ୍ଟ ଅଫିସ ସମେତ ସରକାରୀ କାର୍ଯ୍ୟାଳୟକୁ ଭଙ୍ଗାରୁଜା କରାଯାଇଥିଲା । ସରକାରୀ ଅଧିକାରୀ ଆକ୍ରମଣର ଶିକାର ହୋଇଥିଲେ । ଗିରଫ ହୋଇ ରହିଥିବା ସ୍ୱାଧୀନତା ସଂଗ୍ରାମୀ ଚି଼ଟୁ ପାଣ୍ଡେଙ୍କୁ ବାଧ୍ୟ ହୋଇ ସରକାର ମୁକ୍ତ କରିଥିଲେ । ତାଙ୍କ ନେତୃତ୍ୱରେ ଜିଲ୍ଲାପାଳ ଅଫିସରେ ତ୍ରିରଙ୍ଗା ଉଡିଥିଲା ।

ସତାରା, ମହାରାଷ୍ଟ୍ର :

ମହାରାଷ୍ଟ୍ରର ସତାରାରେ ସମାନ୍ତରାଳ ସରକାର ଗଠନ କରିଥିଲେ ସଂଗ୍ରାମୀମାନେ । ନାନା ପାଟିଲଙ୍କ ନେତୃତ୍ୱରେ ପ୍ରତି ସରକାର ବା ପାରାଲାଲ୍ ଗଭର୍ଣ୍ଣମେଣ୍ଟ୍ ଗଠନ ହୋଇଥିଲା । ଏହି ଆନ୍ଦୋଳନ ବଲିୟା ଏବଂ ଇସୁରୁ ଭଳି କମ୍ ଦିନରେ ସରିନଥିଲା । ବରଂ ଦୀର୍ଘଦିନ ଧରି ଲଢେଇ ଜାରି ରହିଥିଲା । ଧାରଣା ଏବଂ ଆନ୍ଦୋଳନ ସହ ଏଠାକାର ସଂଗ୍ରାମୀମାନେ କିଛି ବ୍ରିଟିଶ ଅଞ୍ଚଳକୁ ନିଜ ଅଧିନକୁ ଆଣିଥିଲେ । ଏହାସହ ନିଜସ୍ୱ ସରକାର ଗଠନ କରିଥିଲେ ।

ଭାରତଛାଡ ଆନ୍ଦୋଳନ ଆରମ୍ଭ ହେବା ମାତ୍ରେ କଂଗ୍ରେସର ଆଗଧାଡିର ନେତାମାନେ ଗିରଫ ହୋଇଥିଲେ । ଆନ୍ଦୋଳନ ନେତୃତ୍ୱହୀନ ହେବାକୁ ବସିଥିଲା । କିନ୍ତୁ ଏହାର ମଙ୍ଗ ଧରିଥିଲେ ଅନେକ ଆଞ୍ଚଳିକ ସ୍ତରର ନେତା । ନୂଆ ମୁହଁ ହୋଇ ବ୍ରିଟିଶ ସରକାରକୁ ପାଣି ପିଆଇ ଦେଇଥିଲେ । ଲକ୍ଷ ଲକ୍ଷ ସାଧାରଣ ଲୋକେ ଏକାଠି ହୋଇ ବ୍ରିଟିଶ ଅତ୍ୟାଚାର ବିରୋଧରେ ଶେଷ ଲଢେଇ ଲଢିଥିଲେ । ଗାଁ ଗାଁରେ ଆନ୍ଦୋଳନ ହୋଇଥିଲା । ଶ୍ରମିକ, କୃଷକ, ଆଦିବାସୀ ଏକାଠି ହୋଇ ସଂଗ୍ରାମ କରିଥିଲେ । ଏହା ଭିତରୁ କିଛି ଆନ୍ଦୋଳନ କମ୍ ଦିନ ଚାଲିଥିଲା ଏବଂ ଆଉ କିଛି ଅଧିକ ଦିନ । କିନ୍ତୁ ଏହା ଥିଲା ଗୋରା ସରକାରର ପତନର ପ୍ରମୁଖ କାରଣ । ଯାହା ପାଇଁ ଆଜି ଭାରତ ପାଳୁଛି ତାର ୮୦ ତମ ସ୍ୱାଧୀନତା ଦିବସ