ମୁମ୍ଵାଇ ୧୫।୦୯; ତାମିଲନାଡୁ ମୁଖ୍ୟମନ୍ତ୍ରୀ ତଥା ସୁପରଷ୍ଟାର୍ ବିଜୟ ଥାଲାପତି ଏବଂ ଅଭିନେତ୍ରୀ ତ୍ରିଶା କ୍ରିଷ୍ଣନଙ୍କ ଭିତରେ ଚାଲିଥିବା ପ୍ରେମ ସଂପର୍କ ବିଷୟରେ ଆଉ କାହାକୁ ଅଛପା ନାହିଁ । ପୂର୍ବରୁ ଗୁଜବ ବୋଲି କୁହାଯାଉଥିଲେ ବି ବିଜୟଙ୍କ ଅନେକ ପ୍ରୋଗ୍ରାମରେ ଉପସ୍ଥିତ ରହି ତ୍ରିଶା ସବୁ ରହସ୍ୟରୁ ପରଦା ହଟାଇ ଦେଇଛନ୍ତି । କହିବାକୁ ଗଲେ ଖୁଲମ୍ ଖୁଲା ପ୍ୟାର୍ ଜାହିର୍ କରୁଛନ୍ତି ଏହି ଦୁଇ ଲଭବାର୍ଡ। କେତେବେଳେ ପାର୍ଟି ତ ଆଉ କେତେବେଳେ ରାଜନୈତିକ କାର୍ଯ୍ୟକ୍ରମ ଦୁହେଁ ଏକାଠି ନଜର ଆସୁଛନ୍ତି । ବର୍ତ୍ତମାନ ପୁଣିଥରେ ଏହି ଲଭ୍ବାର୍ଡ଼ଙ୍କୁ ଲଣ୍ଡନରେ ସ୍ପଟ୍ କରାଯାଇଛି। ଦୁହେଁ କାର୍ ରେସିଂ ଉପଭୋଗ କରୁଥିବାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ।

ଏହି ଲଭ୍ବାର୍ଡଙ୍କୁ ସେତେବେଳେ ସ୍ପଟ୍ କରାଯାଇଥିଲା ଯେତେବେଳେ ଦକ୍ଷିଣ ଭାରତର ବରିଷ୍ଠ ଅଭିନେତା ତଥା ରେସର୍ ଅଜିଥ୍ କୁମାରଙ୍କର ଏକ ସ୍ୱତନ୍ତ୍ର ରେସିଂ ଆରମ୍ଭ ହୋଇଥିଲା । ଲଣ୍ଡନର ପ୍ରସିଦ୍ଧ ସିଲଭରଷ୍ଟୋନ୍ ରେସିଂ ଟ୍ରାକରେ ଅଜିଥ୍ କୁମାରଙ୍କୁ ଚିୟର୍ କରିବାକୁ ପହଂଚିଥିଲେ ସି ଜୋଶେଫ୍ ବିଜୟ । ଅଜିଥଙ୍କୁ ଦେଖିବା ମାତ୍ରେ ବିଜୟ କୁନିପିଲାଙ୍କ ପରି ଦୌଡ଼ି ଦୌଡ଼ି ଯାଇ ତାଙ୍କୁ ଆଲିଙ୍ଗନ କରିଥିଲେ ଏବଂ ରେସ୍ ଜିତିବା ପାଇଁ ଅଲ୍ ଦି ବେଷ୍ଟ୍ ବୋଲି କହିଥିଲେ । ଲଣ୍ଡନରେ ଅନୁଷ୍ଠିତ ମିଶେଲିନ୍ ଲେ ମ୍ୟାନ୍ସ କପ୍ର ସିଲଭରଷ୍ଟୋନ୍ ରାଉଣ୍ଡରେ ଅଂଶଗ୍ରହଣ କରିଥିଲେ ଅଜିଥ୍ ।

ଇଭେଣ୍ଟ ଆୟୋଜକମାନେ କହିଛନ୍ତି ଯେ ବିଜୟ ଏହି ଇଭେଣ୍ଟରେ ମୁଖ୍ୟ ଅତିଥି ଭାବେ ସବୁଜ ପତାକା ଦେଖାଇ ୪୪ଟି କାର୍ ଗ୍ରିଡର ଅଫିସିଆଲ୍ ଶୁଭାରମ୍ଭ କରିଥିଲେ । ଅଜିଥ୍ କହିଛନ୍ତି ଯେ ବିଜୟ ନିଜର ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ସତ୍ତ୍ୱେ ସେମାନଙ୍କୁ ଭେଟିବାକୁ ଆସିଥିଲେ । ଗତ ୩୪ ବର୍ଷ ଧରି ସେମାନେ ଚଳଚ୍ଚିତ୍ର ଜଗତରେ ଏକାଠି କାମ କରିଆସୁଛନ୍ତି ଏବଂ ବିଜୟ ମୁଖ୍ୟମନ୍ତ୍ରୀ ହୋଇଥିବାରୁ ଅଜିଥ୍ ନିଜର ଖୁସି ପ୍ରକାଶ କରିଛନ୍ତି । ଅନ୍ୟପଟେ ଏହି ରେସିଂ ଉପଭୋଗ କରିବାକୁ ବିଜୟ ଏକାକୀ ଲଣ୍ଡନ୍ ଯାଇନଥିଲେ ବରଂ ସାଙ୍ଗରେ ନେଇଯାଇଥିଲେ ନିଜ ବାନ୍ଧବୀ ତ୍ରିଶାଙ୍କୁ । ଏହାର କିଛି ଭିଡିଓ ଏବେ ସୋସିଆଲ୍ ମିଡିଆରେ ଖୁବ୍‌ ଭାଇରାଲ୍ ହେଉଛି । ୟୁଜର୍ସମାନେ ତ୍ରିଶା ଏବଂ ବିଜୟଙ୍କ ଭିତରେ ଥିବା ସଂପର୍କକୁ ନେଇ ପୁଣିଥରେ ଗସିପ  ଆରମ୍ଭ କରିଦେଲେଣି।