ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ଯୁବ ତାରକା ବୈଭବ ସୂର୍ଯ୍ୟବଂଶୀ ସାଧାରଣତଃ ନିଜର ଚୌକା-ଛକା ଏବଂ ବିସ୍ଫୋରକ ବ୍ୟାଟିଂ ପାଇଁ ଚର୍ଚ୍ଚାରେ ରହନ୍ତି। କିନ୍ତୁ ଏବେ ଶ୍ରୀଲଙ୍କା ମାଟିରେ ଖେଳାଯାଉଥିବା ତ୍ରିରାଷ୍ଟ୍ରୀୟ ସିରିଜ୍ରେ ସେ ଏକ ଭିନ୍ନ କାରଣ ପାଇଁ ବିବାଦକୁ ଆସିଛନ୍ତି। ଶ୍ରୀଲଙ୍କା-ଏ ବିପକ୍ଷ ମ୍ୟାଚରେ ଭାରତ-ଏ ଦଳର ପରାଜୟ ପରେ ବୈଭବ ବିରୋଧୀ ଦଳର ଖେଳାଳିଙ୍କ ସହ ପଡ଼ିଆ ମଝିରେ ହାତାହାତି ହୋଇଥିଲେ, ଯାହା ପରେ ଏବେ ତାଙ୍କ ଉପରେ ବ୍ୟାନ୍ ହେବାର ସଙ୍କଟ ଦେଖାଦେଇଛି।

କେମିତି ଆରମ୍ଭ ହେଲା ଝଗଡ଼ା ?

ସୁପର ଓଭରରେ ଶ୍ରୀଲଙ୍କା-ଏ ଦଳ ମ୍ୟାଚ୍ ଜିତିବା ପରେ ସେମାନଙ୍କ ଖେଳାଳିମାନେ ଅତ୍ୟନ୍ତ ଆକ୍ରମଣାତ୍ମକ ଢଙ୍ଗରେ ବିଜୟ ଉତ୍ସବ ମନାଇଥିଲେ। କିଛି ଶ୍ରୀଲଙ୍କା ଖେଳାଳି ବୈଭବଙ୍କ ସାମ୍ନାକୁ ଆସି ଚିଲାଇବାକୁ ଲାଗିଲେ। ଏହା ଦେଖି ୧୫ ବର୍ଷୀୟ ବୈଭବ ନିଜ ରାଗ ଉପରେ ନିୟନ୍ତ୍ରଣ ହରାଇଥିଲେ ଏବଂ ଶ୍ରୀଲଙ୍କାର ଜଣେ ଖେଳାଳିଙ୍କୁ ଧକ୍କା ମାରିଥିଲେ। ଜବାବରେ ସେହି ଖେଳାଳି ମଧ୍ୟ ବୈଭବଙ୍କୁ ଓଲଟା ଧକ୍କା ଦେଇଥିଲେ। ପରେ ଅନ୍ୟ ଖେଳାଳିମାନେ ମଝିରେ ପଶି ସ୍ଥିତି ସମ୍ଭାଳିଥିଲେ ମଧ୍ୟ ବୈଭବଙ୍କ ଅଡ଼ୁଆ ଏବେ ବଢ଼ିଯାଇଛି।

Also Read: IND A vs SL A: ନିରାଶ କଲେ ବୈଭବ, ସୁପର ଓଭରରେ ଶ୍ରୀଲଙ୍କାଠାରୁ ହାରିଲା ଭାରତ

ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିବ କେଉଁ ସଜା ?

ଆଇସିସିର ନିୟମ ଅନୁଯାୟୀ ମୈଦାନରେ କୌଣସି ଖେଳାଳିଙ୍କୁ ଶାରୀରିକ ଭାବେ ଧକ୍କା ମାରିବା ଏକ ବଡ଼ ଅପରାଧ। ଏଭଳି ପରିସ୍ଥିତିରେ ଖେଳାଳିଙ୍କ ଉପରେ ମ୍ୟାଚ୍ ଫି' କାଟିବା ସହ ବ୍ୟାନ୍ ମଧ୍ୟ ଲଗାଯାଇପାରେ। ଆଇସିସି ନିୟମାବଳୀର ୪ଟି ସ୍ତର ଅନୁସାରେ ଦଣ୍ଡ ମିଳିଥାଏ।

