ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୬ ର 'ୱାଣ୍ଡର କିଡ୍' (Wonderkid) ଭାବରେ ପ୍ରସିଦ୍ଧି ଲାଭ କରିଥିବା ଯୁବ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀ ଏବେ କେବଳ ପଡ଼ିଆ ଭିତରେ ନୁହେଁ, ବରଂ ବିଜ୍ଞାପନ ଦୁନିଆରେ ମଧ୍ୟ ନିଜର ଜଲୱା ଦେଖାଇବାକୁ ଯାଉଛନ୍ତି। ଚଳିତ ଆଇପିଏଲ୍‌ରେ ନିଜର ଦମଦାର ବ୍ୟାଟିଂ ବଳରେ ତାଙ୍କର ବ୍ରାଣ୍ଡ ଭାଲ୍ୟୁ (Brand Value) ରକେଟ୍ ଗତିରେ ବୃଦ୍ଧି କରିଛନ୍ତି। ସୂତ୍ର ଅନୁସାରେ, ସେ ନିଜର ବିଜ୍ଞାପନ ଫି’କୁ ପ୍ରାୟ ୧୦୦ ପ୍ରତିଶତ ବଢ଼ାଇ ଦେଇଛନ୍ତି।

ଆଇପିଏଲ୍ ୨୦୨୬ ରେ ବୈଭବଙ୍କ ଦମଦାର ପ୍ରଦର୍ଶନ
ମାତ୍ର ୧୫ ବର୍ଷର ଏହି ଖେଳାଳି ଚଳିତ ଆଇପିଏଲ୍ ସିଜନ୍‌ରେ ସମସ୍ତ ବଡ଼ ବଡ଼ କ୍ରିକେଟରଙ୍କୁ ପଛରେ ପକାଇ ଦେଇଛନ୍ତି। ବୈଭବ ସୂର୍ଯ୍ୟବଂଶୀ ୨୩୭.୩୦ ର ଅଦ୍ଭୁତପୂର୍ବ ଷ୍ଟ୍ରାଇକ୍ ରେଟ୍‌ରେ ବ୍ୟାଟିଂ କରି ସମୁଦାୟ ୭୭ ୬ ରନ୍ ସଂଗ୍ରହ କରିଛନ୍ତି। ଚଳିତ ସିଜନ୍‌ରେ ସେ ସବୁଠାରୁ ଅଧିକ ରନ୍ ସଂଗ୍ରହ କରି 'ଅରେଞ୍ଜ କ୍ୟାପ୍' (Orange Cap) ନିଜ ନାମରେ କରିଛନ୍ତି।

ଫାଇନାଲ୍ ମ୍ୟାଚ୍ ପରେ ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ସେ ଏକାକୀ ୫ଟି ବଡ଼ ପୁରସ୍କାର ଜିତିଥିଲେ। ପୂରା ଟୁର୍ନାମେଣ୍ଟରେ ବିରାଟ କୋହଲିଙ୍କ ଭଳି ମହାନ ଖେଳାଳି ଥାଇ ମଧ୍ୟ ସାରା ଦେଶର ନଜର ଏବଂ କ୍ୟାମେରା ବୈଭବଙ୍କ ଉପରେ ହିଁ ରହିଥିଲା। କ୍ରିକେଟ୍ ସମୀକ୍ଷକ କହିବା ଅନୁସାରେ, ବୈଭବ ଯଦି ଆଗାମୀ ଦିନରେ ମେଗା ନିଲାମୀକୁ ଯାଆନ୍ତି, ତେବେ ତାଙ୍କୁ କିଣିବା ପାଇଁ ଫ୍ରାଞ୍ଚାଇଜିମାନେ ୩୦ କୋଟି ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିପାରନ୍ତି।

ବର୍ତ୍ତମାନ ବୈଭବଙ୍କୁ ରାଜସ୍ଥାନ ରୟାଲ୍ସ ୧.୧୦ କୋଟି ଟଙ୍କା ଫି’ ଦେଉଛି। ଆଇପିଏଲ୍ ନିୟମ ଅନୁଯାୟୀ, ନିଜର ଚୁକ୍ତିରେ ପରିବର୍ତ୍ତନ ପାଇଁ ତାଙ୍କୁ ଅତିକମରେ ଆଉ ଏକ ସିଜନ୍ ଅପେକ୍ଷା କରିବାକୁ ପଡ଼ିବ।

