ଭୁବନେଶ୍ବର ୨୭।୫: ଓଡ଼ିଶାରେ ରାଜ୍ୟସଭା ଉପନିର୍ବାଚନ ପାଇଁ ବାଜିଲା ବିଗୁଲ । ଜୁନ୍ ୧୮ ତାରିଖରେ ହେବ ରାଜ୍ୟସଭା ଉପନିର୍ବାଚନ । ଜୁନ୍ ୧ ତାରିଖରେ ପ୍ରକାଶ ପାଇବ ବିଜ୍ଞପ୍ତି । ଜୁନ୍ ୮ ନାମାଙ୍କନ ଦାଖଲର ଶେଷ ତାରିଖ । ୧୮ ଜୁନ୍‌ରେ ମତଦାନ ହେବ । ସେହିଦିନ ଫଳାଫଳ ପ୍ରକାଶ ପାଇବ ।

ରାଜ୍ୟସଭା ସଦସ୍ୟ ପଦରୁ ଦେବାଶିଷ ସାମନ୍ତରାୟଙ୍କ ଇସ୍ତଫା ପରେ ଖାଲି ପଡ଼ିଛି ଆସନ । ଗତ ୨୫ ତାରିଖରେ  ଦେବାଶିଷ ସାମନ୍ତରାୟ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ । ୨୬ ତାରିଖରେ ସେ ଦିଲ୍ଲୀରେ ବିଜେପି ଦଳରେ ସାମିଲ ହୋଇଥିଲେ । ତେଣୁ ଏହି ଆସନ ପାଇଁ ଦେବାଶିଷ ବିଜେପି ପକ୍ଷରୁ ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ପୂର୍ବରୁ ମମତା ମହନ୍ତ ଓ ସୁଜିତ କୁମାର ମଧ୍ୟ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇ ବିଜେପିରୁ ପ୍ରାର୍ଥୀ ହୋଇ ରାଜ୍ୟସଭାକୁ ଯାଇଛନ୍ତି । ଏହି ଦୁଇ ଜଣ ଯେଉଁ ଢଙ୍ଗରେ ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ମିଶିବା ପରେ ରାଜ୍ୟସଭା ଯାଇଥିଲେ । ଠିକ୍ ସେହି ଢଙ୍ଗରେ ଦେବାଶିଷ ସାମନ୍ତରାୟ ରାଜ୍ୟସଭା ଯିବେ ବୋଲି ଚର୍ଚ୍ଚା ଆଲୋଚନା ହେଉଛି ।  

Also Read:- ଖଣିଜ ଅଞ୍ଚଳରେ ସ୍ଥିତି ଆହୁରି ସଙ୍ଗୀନ ହେବ, ଭ୍ରାମ୍ୟମାଣ ହିଟ୍ୱେଭ ଶେଲଟର ନିର୍ମାଣ ପାଇଁ ନିଷ୍ପତ୍ତି

ଏ ପ୍ରସଙ୍ଗରେ ରାଜ୍ୟ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ରାଜ୍ୟସଭାରେ ଆମର ସଂଖ୍ୟା ଗରିଷ୍ଠତା ନଥିଲା ଏବେ ଆମର ମେଜରିଟି ହେଲାଣି ଏବେ ଆଉ ଗୋଟେ ସିଟ୍ ବଢିବ । ବିଜେଡିରେ କ୍ଷମତା ହିଁ ଫେଭିକଲ ଭଳି କାମ କରୁଥିଲା । କ୍ଷମତା ଗଲା ପରେ ବହୁ ଆଞ୍ଚଳିକ ଦଳ ମରିଛନ୍ତି । କିଏ ପ୍ରାର୍ଥୀ ହେବ ଦଳ ଚୂଡ଼ାନ୍ତ ନିଷ୍ପତ୍ତି ନେବ । ସୁଜିତ କୁମାର, ମମତା ମହନ୍ତ ଇସ୍ତଫା ଦେଇ ଆସିଥିଲେ ପୁଣି ରାଜ୍ୟସଭା ଗଲେ । ଯିଏ ଇସ୍ତଫା ଦେଇ ଆସିଛନ୍ତି ତାଙ୍କର ବି ସମ୍ଭାବନା ରହିଛି । କିନ୍ତୁ ଏନେଇ ଦଳ ବିଚାର କରିବ ବୋଲି ସୁରେଶ ପୂଜାରୀ କହିଛନ୍ତି ।