ନୂଆଦିଲ୍ଲୀ: ଆମେରିକା, ଇସ୍ରାଏଲ ଏବଂ ଇରାନ ଯୁଦ୍ଧ ପରିସ୍ଥିତିକୁ ନେଇ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ଆମେରିକାର ଗୁଇନ୍ଦା ସଂସ୍ଥା (US Intelligence) ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଇରାନ ପାଖରେ ପରମାଣୁ ବୋମା ଠାରୁ ମଧ୍ୟ ଅଧିକ ଶକ୍ତିଶାଳୀ ଏବଂ ବିପଜ୍ଜନକ ଅସ୍ତ୍ର ରହିଛି । ଏହା ସାହାଯ୍ୟରେ ସେ ସାରା ବିଶ୍ୱର ଅର୍ଥନୀତିକୁ ଅଚଳ କରିଦେଇପାରେ। ଆମେରିକୀୟ ଗୁଇନ୍ଦା ସଂସ୍ଥାର ଚେତାବନୀ ଅନୁଯାୟୀ, ଇରାନ ନିଜ ଇଚ୍ଛା ମୁତାବକ ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଶୋଧିତ ତୈଳ ପରିବହନ ମାର୍ଗକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବାର କ୍ଷମତା ରଖିଛି। ପରମାଣୁ ବୋମା ଠାରୁ ଶକ୍ତିଶାଳୀ ଅସ୍ତ୍ର' କଣ ?

ଆମେରିକାର ନୂତନ ପ୍ରଶାସନ ମଧ୍ୟରେ ଇରାନ ସହ ହୋଇଥିବା ଚୁକ୍ତିକୁ ନେଇ ମତଭେଦ ସାମ୍ନାକୁ ଆସିଛି। ଆମେରିକାର ଅନେକ ବରିଷ୍ଠ ଅଧିକାରୀ, ଯେଉଁଥିରେ ପ୍ରତିରକ୍ଷା ସଚିବ ପିଟ୍ ହେଗସେଥ୍ (Pete Hegseth) ଏବଂ ବିଦେଶ ସଚିବ ମାର୍କୋ ରୁବିଓ (Marco Rubio) ସାମିଲ ଅଛନ୍ତି, ସେମାନେ ଇରାନର ପ୍ରକୃତ ଉଦ୍ଦେଶ୍ୟ ଉପରେ ସନ୍ଦେହ ପ୍ରକାଶ କରିଛନ୍ତି। ଏକ ଆନ୍ତର୍ଜାତୀୟ ରିପୋର୍ଟ ଅନୁଯାୟୀ, ଆମେରିକାର କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥା (CIA) ର ନିର୍ଦ୍ଦେଶକ ଜନ୍ ରାଟକ୍ଲିଫ୍ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଚେତାବନୀ ଦେଇଛନ୍ତି ଯେ, ଆମେରିକା ଚାହୁଁଥିବା ପରମାଣୁ କଟକଣାକୁ ଇରାନ ଶେଷ ପର୍ଯ୍ୟନ୍ତ ମାନିବ କି ନାହିଁ, ସେ ନେଇ ବଡ଼ ଅନିଶ୍ଚିତତା ରହିଛି । ସୂଚନା ମୁତାବକ, ଇରାନର ବନ୍ଦ କୋଠରୀ ଆଲୋଚନା ଏବଂ ତାର ସାର୍ବଜନୀନ ବୟାନ ମଧ୍ୟରେ ବହୁତ ବଡ଼ ବ୍ୟବଧାନ ରହିଛି ।

