ନୂଆଦିଲ୍ଲୀ,|୦୭:ଡେବ୍ୟୁ କରିଛନ୍ତି ବୈଭବ ସୂର୍ଯ୍ୟବଂଶୀ । ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟି୨୦ରେ ସେ ଖେଳିଛନ୍ତି । କିନ୍ତୁ ରନ୍ କରିବାରେ ବିଫଳ ହୋଇଛନ୍ତି ୧୫ ବର୍ଷୀୟ ବ୍ୟାଟର । ସେ ମାତ୍ର ୧୪ ରନ୍ କରି ପ୍ୟାଭିଲିୟନ ଫେରିଛନ୍ତି । ତଥାପି ତାଙ୍କର ଷ୍ଟ୍ରାଇକ୍ ରେଟ୍ ୧୪୦ ରହିଛି । କାରଣ ମୁକାବିଲାରେ ସେ ଖେଳିଥିବା ପ୍ରଥମ ବଲରେ ବିଶାଳ ଛକା ମାରିଥିଲେ । ଯାହା ସମସ୍ତଙ୍କୁ ଚକିତ କରିଦେଇଛି ।

ମ୍ୟାଚରେ ଡେବ୍ୟୁ କରିବା ପରେ ଭାରତ ତରଫରୁ ସର୍ବକନିଷ୍ଠ କ୍ରିକେଟର ଭାବେ ସେ ରେକର୍ଡ କରିଛନ୍ତି । ଏହାସହ ସଚିନ ତେନ୍ଦୁଲକରଙ୍କ ରେକର୍ଡ ମଧ୍ୟ ଭାଙ୍ଗି ଦେଇଛନ୍ତି । କିନ୍ତୁ କିଛି ଅଲୋଡା ରେକର୍ଡ ବି ତାଙ୍କ ନାଁରେ ଲିପିବଦ୍ଧ ହୋଇଯାଇଛି । ସେ ପଦାର୍ପଣ ଟି୨୦ରେ ଷ୍ଟମ୍ପ୍ ଆଉଟ୍ ହୋଇଛନ୍ତି । ଦୁଇଟି ଛକା ଲଗାଇବା ପରେ ସେ ଅଫ ସ୍ପିନର୍ ଓ୍ୱିଲ୍ ଜ୍ୟାକ୍ସଙ୍କ ବଲକୁ ବଡ ସଟ୍ ଖେଳିବାକୁ ଉଦ୍ୟମ କରୁଥିବା ବେଳେ ଆଉଟ୍ ହୋଇଥିଲେ ।

ତେବେ ପ୍ରଥମ ବ୍ୟାଟର ଭାବେ ସେ ଟି୨୦ ପଦାର୍ପଣ ମୁକାବିଲାରେ ଷ୍ଟମ୍ପ୍ ଆଉଟ୍ ହୋଇଛନ୍ତି । ପୂର୍ବରୁ କୌଣସି ଭାରତୀୟ ବ୍ୟାଟର ଏପରି ଆଉଟ୍ ହୋଇନଥିଲେ ।

Also Read :- ଇସ୍ରାଏଲ-ଆମେରିକା ସମ୍ପର୍କରେ ଫାଟ ! ନିଜକୁ ନେତନ୍ୟାହୁଙ୍କ 'ବସ୍' କହିଲେ ଟ୍ରମ୍ପ୍

ଏମିତି ଥିଲା ମ୍ୟାଚ୍

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍ ହରାଇ ୧୯୦ ରନ୍ର ଏକ ପ୍ରତିଦ୍ୱନ୍ଦ୍ୱିତାମୂଳକ ସ୍କୋର ଛିଡ଼ା କରିଥିଲା। ଏହି ମ୍ୟାଚ୍ ଜରିଆରେ ମାତ୍ର ୧୫ ବର୍ଷ ୯୯ ଦିନ ବୟସରେ ଭାରତ ପାଇଁ ଅନ୍ତର୍ଜାତୀୟ ଟି-୨୦ କ୍ରିକେଟ୍ରେ ପଦାର୍ପଣ କରି ବୈଭବ ସୂର୍ଯ୍ୟବଂଶୀ ଇତିହାସ ରଚିଛନ୍ତି। ସେ ଭାରତର ସର୍ବକନିଷ୍ଠ ଖେଳାଳି ଭାବେ ଡେବ୍ୟୁ କରିଛନ୍ତି।

ଓପନର ଅଭିଷେକ ଶର୍ମା ୪୩ ରନ୍ ଓ ଈଶାନ କିଶନ ୪୯ ରନ୍ର ଦ୍ରୁତ ଇନିଂସ ଖେଳିଥିବା ବେଳେ ଅଧିନାୟକ ଶ୍ରେୟସ ଆୟର ୩୭ ରନର ଯୋଗଦାନ ଦେଇଥିଲେ। ଶେଷ ଓଭରରେ ତିଳକ ବର୍ମା (୨୪ ରନ୍) ବିସ୍ଫୋରକ ବ୍ୟାଟିଂ କରି ଦଳୀୟ ସ୍କୋରକୁ ୧୯୦ରେ ପହଞ୍ଚାଇଥିଲେ।

ଇଂଲଣ୍ଡ ପକ୍ଷରୁ ସାମ କରନ୍ ସର୍ବାଧିକ ୩ଟି ୱିକେଟ୍ ଅକ୍ତିଆର କରି ଭାରତୀୟ ରନ୍ ଗତିକୁ ନିୟନ୍ତ୍ରଣ କରିଥିଲେ।୧୯୧ ରନ୍ର ପିଛା କରିଥିବା ଇଂଲଣ୍ଡ ଦଳ ଜାକବ ବେଥେଲଙ୍କ ଦମଦାର ୭୬ ରନ୍, ଟମ୍ ବାଣ୍ଟନ (୩୯ ରନ୍) ଏବଂ ହ୍ୟାରୀ ବ୍ରୁକଙ୍କ ଧୂଆଁଧାର ୩୯ ରନ୍ ବଳରେ ୧୯ ଓଭରରେ ୬ ୱିକେଟ୍ ହରାଇ ୧୯୧ ରନ୍ କରି ମ୍ୟାଚ୍ ଜିତି ନେଇଥିଲା। ସେମାନଙ୍କ ବ୍ୟତୀତ ଶେଷ ବେଳକୁ ଜୋଫ୍ରା ଆର୍ଚର ଅପରାଜିତ ୧୦ ରନ୍ କରି ଦଳର ବିଜୟରେ ବଡ଼ ଭୂମିକା ମଧ୍ୟ ନେଇଥିଲେ ।

ସେପଟେ ଭାରତ ପକ୍ଷରୁ ଅର୍ଶଦୀପ ସିଂହ ସର୍ବାଧିକ ୩ଟି ୱିକେଟ୍ ନେଇଥିଲେ ମଧ୍ୟ ଦଳକୁ ବିଜୟୀ କରାଇବାରେ ସଫଳ ହୋଇପାରିନଥିଲେ। ଆଜିର ମ୍ୟାଚରେ ରବି ବିଷ୍ଣୋଇ ୪ ଓଭବରରେ ୬୦ ରନ୍ ଦେଇଥିଲେ ସୁଦ୍ଧା ଗୋଟିଏ ବି ଓ୍ବିକେଟ ନେଇପାରି ନଥିଲେ । ହର୍ଷିତ ରାଣା, ଅକ୍ଷର ପଟେଲ ଏବଂ ବରୁଣ ଚକ୍ରବର୍ତ୍ତୀ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।