ନୂଆଦିଲ୍ଲୀ: ଆଇପିଏଲ୍ ପରେ ଇଣ୍ଡିଆ ଏ' ପାଇଁ ଖେଳି ଦମ ଦେଖାଇଥିବା ବୈଭବ ସୂର୍ଯ୍ୟବଂଶୀଙ୍କୁ ଟିମ୍ ଇଣ୍ଡିଆ ଜର୍ସିରେ ଦେଖିବାକୁ ପ୍ରଂଶସକ ଆତୁର । ବୈଭବ ଖୁବଶୀଘ୍ର ଭାରତୀୟ ଜର୍ସିରେ ଖେଳୁଥିବାର ନଜର ଆସିପାରନ୍ତି । ଭାରତ ଶୁକ୍ରବାରଠାରୁ ଆୟରଲ୍ୟାଣ୍ଡ ବିପକ୍ଷରେ ଦୁଇଟି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳିବ ଏବଂ ଏହାପରେ ଇଂଲଣ୍ଡ ଗସ୍ତ କରିବ । ବୈଭବଙ୍କୁ ଆଗାମୀ ସିରିଜରେ ଭାରତ ପାଇଁ ପ୍ରଥମ ଥର ଖେଳିବାର ସୁଯୋଗ ମିଳିପାରେ । ତେବେ ସ୍କ୍ୱାଡର ଅଂଶ ହୋଇଥିଲେ ବି ସେ ଇଂଲଣ୍ଡ ବିପକ୍ଷ ସିରିଜ୍ ପାଇଁ କଟକଣା ରହିବ । ସେ ସବୁବେଳେ ଭାରତୀୟ ଡ୍ରେସିଂ ରୁମରେ ରହିପାରିବେ ନାହିଁ । ଏହା ପଛରେ ଆଇସିସି ଏବଂ ଇଂଲଣ୍ଡ କ୍ରିକେଟ ବୋର୍ଡ ଦ୍ୱାରା ଲାଗୁ କରାଯାଇଥିବା ସୁରକ୍ଷା ଓ ପ୍ରୋଟୋକଲ ନିୟମ ରହିଛି ।

ଇଂଲଣ୍ଡରେ ମିଳିବ ଅଲଗା ଚେଞ୍ଜିଂ ରୁମ

ଆଇସିସି ଏବଂ ଇଂଲଣ୍ଡ ଆଣ୍ଡ ୱେଲ୍ସ କ୍ରିକେଟ ବୋର୍ଡ ଦ୍ୱାରା ଲାଗୁ କରାଯାଇଥିବା ନିୟମ ଯୋଗୁଁ ବୈଭବ ସୂର୍ଯ୍ୟବଂଶୀ ଭାରତୀୟ ଡ୍ରେସିଂ ରୁମରେ ଦୀର୍ଘ ସମୟ ଉପସ୍ଥିତ ରହିପାରିବେ ନାହିଁ । ନିୟମ ଅନୁଯାୟୀ, ୧୬ ବର୍ଷରୁ କମ୍ ବୟସର ଖେଳାଳିଙ୍କୁ ଡ୍ରେସିଂ ରୁମକୁ ଯିବାକୁ ଅନୁମତି ନାହିଁ । ତେଣୁ ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କୁ ପ୍ରତ୍ୟେକ ଭେନ୍ୟୁରେ ଅଲଗା ଚେଞ୍ଜିଂ ରୁମ୍ ଦିଆଯିବ । 'ଦ ଗାର୍ଡିଆନ୍'ର ଏକ ରିପୋର୍ଟ ଅନୁସାରେ, ଯୁବ ଖେଳାଳିଙ୍କୁ କେବଳ ମ୍ୟାଚ୍ ଏବଂ ଟିମ୍ ମିଟିଂ ସମୟରେ ହିଁ ଦଳର ଡ୍ରେସିଂ ରୁମକୁ ଯିବାକୁ ଅନୁମତି ମିଳିବ । ଅନ୍ୟ ସମୟରେ ସେ ନିଜର ଅଲଗା ଚେଞ୍ଜିଂ ରୁମରେ ରହିବେ । ବିସିସିଆଇ ଆୟରଲ୍ୟାଣ୍ଡ ଏବଂ ଇଂଲଣ୍ଡ ଗସ୍ତରେ ବୈଭବ ସୂର୍ଯ୍ୟବଂଶୀଙ୍କ ବାପାମାଆଙ୍କୁ ସାଙ୍ଗରେ ଯିବାକୁ ଅନୁମତି ଦେଇଛି ।

ମ୍ୟାଚ୍ ଏବଂ ମିଟିଂରେ ରହିବେ ଉପସ୍ଥିତ

ରିପୋର୍ଟରେ କୁହାଯାଇଛି, "ସୂର୍ଯ୍ୟବଂଶୀଙ୍କୁ ମ୍ୟାଚ୍ ସମୟରେ ଭାରତୀୟ ଡ୍ରେସିଂ ରୁମକୁ ଯିବାକୁ ଅନୁମତି ମିଳିବ । ସେ ଟିମ୍ ମିଟିଂରେ ମଧ୍ୟ ସାମିଲ ହୋଇପାରିବେ । ଏହି କଟକଣା କେବଳ ମ୍ୟାଚ୍ ପୂର୍ବରୁ ଏବଂ ପରେ ଡ୍ରେସ୍ ବଦଳାଇବା ସମୟରେ ହିଁ ଲାଗୁ ହେବ । ଏଇ ବ୍ୟବସ୍ଥା ଇଂଲଣ୍ଡରେ ସାଧାରଣ ଅଟେ । ଇଂଲଣ୍ଡର କାଉଣ୍ଟି ଖେଳାଳି ମଧ୍ୟ ୧୬ ବର୍ଷ ହେବା ଯାଏ ଅଲଗା ଚେଞ୍ଜିଂ ରୁମ୍ ବ୍ୟବହାର କରନ୍ତି । କିନ୍ତୁ ସୂର୍ଯ୍ୟବଂଶୀଙ୍କ ପାଇଁ ଏହା ସମ୍ପୂର୍ଣ୍ଣ ନୂଆ ହେବ, କାରଣ ଭାରତରେ ଏଭଳି କୌଣସି ନିୟମ ଲାଗୁ ହୁଏ ନାହିଁ ।"