ନୂଆଦିଲ୍ଲୀ,୧୨|୦୬:ଭାରତୀୟ ଦଳର ଷ୍ଟାର୍ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ । ଦଳର ସିନିୟର ଟିମରେ ସ୍ଥାନ ପାଇଛନ୍ତି ସେ । ନିଜ ଦମଦାର ବ୍ୟାଟିଂ ବଳରେ ସିଲେକ୍ଟରଙ୍କୁ କରିଛନ୍ତି ଇମ୍ପ୍ରେସ୍ । ଫଳରେ ଆୟାରଲ୍ୟାଣ୍ଡ ଏବଂ ଇଂଲଣ୍ଡ ବିପକ୍ଷ୨୦ ସିରିଜ୍ ପାଇଁ ତାଙ୍କୁ ଚାନ୍ସ୍ ମିଳିଛି । ଖୁବ୍ ଶୀଘ୍ର ସେ ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିବାକୁ ଯାଉଛନ୍ତି । ତେବେ ତାଙ୍କର ପଦାର୍ପଣ ଉପରେ ଖେଳିଯାଇଛି ସଙ୍କଟ ।

କୁହାଯାଉଛି ଯେ, ବୈଭବଙ୍କୁ ପଦାର୍ପଣ କରିବା ପାଇଁ ଅଧିକ ସମୟ ଅପେକ୍ଷା କରିବାକୁ ପଡିପାରେ । ଆୟାରଲ୍ୟାଣ୍ଡର ଓ୍ୱେଲଫାଷ୍ଟରେ ଦେଖାଦେଇଥିବା ହିଂସା ହିଁ ଏହା ପଛର ବଡ କାରଣ । ଏହା ଫଳରେ ଭାରତର ଟି୨୦ ସିରିଜ୍ ଉପରେ ଅନିଶ୍ଚିତତା ଦେଖାଦେଇଛି । ପରିସ୍ଥିତି ଉପରେ ବିସିସିଆଇ ନଜର ରଖିଛି । ଯଦି ସ୍ଥିତି ନସୁଧୁରେ ତାହାଲେ ଅନ୍ୟ ଜାଗାକୁ ମ୍ୟାଚ୍ ସ୍ଥାନାନ୍ତର କରାଯାଇପାରେ । ଆହୁରି ଅନେକ ବିକଳ୍ପ ମଧ୍ୟ ରହିଛି ।

Also Read :-ଟିମ୍ ଇଣ୍ଡିଆକୁ ଫେରିଲେ ହିଟମ୍ୟାନ, ଆଫଗାନିସ୍ତାନ ସିରିଜ୍ ପୂର୍ବରୁ ନେଟ୍ସରେ କଲେ ଝାଳବୁହା ଅଭ୍ୟାସ

ଭାରତ ଏବଂ ଆୟାରଲ୍ୟାଣ୍ଡ ମଧ୍ୟରେ ଜୁନ ୨୬ ଏବଂ ୨୮ ତାରିଖରେ ଓ୍ୱେଲଫାଷ୍ଟର ଷ୍ଟମର୍ଟ୍ କ୍ରିକେଟ୍ ଗ୍ରାଉଣ୍ଡରେ ମୁକାବିଲା ଖେଳାଯିବ । ଏହା ବୈଭବ ସୂର୍ଯ୍ୟବଂଶୀଙ୍କ ପାଇଁ ଐତିହାସିକ ସିରିଜ୍ ହେବ । କାରଣ ସେ ସିନିୟର ଟିମରେ ପଦାର୍ପଣ କରିବେ । ଯଦି ତାଙ୍କୁ ସୁଯୋଗ ମିଳେ ତାହାଲେ ମାତ୍ର ୧୫ ବର୍ଷ ବୟସରେ ସେ ଭାରତ ତରଫରୁ ଅନ୍ତରାଷ୍ଟ୍ରୀୟ ମ୍ୟାଚ୍ ଖେଳିବେ । ଏହାଦ୍ୱାରା ସର୍ବକନିଷ୍ଠ ଖେଳାଳି ହେବାର କୀର୍ତ୍ତିମାନ ସ୍ଥାପନା କରିବେ ।

ହିଂସା ପାଇଁ ଚିନ୍ତା

ଓ୍ୱେଲଫାଷ୍ଟରେ ଦିନକୁ ଦିନ ହିଂସା ବୃଦ୍ଧି ପାଇବାରେ ଲାଗିଛି । ସ୍ଥାନୀୟ ଲୋକେ ଘର ଛାଡି ପଳାୟନ କରୁଛନ୍ତି । ଅନେକ ଗାଡିକୁ ଭାଙ୍ଗିରୁଜି ଦିଆଯାଇଛି । କ୍ରିକେଟ୍ ଆୟାରଲ୍ୟାଣ୍ଡ ମଧ୍ୟ ସ୍ଥିତି ଉପରେ ନଜର ରଖିଛି ।

କ୍ରିକେଟ୍ ଆୟରଲ୍ୟାଣ୍ଡ୍ କହିଛି ଯେ, ଓ୍ୱେଲଫାଷ୍ଟରେ ଯାହା ଘଟୁଛି ତାହା ଉପରେ ସେମାନେ ଲଗାତାର ନଜର ରଖିଛନ୍ତି । ଏଠାକାର ସ୍ଥିତି ଅଶାନ୍ତ ରହିଛି । ଖେଳାଳି, କୋଚ୍ ଏବଂ ଦର୍ଶକଙ୍କ ସୁରକ୍ଷା ସବୁଠୁ ଅଧିକ ପ୍ରାଥମିକତା ଅଟେ । ବୋର୍ଡର ଅଧିକାରୀ ସ୍ଥାନୀୟ ପ୍ରଶାସନ ସହ ଆଲୋଚନା କରୁଛନ୍ତି ।

ସୂଚନାଯୋଗ୍ୟ, ବୈଭବ ଏଥର ଆନ୍ତରାଷ୍ଟ୍ରୀୟ ସ୍ତରରେ ମଧ୍ୟ ଦମଦାର୍ ବ୍ୟାଟିଂ କରିବେ ବୋଲି ଫ୍ୟାନ୍ସ ଆଶା ରଖିଛନ୍ତି । ଗତ ଆଇପିଏଲରେ ସେ ୭୭୬ ରନ୍ ସଂଗ୍ରହ କରିଥିଲେ । ତାଙ୍କର ଷ୍ଟ୍ରାଇକ୍ ରେଟ୍ ଥିଲା ୨୩୭ । ଏହାସହ ତାଙ୍କୁ ଅରେଞ୍ଜ୍ କ୍ୟାପ୍ ମଧ୍ୟ ମିଳିଥିଲା ।