ବଡ଼ବିଲ ୨୭।୫: ଲାଞ୍ଚ ନେଉଥିବା ବେଳେ ମାଡି ବସିଲା ଭିଜିଲାନ୍ସ । ଭିଜିଲାନ୍ସ ଜାଲରେ କେନ୍ଦୁଝର ଜିଲ୍ଲା ଚମ୍ପୁଆ ଉପଖଣ୍ଡର ସହକାରୀ ଯୋଗାଣ ଅଧିକାରୀ (ACSO) ଧୁମାରାମ ମୁର୍ମୁ । ୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡ଼ି ବସିଲା ଭିଜିଲାନ୍ସ ଟିମ୍ ।

ସୂଚନା ଅନୁଯାୟୀ, ଧାନକିଣାରେ ଭୂଇଁପୁର ଲ୍ୟାମ୍ପ୍ ଏମଡି ହିରାମୋହନ ନାଏକ ଲାଭ ପାଇଥିବା କହି ACSO ଧୂମାରାମ ମୁର୍ମୁ ତାଙ୍କଠାରୁ ୧୫ ହଜାର ଟଙ୍କା ଲାଞ୍ଚ ଦାବି କରୁଥିଲେ । ଅନ୍ୟ କୌଣସି ଉପାୟ ନପାଇ ହିରାମୋହନ ନାଏକ ଭିଜିଲାନ୍ସ ବିଭାଗ ସହ ଯୋଗାଯୋଗ କରିଥିଲେ । ପୂର୍ବ ଯୋଜନା ଅନୁସାରେ ବୁଧବାର ଚମ୍ପୁଆ ଯୋଗାଣ ବିଭାଗ କାର୍ଯ୍ୟାଳୟରେ ଆଗରୁ ଲୁଚି ରହିଥିଲେ ଭିଜିଲାନ୍ସ ଟିମ୍ । ହିରାମୋହନ ACSOଙ୍କ କାର୍ଯ୍ୟାଳୟକୁ ଲାଞ୍ଚ ଟଙ୍କା ଦେବା ପାଇଁ ଆସିଥିଲେ । ACSO ଧୂମାରାମ ମୁର୍ମୁଙ୍କ କାର୍ଯ୍ୟାଳୟରେ ଲାଞ୍ଚ ଟଙ୍କା କାରବାର ଚାଲିଥିବା ବେଳେ ଭିଜିଲାନ୍ସ ଟିମ୍ ଅଚାନକ ଚଢ଼ାଉ କରିଥିଲା । କାର୍ଯ୍ୟାଳୟ ଭିତରୁ ACSOଙ୍କୁ ଧରିଥିଲା ଭିଜିଲାନ୍ସ ଟିମ୍ । ଲାଞ୍ଚ ଟଙ୍କା ସହ ରଙ୍ଗେହାତ ଧରାପଡ଼ିବା ପରେ ତାଙ୍କୁ ଭିଜିଲାନ୍ସ ବିଭାଗ ପକ୍ଷରୁ ଗିରଫ କରାଯାଇଛି ।

Also Read:- ରାଜ୍ୟସଭାରେ ଆମର ମେଜରିଟି ହେଲାଣି, ଏବେ ଆଉ ଗୋଟିଏ ସିଟ୍ ବଢ଼ିବ

ଭିଜିଲାନ୍ସ ଟିମ୍ ଲାଞ୍ଚ ଟଙ୍କା ଜବତ କରିଥିବା ବେଳେ ଏ ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି । ଏଭଳି ଲାଞ୍ଚ କାରବାର ଘଟଣା ପୁରା ଚମ୍ପୁଆ ଅଞ୍ଚଳରେ ଚର୍ଚ୍ଚା ବିଷୟ ପାଲଟିଛି ।