ମୁମ୍ଵାଇ ୧୬।୦୮; ଦକ୍ଷିଣ ଭାରତୀୟ ସିନେ ଜଗତର ଦୁଇ ସୁପରଷ୍ଟାର ଥାଲାପାଥି ବିଜୟ ଏବଂ ତ୍ରିଷା କୃଷ୍ଣନ। ଦୁହିଁଙ୍କୁ ନେଇ ଚର୍ଚ୍ଚା ଲାଗି ରହିଛି। କିନ୍ତୁ ଚେନ୍ନାଇର ଫୋର୍ଟ ସେଣ୍ଟ ଜର୍ଜରେ ଆୟୋଜିତ ସ୍ୱାଧୀନତା ଦିବସ ସମାରୋହରେ ଯାହା ଦେଖିବାକୁ ମିଳିଲା, ତାହା ପ୍ରଶଂସକଙ୍କ ମନରେ ଅନେକ ନୂଆ ପ୍ରଶ୍ନ ସୃଷ୍ଟି କରିଛି । କେବଳ ଅଭିନୟ ନୁହେଁ, ବରଂ ବ୍ୟକ୍ତିଗତ ଜୀବନର ସମ୍ପର୍କକୁ ନେଇ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ଝଡ଼ ସୃଷ୍ଟି ହୋଇଛି ।

ଏହି କାର୍ଯ୍ୟକ୍ରମରେ ତ୍ରିଷାଙ୍କୁ ବେଶ୍ ଉତ୍ସାହିତ ଦେଖିବାକୁ ମିଳିଥିଲା। ତାମିଲନାଡୁ ରାଜନୀତିରେ ନୂଆ ପାଦ ଥାପିଥିବା ବିଜୟ ଯେତେବେଳେ ଜାତୀୟ ପତାକା ଉତ୍ତୋଳନ କରି ଜିପ୍ରେ ପରେଡ୍ ପରିଦର୍ଶନ କରୁଥିଲେ, ସେତେବେଳେ ପ୍ରଥମ ଧାଡ଼ିରେ ବସିଥିବା ତ୍ରିଷା ତାଙ୍କୁ ଦେଖି ଏକ ହସି ହସି କି ସାଲ୍ୟୁଟ୍ କରିଥିଲେ। ଏହି ଗୋଟିଏ ସେକେଣ୍ଡର ଭିଡିଓ ଏବେ ଇଣ୍ଟରନେଟରେ ଖୁବ୍ ଭାଇରାଲ ହେଉଛି।

ଏହି କାର୍ଯ୍ୟକ୍ରମରେ ତ୍ରିଷା ଏକା ନଥିଲେ, ବରଂ ତାଙ୍କ ମା’ ଉମା କୃଷ୍ଣନଙ୍କ ସହ ସେ ପହଞ୍ଚିଥିଲେ। ସବୁଠାରୁ ଚର୍ଚ୍ଚାର ବିଷୟ ହେଲା, ତ୍ରିଷା ସେଠାରେ ବିଜୟଙ୍କ ପିତାମାତାଙ୍କ ପାଖରେ ବସିଥିଲେ। ବିଜୟଙ୍କ ବାପା ଏସ୍.ଏ. ଚନ୍ଦ୍ରଶେଖର ଏବଂ ମା’ ଶୋଭା ଚନ୍ଦ୍ରଶେଖରଙ୍କ ସହ ତ୍ରିଷାଙ୍କ ହସଖୁସିର କଥାବାର୍ତ୍ତା ସମସ୍ତଙ୍କୁ ଚକିତ କରିଛି। ପ୍ରଶଂସକମାନେ ଅନୁମାନ କରୁଛନ୍ତି ଯେ, ତ୍ରିଷା ଏବେ କେବଳ ବିଜୟଙ୍କ ଜଣେ ସହ-ଅଭିନେତ୍ରୀ ନୁହନ୍ତି, ବରଂ ପରିବାରର ଜଣେ ଅତି ନିକଟତର ସଦସ୍ୟ ପାଲଟିଛନ୍ତି।

ଏହି ସମସ୍ତ ଘଟଣାକ୍ରମ ଭିତରେ ଜଣେ ବ୍ୟକ୍ତିଙ୍କ ଅନୁପସ୍ଥିତି ସମସ୍ତଙ୍କୁ ଖଟକୁଛି, ସେ ହେଉଛନ୍ତି ବିଜୟଙ୍କ ପତ୍ନୀ ସଙ୍ଗୀତା। ଦୀର୍ଘ ଦିନ ଧରି ବିଜୟ ଏବଂ ସଙ୍ଗୀତାଙ୍କ ମଧ୍ୟରେ ସମ୍ପର୍କ ଭଲ ନଥିବା ନେଇ ଗୁଜବ ଶୁଣିବାକୁ ମିଳୁଥିଲା। ଏହି ଗୁରୁତ୍ୱପୂର୍ଣ୍ଣ ସମାରୋହରେ ସଙ୍ଗୀତାଙ୍କ ଅନୁପସ୍ଥିତି ଏବଂ ସେହି ସ୍ଥାନରେ ତ୍ରିଷାଙ୍କ ଉପସ୍ଥିତି ଲୋକଙ୍କୁ ପ୍ରଶ୍ନ କରିବାକୁ ବାଧ୍ୟ କରିଛି - "ସଙ୍ଗୀତା ଭାଉଜ କେଉଁଠି? କ’ଣ ସତରେ ବିଜୟ ଏବଂ ତ୍ରିଷାଙ୍କ ମଧ୍ୟରେ କିଛି ନୂଆ ସମ୍ପର୍କ ଗଢ଼ି ଉଠୁଛି?

ତେବେ ଏହି ଭାଇରାଲ ଭିଡିଓ ଏବଂ ଚର୍ଚ୍ଚା ଉପରେ ଉଭୟ ଚୁପ୍ ରହିଛନ୍ତି। କିନ୍ତୁ ସାଲ୍ୟୁଟ୍ କରିବାର ସେହି ଷ୍ଟାଇଲ୍ ଏବଂ ପରିବାର ସହ ସେହି ହସଖୁସି ଏବେ ତାମିଲନାଡୁର ସିନେମା ଜଗତଠାରୁ ଆରମ୍ଭ କରି ରାଜନୀତି ପର୍ଯ୍ୟନ୍ତ ସବୁଠି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛି । ସମୟ ହିଁ କହିବ, ଏହା କେବଳ ବନ୍ଧୁତା ନା ଏହା ପଛରେ ରହିଛି ଆଉ କିଛି ବଡ଼ କାହାଣୀ!