ବିଜ୍ଞାପନ ଫି’ ହେଲା ଦୁଇଗୁଣା
ପଡ଼ିଆରେ ମିଳିଥିବା ଏହି ଅପାର ସଫଳତା ବୈଭବଙ୍କ ବ୍ରାଣ୍ଡ ଦୁନିଆରେ ବଡ଼ ପରିବର୍ତ୍ତନ ଆଣିଛି। ବଜାର ବିଶେଷଜ୍ଞଙ୍କ ଅନୁଯାୟୀ, ବୈଭବ ଏବେ ବିଜ୍ଞାପନ ବା ଏଣ୍ଡୋର୍ସମେଣ୍ଟ ପାଇଁ ନିଜର ଫିସ୍ ଦୁଇଗୁଣା ବଢ଼ାଇ ଦେଇଛନ୍ତି।
ଆଇପିଏଲ୍ ଆରମ୍ଭ ହେବା ପୂର୍ବରୁ ସେ ପ୍ରତି ବ୍ରାଣ୍ଡ୍ ଡିଲ୍ ପାଇଁ ପ୍ରାୟ ୧ କୋଟି ଟଙ୍କା ଚାର୍ଜ କରୁଥିଲେ। ଆଇପିଏଲ୍‌ରେ ଧମାକା କରିବା ପରେ, ସେ ବର୍ତ୍ତମାନ ପ୍ରତିଟି ବିଜ୍ଞାପନ ଚୁକ୍ତି ପାଇଁ ୧.୫ କୋଟିରୁ ୨ କୋଟି ଟଙ୍କା ଦାବି କରୁଛନ୍ତି।

ବ୍ରାଣ୍ଡ ମଧ୍ୟରେ କଡ଼ା ଟକ୍କର
ବୈଭବଙ୍କ ବ୍ରାଣ୍ଡ ପ୍ରୋଫାଇଲ୍‌କୁ ବର୍ତ୍ତମାନ ତାଙ୍କ ପିତାମାତା ମ୍ୟାନେଜ୍ କରୁଛନ୍ତି ଏବଂ ଏଥିରେ ତାଙ୍କର ଆଇପିଏଲ୍ ଫ୍ରାଞ୍ଚାଇଜି ରାଜସ୍ଥାନ ରୟାଲ୍ସ ମଧ୍ୟ ସାହାଯ୍ୟ କରୁଛି। ତାଙ୍କ ପୋର୍ଟଫୋଲିଓରେ ପୂର୍ବରୁ ହିଁ 'କମ୍ପ୍ଲାନ' (Complan) ଏବଂ 'ରେଡ୍ ବୁଲ୍' (Red Bull) ଭଳି ବଡ଼ ଅନ୍ତର୍ଜାତୀୟ ବ୍ରାଣ୍ଡ ରହିଛି । ଏହି ବିଜ୍ଞାପନରେ ସେ ନଜର ଆସିଛନ୍ତି। ଆଇପିଏଲ୍ ୨୦୨୬ରେ ଚମତ୍କାର ପ୍ରଦର୍ଶନ ପରେ ଦେଶର ଅନେକ ନାମୀଦାମୀ କମ୍ପାନୀ ତାଙ୍କୁ ନିଜର ବ୍ରାଣ୍ଡ ଆମ୍ବାସଡର କରିବା ପାଇଁ ଏବେ ଲାଇନ୍‌ରେ ଅଛନ୍ତି। ମାତ୍ର ୧୫ ବର୍ଷ ବୟସରେ ଏଭଳି ବ୍ରାଣ୍ଡ ଭାଲ୍ୟୁ ହାସଲ କରିବାରେ ବୈଭବ ଭାରତୀୟ କ୍ରିକେଟର ସବୁଠାରୁ ବଡ଼ ଷ୍ଟାର୍ ପାଲଟିଛନ୍ତି।