ଏକ୍ସିଓସ୍ (Axios) ର ଏକ ରିପୋର୍ଟ ଅନୁଯାୟୀ, ଟ୍ରମ୍ପ ସରକାରଙ୍କ ଭିତରେ ଇରାନ ନୀତିକୁ ନେଇ ଦୁଇଟି ଭିନ୍ନ ମତ ଦେଖିବାକୁ ମିଳିଛି । ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଏବଂ ପ୍ରତିରକ୍ଷା ମନ୍ତ୍ରୀ ପିଟ୍ ହେଗସେଥ୍ ଏହି ପ୍ରାଥମିକ ଚୁକ୍ତିକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି। ସେମାନଙ୍କ ମତରେ ଇରାନ ଉପରେ ସହଜରେ ବିଶ୍ୱାସ କରାଯାଇପାରିବ ନାହିଁ। ଅପରପକ୍ଷରେ, ଉପରାଷ୍ଟ୍ରପତି ଜେଡି ଭାନ୍ସ , ବିଶେଷ ଦୂତ ଷ୍ଟିଭ୍ ୱିଟକଫ୍ ଏବଂ ଜାରେଡ୍ କୁଶନର୍ ଆମେରିକା-ଇରାନ ମଧ୍ୟରେ ସ୍ୱାକ୍ଷରିତ ହୋଇଥିବା ୧୪-ଦଫା ସମ୍ମତି ପତ୍ରକୁ ସମ୍ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି । ଚଳିତ ବ୍ୟବସ୍ଥା ଅନୁଯାୟୀ ଉଭୟ ଦେଶ ମଧ୍ୟରେ ଏକ ମଧ୍ୟବର୍ତ୍ତୀକାଳୀନ ଢାଞ୍ଚା ପ୍ରସ୍ତୁତ କରାଯାଇଛି ।

ଉଭୟ ଦେଶ ପାଇଁ ରହିଥିବା ସର୍ତ୍ତାବଳୀ

ଏହି ମଧ୍ୟବର୍ତ୍ତୀକାଳୀନ ଚୁକ୍ତି ଅଧୀନରେ ଦୁଇ ଦେଶ କିଛି ନିୟମ ମାନିବାକୁ ସହମତ ହୋଇଛନ୍ତି । ଆଲୋଚନା ଚାଲିଥିବା ସମୟରେ ଇରାନ ନିଜର ପରମାଣୁ କାର୍ଯ୍ୟକଳାପକୁ ବର୍ତ୍ତମାନର ସ୍ଥିତି ରେ ସ୍ଥିର ରଖିବ, ଅର୍ଥାତ୍ ଏହାକୁ ଆଗକୁ ବଢ଼ାଇବ ନାହିଁ । ଆମେରିକା ଏହି ସମୟ ମଧ୍ୟରେ ଇରାନ ଉପରେ କୌଣସି ନୂତନ ପ୍ରତିବନ୍ଧକ (Sanctions) ଲଗାଇବ ନାହିଁ କିମ୍ବା ମଧ୍ୟପ୍ରାଚ୍ୟରେ ନିଜର ଅତିରିକ୍ତ ସେନା ମୁତୟନ କରିବାରୁ ବିରତ ରହିବ। ଏହା ବ୍ୟତୀତ ଆଗାମୀ ଦିନରେ ଇରାନ ପାଖରେ ଥିବା ସମୃଦ୍ଧ ୟୁରାନିୟମ ଉପରୁ ଆମେରିକା ପ୍ରତିବନ୍ଧକ ହଟାଇବ ଏବଂ ଇରାନର ଫ୍ରିଜ୍ ହୋଇ ରହିଥିବା ଆର୍ଥିକ ପାଣ୍ଠିକୁ ପୁଣି ଥରେ ଫେରସ୍ତ କରିବା ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ମଧ୍ୟ ଆଲୋଚନା କରାଯିବ।

ଚୁକ୍ତିକୁ ସମର୍ଥନ କରୁଥିବା ନେତାମାନେ କହିଛନ୍ତି ଯେ, ଇରାନକୁ କୌଣସି ବି ଆର୍ଥିକ ରିହାତି କିମ୍ବା ସହାୟତା ମିଳିବା ପୂର୍ବରୁ ତାକୁ ପରମାଣୁ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଓ ଦୃଶ୍ୟମାନ ପଦକ୍ଷେପ ନେବାକୁ ପଡ଼ିବ। ସମାଲୋଚକମାନେ କହିଛନ୍ତି ଯେ, ଏହି ଅସ୍ଥାୟୀ ବ୍ୟବସ୍ଥା ଦ୍ୱାରା ଆମେରିକା ଅପେକ୍ଷା ଇରାନ ଅଧିକ ଲାଭବାନ ହେବ। ସେମାନଙ୍କ ଆଶଙ୍କା ହେଉଛି, ଇରାନ ବର୍ତ୍ତମାନ ଆର୍ଥିକ ରିହାତି ନେଇଯିବ କିନ୍ତୁ ଶେଷରେ ୱାଶିଂଟନର କଡ଼ା ସର୍ତ୍ତଗୁଡ଼ିକୁ ମାନିବାକୁ ମନା କରିଦେବ। ଆମେରିକାର ନୂଆ ସରକାରଙ୍କ ଭିତରେ ଇରାନକୁ ନେଇ ସୃଷ୍ଟି ହୋଇଥିବା ଏହି ଆନ୍ତରିକ ମତଭେଦ ଯୋଗୁଁ ଆଗାମୀ ଦିନରେ ଏହି ପରମାଣୁ ଆଲୋଚନା କେଉଁ ମୋଡ଼ ନେଉଛି, ତାହା ଉପରେ ସାରା ବିଶ୍ୱର ନଜର ରହିବ ।

