ନୂଆଦିଲ୍ଲୀ: ଭାରତ ଏବଂ ୟୁରୋପୀୟ ସଂଘ (EU)ର ନୀତିକୁ ନେଇ କଡ଼ା ମନ୍ତବ୍ୟ ରଖିଛନ୍ତି ଆମେରିକାର ଜଣେ ଟପ୍ ବାଣିଜ୍ୟିକ ଅଧିକାରୀ। ଆମେରିକୀୟ ଟେକ୍ କମ୍ପାନିଙ୍କ ପାଇଁ ନିୟମାବଳୀ ଲାଗୁ କରିଥିବାରୁ ଇୟୁ ଉପରେ ଏବଂ ଟ୍ରେଡ୍ ଡିଲକୁ ନେଇ ଭାରତ ଉପରେ କଡ଼ା ଟିପ୍ପଣୀ ରଖିଛନ୍ତି ଆମେରିକୀୟ ବାଣିଜ୍ୟ ପ୍ରତିନିଧି ଜେମିସନ ଗ୍ରୀୟର। ଏମିତିରେ ତାଙ୍କର ଏହି ପ୍ରତିକ୍ରିୟାରୁ ଜଣାପଡ଼ୁଛି ଭାରତ ଓ ଆମେରିକା ମଧ୍ୟରେ ଟ୍ରେଡ ଡିଲ୍ ପାଇଁ ଚାଲିଥିବା ଆଲୋଚନା ୨୦୨୬ ସୁଦ୍ଧା ବି ହୋଇପାରିବନି।

ବ୍ଲୁମବର୍ଗରେ ଏକ ସାକ୍ଷାତକାରରେ ଗ୍ରୀୟର କହିଛନ୍ତି, ଆଗରୁ ହିଁ ଆଶା କରାଯାଉଥିଲା EU ଏବଂ ଭାରତ ସହ ଆଲୋଚନା ଅଧିକ କଷ୍ଟକର ହେବ। ଗ୍ରୀୟର କହିଛନ୍ତି, ଆମେରିକୀୟ ଟେକ୍ କମ୍ପାନିଙ୍କ ଉପରେ ଇୟୁ ଅନେକ ନିୟମାବଳୀ ଲଗାଇଛି। ଏହା ଖୁବ୍ ଚିନ୍ତାଜନକ। ଏହି ନୀତିଗୁଡ଼ିକ ଆମେରିକୀୟ କମ୍ପାନିଗୁଡ଼ିକ ପ୍ରତି ପକ୍ଷପାତିତା କରୁଛି।

ପ୍ରକୃତରେ ବିବାଦର ମୁଖ୍ୟ କାରଣ ହେଉଛି EUର ଡିଜିଟାଲ୍ ନୀତି। କାରଣ ଏହା ଗୁଗଲ୍, ମେଟା ଏବଂ ଆମାଜନ ଭଳି ବଡ଼ ଆମେରିକୀୟ ଟେକ୍ କମ୍ପାନିଗୁଡ଼ିକ ଉପରେ ଅଙ୍କୁଶ ଲଗାଉଛି। ହେଲେ ଆମେରିକା ଅଭିଯୋଗ କରୁଛି ଯେ, ଏହି ନିୟମଗୁଡ଼ିକ ନବସୃଜନର କଣ୍ଠରୋଧ । ବିଶେଷ କରି ଆମେରିକୀୟ କମ୍ପାନିଗୁଡ଼ିକୁ ଏହାଦ୍ବାରା ଟାର୍ଗେଟ କରାଯାଉଛି।

ଏମିତିରେ ଆମେରିକାର ବାଣିଜ୍ୟ କାର୍ଯ୍ୟାଳୟ ଏକ ପୋଷ୍ଟରେ କହିଛି, ଯଦି EU ଆମେରିକୀୟ ଟେକ୍ କମ୍ପାନିଗୁଡ଼ିକ ଉପରେ କର ଲଗାଇବାକୁ ଚେଷ୍ଟା କରେ। ତେବେ ଏହାର ପ୍ରତିଶୋଧ ନିଆଯାଇପାରେ। ଯେଉଁଥିରେ କିଛି ୟୁରୋପୀୟ କମ୍ପାନିଙ୍କ ଉପରେ ନୂଆ ଶୁଳ୍କ କିମ୍ବା କଟକଣା ଲଗାଯିବ। ସେହିଭଳି EU କହିଛି ଯେ, ଏହି ନିୟମ ଇୟୁର ପ୍ରଯୁକ୍ତିବିଦ୍ୟା ସାର୍ବଭୌମତ୍ୱକୁ ରକ୍ଷା କରିବାକୁ ଲାଗୁ କରାଯାଇଛି। ନିୟମ ସମସ୍ତଙ୍କ ପାଇଁ ସମାନ ଭାବରେ ପ୍ରଯୁଜ୍ୟ। ଗ୍ରୀୟର ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ, EUର ଅଣ- ଶୁଳ୍କ ପ୍ରତିବନ୍ଧକଗୁଡ଼ିକୁ ଆମେରିକାର କୃଷି ଏବଂ ଶିଳ୍ପ ଉତ୍ପାଦ ପାଇଁ ଅସୁବିଧା ସୃଷ୍ଟି କରୁଛି।

ସେହିଭଳି ଭାରତ- ଆମେରିକା ଡିଲ୍କୁ ନେଇ ସେ କହିଛନ୍ତି, ଦୁଇ ଦେଶ ମଧ୍ୟରେ ଆଲୋଚନା ଏପର୍ଯ୍ୟନ୍ତ ଚୂଡ଼ାନ୍ତ ହୋଇପାରିନାହିଁ। ଯେତେବେଳେକି ଏହାରି ମଧ୍ୟରେ ଆମେରିକା ମାଲେସିଆ ଏବଂ ସ୍ୱିଜରଲ୍ୟାଣ୍ଡ ସମେତ ଅନ୍ୟ ଅନେକ ଦେଶ ସହିତ ବାଣିଜ୍ୟ ଚୁକ୍ତି କରିସାରିଲାଣି। ଭାରତ ଏବଂ ଆମେରିକା ସମ୍ପର୍କକୁ ସୁଧାରିବାକୁ ଚେଷ୍ଟା କରୁଛନ୍ତି। ହେଲେ ମାସ ମାସ ଧରି ଆଲୋଚନା ସତ୍ତ୍ୱେ ବି ବାଣିଜ୍ୟ ଚୁକ୍ତି ଉପରେ କୌଣସି ଠୋସ୍ ଅଗ୍ରଗତି ହୋଇପାରିନାହିଁ। ଏହି ସପ୍ତାହରେ ନୂଆଦିଲ୍ଲୀରେ ହୋଇଥିବା ଆଲୋଚନା ମଧ୍ୟ ଅନିର୍ଦ୍ଦିଷ୍ଟ ଭାବରେ ଶେଷ ହୋଇଛି।