ନୂଆଦିଲ୍ଲୀ,୦୨|୦୭:ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳୁନି ଚାନ୍ସ । ଆୟରଲ୍ୟାଣ୍ଡ ଏବଂ ଇଂଲଣ୍ଡ ଗସ୍ତରେ ସେ ଦଳରେ ସାମିଲ ହୋଇଛନ୍ତି । ହେଲେ ବାରମ୍ବାର ନିରାଶ ହେଉଛନ୍ତି । ପୂର୍ବରୁ ଆୟରଲ୍ୟାଣ୍ଡ ବିପକ୍ଷରେ ତାଙ୍କୁ ସୁଯୋଗ ମିଳିନଥିଲା । ଏହି ସିରିଜରେ ଭାରତ ମାଟି କାମୁଡିଥିଲା । ୨-୦ରେ କ୍ଲିନ୍ ସ୍ୱିପ୍ ହୋଇଥିଲା ଟିମ୍ ଇଣ୍ଡିଆ । ଏହାପରେ ଇଂଲଣ୍ଡ ବିପକ୍ଷ ସିରିଜର ପ୍ରଥମ ଟି୨୦ରେ ମଧ୍ୟ ତାଙ୍କୁ ସୁଯୋଗ ମିଳିନି । ଯାହାକୁ ଅନେକ ସମାଲୋଚନା କରୁଛନ୍ତି ।

ଭାରତୀୟ ଦଳର ବିସ୍ମୟ ଖେଳାଳି ତଥା ବେବି ବସଙ୍କୁ ସୁଯୋଗ ମିଳୁ ନଥିବାରୁ ବର୍ଷିଛନ୍ତି ସୁନିଲ ଗାଭାସ୍କର । ସେ କହିଛନ୍ତି ଯେ, ୧୫ ବର୍ଷୀୟ ବାଳକଙ୍କୁ ଏତେ ସମୟ ଧରି ବସାଇବା ଠିକ୍ କଥା ନୁହେଁ । ଏହାଦ୍ୱାରା ତାଙ୍କ ଉପରେ ଚାପ ପଡିବ । ଫ୍ୟାନ୍ସମାନେ ତାଙ୍କଠାରୁ ବଡ ସ୍କୋର ଆଶା କରିବେ । ଯାହା ତାଙ୍କ ଉପରେ ଅତିରିକ୍ତ ଚାପ ପକାଇବ ।

ସେ ଆହୁରି କହିଛନ୍ତି ଯେ, ବୈଭବ ଏବେ ମାତ୍ର ୧୫ ବର୍ଷର ଅଟନ୍ତି । ସେ ଚାପ ବାବଦରେ ଏତେ କିଛି ଜାଣନ୍ତି ନାହିଁ । କିନ୍ତୁ ଅଧିକ ସମୟ ଧରି ବେଞ୍ଚରେ ବସାଇଲେ ସେ ଚିନ୍ତାରେ ରହିବେ । ସେ କେବଳ ସୁଯୋଗ ମିଳିଲେ ନିଜକୁ ତୁରନ୍ତ ପ୍ରମାଣିତ କରିବାକୁ ହେବ ବୋଲି ଭାବିବେ । ଯାହା ତାଙ୍କର ଫର୍ମ୍ ବିଗାଡିପାରେ ।

Also Read :- Road Accident: ଗଛରେ ପିଟିହେଲା ସ୍ପିଡ୍ ବାଇକ୍, ଚାଲିଗଲା ଦୁଇ ଯୁବକଙ୍କ ଜୀବନ

ଏବେ ବୈଭବ ଦଳରେ ରହି ସିନିଅର ଖେଳାଳିଙ୍କଠୁ ବହୁତ କିଛି ଶିଖିବା ଦରକାର । ତାଙ୍କ ବ୍ୟତୀତ ମଧ୍ୟ ଦଳରେ ବହୁତ ଭଲ ଖେଳାଳି ରହିଛନ୍ତି । ସିନିଅର ଖେଳାଳିଙ୍କ ମଧ୍ୟରେ ରହିବା କୌଣସି ଯୁବ କ୍ରିକେଟରଙ୍କ ପାଇଁ ବଡ କଥା । ଏହି ଅନୁଭବ ତାଙ୍କୁ ଭବିଷ୍ୟତରେ ମହାନ ବ୍ୟାଟର ଭାବେ ଗଢି ତୋଳିବ ବୋଲି ଗାଭାସ୍କର କହିଛନ୍ତି ।