ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଅସ୍ତ୍ରବିରତି ଆଲୋଚନା ମଧ୍ୟରେ ପୁଣି ଥରେ ପଶ୍ଚିମ ଏସିଆରେ ଉତ୍ତେଜନା ଦେଖାଦେଇଛି। ସୋମବାର (ମେ’ ୨୫) ଆମେରିକା ସେନା ଦକ୍ଷିଣ ଇରାନ ଏବଂ ରଣନୈତିକ ଭାବେ ଗୁରୁତ୍ୱପୂର୍ଣ୍ଣ Strait of Hormuz ନିକଟରେ ଥିବା ଇରାନର ମିସାଇଲ୍ ଲଞ୍ଚ ସାଇଟ୍ ଏବଂ ଗନବୋଟ୍ ଗୁଡ଼ିକ ଉପରେ ‘ଆତ୍ମରକ୍ଷାମୂଳକ ଆକ୍ରମଣ’ କରିଛି।

ଆମେରିକୀୟ ସେନାର ସେଣ୍ଟ୍ରାଲ କମାଣ୍ଡର ମୁଖପାତ୍ର ଟିମୋଥି ହକିନ୍ସ CNN କୁ ଦେଇଥିବା ଏକ ବୟାନରେ କହିଛନ୍ତି, "ଇରାନୀ ସେନା ଦ୍ୱାରା ଆମ ସୈନ୍ୟମାନଙ୍କ ପ୍ରତି ସୃଷ୍ଟି ହୋଇଥିବା ବିପଦରୁ ରକ୍ଷା କରିବା ପାଇଁ ଆମେରିକା ସେନା ଦକ୍ଷିଣ ଇରାନରେ ଏହି ଏୟାରଷ୍ଟ୍ରାଇକ କରିଛି।" ସେ ସ୍ପଷ୍ଟ କରିଛନ୍ତି ଯେ, ଏହି ଆକ୍ରମଣର ମୁଖ୍ୟ ଟାର୍ଗେଟ୍ ଇରାନର ମିସାଇଲ୍ ଲଞ୍ଚିଂ ପ୍ୟାଡ୍ ଏବଂ ସମୁଦ୍ରରେ ମାଇନ୍ସ ବିଛାଇବାକୁ ଚେଷ୍ଟା କରୁଥିବା ଇରାନୀ ସାମୁଦ୍ରିକ ଡଙ୍ଗାଗୁଡ଼ିକ ଥିଲା। ଚାଲିଥିବା ଅସ୍ତ୍ରବିରତି ପ୍ରକ୍ରିୟା ମଧ୍ୟରେ ଆମେରିକା ସଞ୍ଜମତା ରକ୍ଷା କରିବା ସହ ନିଜର ସୁରକ୍ଷା ଜାରି ରଖିବ ବୋଲି ସେ କହିଛନ୍ତି।

 ଇରାନର ପ୍ରତିକ୍ରିୟା ଓ ସାମ୍ପ୍ରତିକ ସ୍ଥିତି

  ବନ୍ଦର ଅବ୍ବାସରେ ଶକ୍ତିଶାଳୀ ବିସ୍ଫୋରଣ: ଇରାନର ‘ଇସଲାମିକ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ’ (IRGC) ଅନୁଯାୟୀ, ମଙ୍ଗଳବାର ରାତି ୧୨ଟାରେ ଇରାନର ଦକ୍ଷିଣ ପୋର୍ଟ ସିଟି ‘ବନ୍ଦର ଅବ୍ବାସ’ (Bandar Abbas) ରେ କ୍ରମାଗତ ୩ଟି ଶକ୍ତିଶାଳୀ ବିସ୍ଫୋରଣ ଶବ୍ଦ ଶୁଣାଯାଇଛି। ଏହା ସହିତ ସହରର ବିମାନବନ୍ଦର ନିକଟରେ ମଧ୍ୟ ବିସ୍ଫୋରଣ ହୋଇଛି, ଯାହା ପରେ ଶତ୍ରୁପକ୍ଷର ମିସାଇଲ୍ କିମ୍ବା ଡ୍ରୋନ୍‌କୁ ଜବାବ ଦେବା ପାଇଁ ସେଠାରେ ଥିବା ଇରାନର ଏୟାର ଡିଫେନ୍ସ ସିଷ୍ଟମକୁ ସକ୍ରିୟ କରାଯାଇଛି।

  ଜଳମାର୍ଗରେ ହଲଚଲ: ଇରାନର ସରକାରୀ ଗଣମାଧ୍ୟମ IRNA ଏବଂ ଫାର୍ସ ନ୍ୟୁଜ୍ ଅନୁଯାୟୀ, ପାରସ୍ୟ ଉପସାଗର (Persian Gulf) ର ସିରିକ୍ ଏବଂ ଜାସ୍କ ଅଞ୍ଚଳ ନିକଟରେ ଏଭଳି ବ୍ୟାପକ ବିସ୍ଫୋରଣ ଶବ୍ଦ ଶୁଣିବାକୁ ମିଳିଛି। ଏହି ଆକ୍ରମଣ ପୂର୍ବରୁ ଇରାନ ସେନା ପାରସ୍ୟ ଉପସାଗର ଅଞ୍ଚଳରେ ଶତ୍ରୁପକ୍ଷର ଏକ ସନ୍ଦିଗ୍ଧ ଡ୍ରୋନ୍‌କୁ ଖସାଇ ଦେଇଥିବା ଦାବି କରିଥିଲା।

 ବନ୍ଦର ଅବ୍ବାସର ଗୁରୁତ୍ୱ: ଦକ୍ଷିଣ ଇରାନରେ ଅବସ୍ଥିତ ଏହି ସହରଟି ଇରାନ ନୌସେନା ଏବଂ ବାୟୁସେନାର ସବୁଠାରୁ ବଡ଼ ଗଠଗଡ଼ ଅଟେ। ଏହା ବିଶ୍ୱ ବାଣିଜ୍ୟର ମୁଖ୍ୟ ମାର୍ଗ ହୋର୍ମୁଜ ଜଳଡମରୁମଧ୍ୟ ସହ ସିଧାସଳଖ ଜଡ଼ିତ ଥିବାରୁ ଏଠାରେ ସାମରିକ ଗତିବିଧି ବହୁତ ଗୁରୁତ୍ୱ ବହନ କରେ।

ଏହି ସାମରିକ ଆକ୍ରମଣ ଏପରି ଏକ ସମୟରେ ହୋଇଛି ଯେତେବେଳେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଶେଷ କରିବା ପାଇଁ ଏକ ବଡ଼ ଶାନ୍ତି ଚୁକ୍ତି ଉପରେ ପଛରେ ଆଲୋଚନା ଚାଲିଛି, ଯାହାକୁ ଏହି ଘଟଣା ପ୍ରଭାବିତ କରିପାରେ ବୋଲି ଆଶଙ୍କା କରାଯାଉଛି।