ଲେଭଲ୍ ୧: ଯଦି ଧକ୍କାମୁକ୍କା ସାଧାରଣ ଧରଣର ହୋଇଥାଏ, ତେବେ କେବଳ ଚେତାବନୀ ଦିଆଯାଏ, ମ୍ୟାଚ୍ ଫି' କଟାଯାଏ ଏବଂ ଏକ ଡିମେରିଟ୍ ପଏଣ୍ଟ ମିଳେ।

ଲେଭଲ୍ ୨: ଯଦି ଜଣେ ଖେଳାଳି ଜାଣିଶୁଣି ଅନ୍ୟକୁ ଧକ୍କା ମାରେ, ତେବେ ତାଙ୍କୁ ୨ ରୁ ୪ଟି ଡିମେରିଟ୍ ପଏଣ୍ଟ ଦିଆଯାଏ। ଏହାସହ ୧ ରୁ ୨ଟି ମ୍ୟାଚ୍ ପାଇଁ ବ୍ୟାନ୍ କରାଯାଏ।

ଲେଭଲ୍ ୩ ଏବଂ ୪: ଯଦି ଧକ୍କା ଯୋଗୁଁ ସାମ୍ନା ଖେଳାଳି ଆହତ ହୁଅନ୍ତି, ତେବେ ଏହାକୁ ହିଂସା ଶ୍ରେଣୀରେ ରଖାଯାଇ କିଛି ମାସ ବା ସମ୍ପୂର୍ଣ୍ଣ ସିଜନ୍ ପାଇଁ ବ୍ୟାନ୍ କରାଯାଏ।

ବୈଭବଙ୍କ କ୍ଷେତ୍ରରେ କେହି ଆହତ ହୋଇ ନ ଥିବାରୁ, ତାଙ୍କ ଉପରେ ଲେଭଲ୍ ୨ ଆଧାରରେ ୧ କିମ୍ବା ୨ଟି ମ୍ୟାଚର ବ୍ୟାନ୍ ଲାଗିବା ଆଶଙ୍କା ଅଧିକ ରହିଛି।

Also Read: ବୈଭବ ସୂର୍ଯ୍ୟବଂଶୀ ପୁଣି ବିଫଳ : ଖେଳି ପାରିଲେନି ୧୫ଟି ବଲ୍...ଇଂଲଣ୍ଡ ଗସ୍ତରୁ ବିଦା କରିଦେବ କି BCCI ?

ଅମ୍ପାୟାରଙ୍କ ସହ ଲଢ଼ିଲେ ଅଧିନାୟକ ତିଲକ ବର୍ମା !

ଏହି ମ୍ୟାଚରେ କେବଳ ବୈଭବ ନୁହଁନ୍ତି, ବରଂ ଦଳର ଅଧିନାୟକ ତିଲକ ବର୍ମା ମଧ୍ୟ ଅମ୍ପାୟାରଙ୍କ ସହ ଯୁକ୍ତିତର୍କ କରୁଥିବା ଦେଖିବାକୁ ମିଳିଥିଲା। ମ୍ୟାଚ୍ ଟାଇ ହେବା ପରେ ସମୟ ଶେଷ ହୋଇଯାଇଥିବାରୁ ଅମ୍ପାୟାରମାନେ ସୁପର ଓଭର ଚାହୁଁ ନ ଥିଲେ, କିନ୍ତୁ ତିଲକ ସୁପର ଓଭର ପାଇଁ ଜିଦ୍ ଧରିଥିଲେ।

ଏହାପରେ ସୁପର ଓଭରର ଶେଷ ବଲକୁ ନେଇ ମଧ୍ୟ ବିବାଦ ହୋଇଥିଲା। ଅରଶଦ ଖାନଙ୍କ ବଲ୍କୁ ଅମ୍ପାୟାର ପ୍ରଥମେ ନୋ-ବଲ୍ ଦେଇନଥିଲେ, କିନ୍ତୁ ପରେ ନିଜ ନିଷ୍ପତ୍ତି ବଦଳାଇ ନୋ-ବଲ୍ ଦେଇଥିଲେ। ଏହାକୁ ନେଇ ତିଲକ ପୁଣିଥରେ ଅମ୍ପାୟାରଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରିଥିଲେ। ତିଲକଙ୍କ ଏଭଳି ଆଚରଣ ପାଇଁ ମ୍ୟାଚ୍ ରେଫରୀ ତାଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରନ୍ତି।