ମୋହାଲି: ଭାରତୀୟ ଦିନିକିଆ କ୍ରିକେଟ୍ ଦଳକୁ ଫେରିଛନ୍ତି ଅଧିନାୟକ ରୋହିତ ଶର୍ମା। ଆଫଗାନିସ୍ତାନ ବିପକ୍ଷ ସିରିଜ୍ ପୂର୍ବରୁ ବୁଧବାର ଦିନ ରୋହିତ ନେଟ୍ସରେ ଝାଳବୁହା ଅଭ୍ୟାସ କରିଛନ୍ତି। ଦଳରେ ଅନେକ ଯୁବ ତାରକା ଉପସ୍ଥିତ ଥିଲେ ମଧ୍ୟ ସମସ୍ତଙ୍କ ନଜର କେବଳ 'ହିଟମ୍ୟାନ'ଙ୍କ ଉପରେ ହିଁ ରହିଥିଲା। ଭାରତୀୟ ଦଳର ବସ୍ ଷ୍ଟାଡିୟମରେ ପହଞ୍ଚିବା ପୂର୍ବରୁ ହିଁ ହଜାର ହଜାର ପ୍ରଶଂସକ ଆଇ.ଏସ. ବିନ୍ଦ୍ରା ଷ୍ଟାଡିୟମ ପରିସରରେ ଭିଡ଼ ଜମାଇଥିଲେ। କିଛି ଦିନ ହେବ କ୍ରିକେଟଠାରୁ ଦୂରରେ ଥିବାରୁ ରୋହିତଙ୍କ ଫିଟନେସକୁ ନେଇ ଚର୍ଚ୍ଚା ଚାଲିଥିଲା, ଯାହାର ଜବାବ ସେ ଆଜି ପଡ଼ିଆରେ ଦେଇଛନ୍ତି।

ଟ୍ରେନିଂ ସେସନରେ ଭାରତୀୟ ଟି୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଓ ୟଶସ୍ୱୀ ଜୈସୱାଲଙ୍କ ସମେତ ଗୁରନୁର ବ୍ରାର, ପ୍ରିନ୍ସ ଯାଦବ ଏବଂ ହର୍ଷ ଦୁବେଙ୍କ ଭଳି ଯୁବ ଖେଳାଳିମାନେ ଅଭ୍ୟାସ କରୁଥିଲେ। କିନ୍ତୁ ୩୯ ବର୍ଷୀୟ ରୋହିତ ଶର୍ମା ପଡ଼ିଆକୁ ଓହ୍ଲାଇବା ମାତ୍ରେ ପୂରା ମାହୋଲ ବଦଳି ଯାଇଥିଲା।

ଫିଟନେସ୍ ଉପରେ ଗୁରୁତ୍ଵ

ରୋହିତ ପ୍ରଥମେ ବ୍ୟାଟିଂ ନକରି ଦଳର ଷ୍ଟ୍ରେନ୍ଥ ଆଣ୍ଡ କଣ୍ଡିସନିଂ କୋଚ୍ ଏଡ୍ରିଆନ୍ ଲେ ରୁକ୍ସଙ୍କ ସହ କିଛି ସମୟ ଆଲୋଚନା କରିଥିଲେ। ଏହା ପରେ ସେ ୱାର୍ମ-ଅପ୍ ପାଇଁ ହାଲୁକା ଦୌଡ଼ିବା ଆରମ୍ଭ କରିଥିଲେ। ୱାର୍ମ-ଅପ୍ ସମୟରେ ୱିକେଟକିପର ବ୍ୟାଟର ଈଶାନ କିଷନ ମଧ୍ୟ ତାଙ୍କ ସହ ଥିଲେ। ରୋହିତ କିଛି ସମୟ ଦୌଡ଼ିବା ପରେ ବ୍ୟାଟିଂ ଆରମ୍ଭ କରିଥିଲେ।

Also Read: ଜୋ ରୁଟଙ୍କ ହାତରୁ ଖସିଲା ନମ୍ବର-୧ ଆସନ, ଶୀର୍ଷରେ ହ୍ୟାରୀ ବ୍ରୁକ୍; ଶୁଭମନ ଗିଲଙ୍କୁ ବଡ଼ ଫାଇଦା

ନେଟ୍‌ରେ ହିଟମ୍ୟାନଙ୍କ ଜଲୱା

ରୋହିତ ଶର୍ମା ପ୍ରାୟ ଏକ ଘଣ୍ଟା ଧରି ଉଭୟ ଦ୍ରୁତ ବୋଲର ଏବଂ ସ୍ପିନରମାନଙ୍କ ବଲକୁ ସାମ୍ନା କରିଥିଲେ। ଆରମ୍ଭର ବ୍ରେକ୍ ପରେ ଫେରିଥିବା ରୋହିତ ଟିକେ ଅସହଜ ମନେ ହେଉଥିଲେ ଏବଂ ବଡ଼ ସଟ୍ ଖେଳିବା ବଦଳରେ ଟାଇମିଂ ଉପରେ ଧ୍ୟାନ ଦେଉଥିଲେ। ଅର୍ଶଦୀପ ସିଂଙ୍କ ଏକ ବଲ୍କୁ ସେ ନିଜର ସିଗ୍ନେଚର 'ଫ୍ଲିକ୍ ଶଟ୍' ଜରିଆରେ ଡିପ୍ ମିଡୱିକେଟ୍ ଉପର ଦେଇ ବାଉଣ୍ଡ୍ରି ପାର୍ କରାଇଥିଲେ।

ରୋହିତ ଶର୍ମା ନେଟ୍ସରେ ସ୍ପିନରଙ୍କୁ ସହଜରେ ଖେଳୁଥିବା ଦେଖିବାକୁ ମିଳିଥିଲା। ବୁଧବାରର ଏହି ଅଭ୍ୟାସ ସେସନରୁ ଏହା ସ୍ପଷ୍ଟ ହୋଇଛି ଯେ, ରୋହିତ ନିଜର ପୁରୁଣା ଫର୍ମକୁ ଫେରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ଏବଂ ଆଗାମୀ ମ୍ୟାଚ୍ ଗୁଡ଼ିକରେ ଆଫଗାନିସ୍ତାନ ବୋଲରଙ୍କ ପାଇଁ ସେ ମୁଣ୍ଡବିନ୍ଧାର କାରଣ ସାଜିବେ।