ନୂଆଦିଲ୍ଲୀ: ଚଣ୍ଡୀଗଡ଼ ପୁଲିସରେ କାର୍ଯ୍ୟରତ ଜଣେ ହେଡ୍ କନଷ୍ଟେବଳଙ୍କୁ ତାଙ୍କର ୧୮ ବର୍ଷୀୟ ପୁଅ ଗୁଳି କରି ହତ୍ୟା କରିଛି। ମୃତ ପୁଲିସ କର୍ମଚାରୀ ନୀତିନ୍ ସିଂହ ସେକ୍ଟର ୨୨ ସ୍ଥିତ ସରକାରୀ ଘରେ ରହୁଥିଲେ। ଗୁରୁବାର ସନ୍ଧ୍ୟାରେ ପୁଅ ଅର୍ମାନ ନିଜ ପ୍ରେମିକାଙ୍କୁ ତୁରନ୍ତ ବିବାହ କରିବା ପାଇଁ ଜିଦ୍ ଧରି ପରିବାର ଲୋକଙ୍କ ସହ ଝଗଡ଼ା କରିଥିଲା। ଭାରତରେ ପୁରୁଷଙ୍କ ବିବାହ ପାଇଁ ଆଇନଗତ ବୟସ ୨୧ ବର୍ଷ ହୋଇଥିବାରୁ, ୨୧ ବର୍ଷ ହେବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ନୀତିନ୍ ଓ ତାଙ୍କ ସ୍ତ୍ରୀ, ପୁଅକୁ ବୁଝାଇବାକୁ ଚେଷ୍ଟା କରିଥିଲେ। ଏହି କଥାରେ ଉତ୍ତେଜିତ ହୋଇ ଅର୍ମାନ ଏକ ଦେଶୀ ବନ୍ଧୁକରେ ନିଜ ବାପାଙ୍କ ମୁଣ୍ଡକୁ ଗୁଳି କରି ହତ୍ୟା କରିଥିଲା।

ଏହି କାଣ୍ଡ ଭିଆଇବା ପରେ ଅର୍ମାନ ନିଜ ମା'ଙ୍କ ବେକ ଚିପି ମାରିଦେବାକୁ ଉଦ୍ୟମ କରିଥିଲା । ମାତ୍ର ସେ କୌଣସି ପ୍ରକାରେ ଖସିଯାଇ ଛାତ ଉପରକୁ ପଳାଇ ପଡ଼ୋଶୀମାନଙ୍କୁ ସାହାଯ୍ୟ ପାଇଁ ଡାକିଥିଲେ। ପ୍ରାରମ୍ଭିକ ପର୍ଯ୍ୟାୟରେ ଅର୍ମାନ କୌଣସି ବାହାର ଲୋକ ଆସି ତାଙ୍କ ବାପାଙ୍କୁ ହତ୍ୟା କରିଥିବା ନେଇ ନାଟକ ରଚିବାକୁ ଚେଷ୍ଟା କରିଥିଲା । ପୁଲିସ ଘଟଣାସ୍ଥଳରୁ ବନ୍ଧୁକ ଜବତ କରିବା ସହ ଅଭିଯୁକ୍ତ ପୁଅକୁ ଗିରଫ କରି ଅଧିକ ତଦନ୍ତ ଜାରି ରଖିଛି।

ପୁଲିସ ଅଧିକାରୀ ସୁଦେଶ କୁମାର କହିଛନ୍ତି, ଅର୍ମାନ ତା’ ପ୍ରେମିକାଙ୍କୁ ନିଜ ଘରକୁ ଆଣିବା ପାଇଁ ବାପା-ମା'ଙ୍କ ଉପରେ ଚାପ ପକାଉଥିଲା । କିନ୍ତୁ ସେମାନେ ଏହି ଦାବିକୁ ପ୍ରତ୍ୟାଖ୍ୟାନ କରିଥିଲେ। ଏହାସହ ସେ ନିଜର ବିଭିନ୍ନ ଆବଶ୍ୟକତା ପୂରଣ ପାଇଁ ବାପା-ମା'ଙ୍କଠାରୁ ଟଙ୍କା ମଧ୍ୟ ମାଗୁଥିଲା ।  କୁମାର ଏହା ମଧ୍ୟ କହିଛନ୍ତି ଯେ, ନିଜ କର୍ମ ପାଇଁ ଅର୍ମାନ ମନରେ କୌଣସି ଅନୁଶୋଚନା ନଥିଲା।

ଜାମିନରେ ବାହାରିଥିଲା ଅର୍ମାନ
ଚଳିତ ବର୍ଷ ଆରମ୍ଭରେ ଏକ ଦୁର୍ଘଟଣାରେ ଗାଡ଼ି ମାଡ଼ି ଦୁଇ ଭାଇଙ୍କ ମୃତ୍ୟୁ ଘଟିଥିବା ମାମଲାରେ ଅର୍ମାନ ଜାମିନରେ ବାହାରେ ଥିଲା।ସେ ତା ସାଙ୍ଗଙ୍କ ମହିନ୍ଦ୍ରା ଥାର୍ ଗାଡ଼ି ଚଲାଉଥିବା ବେଳେ ମଣିମାଜ୍ରାଠାରେ ବାଇକରେ ଯାଉଥିବା ଦୁଇ ଭାଇଙ୍କୁ ଧକ୍କା ଦେଇଥିଲା । ଫଳରେ ଦୁଇ ଭାଇଙ୍କର ମୃତ୍ୟୁ ଘଟିଥିଲା। ଏହି ମାମଲାରେ ଅର୍ମାନଙ୍କୁ ଗିରଫ କରାଯାଇଥିଲା ଏବଂ ପରବର୍ତ୍ତୀ ସମୟରେ ସେ ଜାମିନରେ ଜେଲରୁ ବାହାରିଥିଲା ।