ଅନ୍ୟପଟେ, ଇରାନ ପାଖରେ ଥିବା ସବୁଠାରୁ ବଡ଼ ଅସ୍ତ୍ର କୌଣସି ପରମାଣୁ ମିସାଇଲ୍ ନୁହେଁ, ବରଂ ଏହାର ଭୌଗୋଳିକ ସ୍ଥିତି ଏବଂ ବିଶ୍ୱର ସବୁଠାରୁ ବଡ଼ ତୈଳ ମାର୍ଗ 'ହର୍ମୁଜ ପ୍ରଣାଳୀ' ଉପରେ ଏହାର ନିୟନ୍ତ୍ରଣ ।ଇରାନ ଯଦି ଚାହିଁବ, ତେବେ କେବଳ ନିଜର କ୍ଷେପଣାସ୍ତ୍ର, ଡ୍ରୋନ୍ ଏବଂ ସାମୁଦ୍ରିକ ମାଇନ୍ସ ସାହାଯ୍ୟରେ ଏହି ସାମୁଦ୍ରିକ ରାସ୍ତାକୁ ବନ୍ଦ କରିଦେଇପାରେ। ଏହା ବିଶ୍ୱ ଅର୍ଥନୀତି ପାଇଁ ଏକ ପରମାଣୁ ଆକ୍ରମଣ ଠାରୁ ମଧ୍ୟ ଅଧିକ ଘାତକ ସାବ୍ୟସ୍ତ ହେବ।

ହର୍ମୁଜ ପ୍ରଣାଳୀର ଗୁରୁତ୍ୱ ଏବଂ ବିଶ୍ୱ ଉପରେ ପ୍ରଭାବ

ହର୍ମୁଜ ପ୍ରଣାଳୀ ହେଉଛି ଓମାନ ଏବଂ ଇରାନ ମଧ୍ୟରେ ଥିବା ଏକ ସଂକୀର୍ଣ୍ଣ ସାମୁଦ୍ରିକ ମାର୍ଗ, ଯାହା ପାରସ୍ୟ ଉପସାଗରକୁ ଓମାନ ଉପସାଗର ଓ ଆରବ ସାଗର ସହ ଯୋଡ଼ିଥାଏ। ସାରା ବିଶ୍ୱରେ ବ୍ୟବହାର ହେଉଥିବା ମୋଟ ଅଶୋଧିତ ତୈଳ (Crude Oil) ର ପ୍ରାୟ ୨୦% ରୁ ଅଧିକ କେବଳ ଏହି ଗୋଟିଏ ରାସ୍ତା ଦେଇ ଯାତାୟାତ କରିଥାଏ। ସାଉଦି ଆରବ, ଇରାକ, ସଂଯୁକ୍ତ ଆରବ ଏମିରେଟ୍ସ (UAE), କୁଏତ ଏବଂ କତାର ଭଳି ବଡ଼ ବଡ଼ ତୈଳ ଉତ୍ପାଦନକାରୀ ଦେଶଗୁଡ଼ିକ ଏହି ମାର୍ଗ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ। ଯଦି ଇରାନ ଏହି ମାର୍ଗକୁ ପୁଣି ଅବରୋଧ କରେ, ତେବେ ବିଶ୍ୱ ବଜାରରେ କେବଳ ତୈଳ ଅଭାବ ଦେଖାଦେବ ନାହିଁ, ବରଂ ପେଟ୍ରୋଲ-ଡିଜେଲ ଦର ଆକାଶଛୁଆଁ ହୋଇଯିବ । ସାରା ବିଶ୍ୱରେ ଭୟଙ୍କର ମାନ୍ଦାବସ୍ଥା ଆସିଯିବ।