ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରଦୂତ ସର୍ଜିଓ ଗୋର ଏବେ ଜାମ୍ମୁ-କାଶ୍ମୀର ଗସ୍ତରେ ଅଛନ୍ତି। ସେ ଏଠାରେ ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲାଙ୍କୁ ସାକ୍ଷାତ କରିଛନ୍ତି । ବୈଠକ ପରେ ଗୋର ଜୋର ଦେଇ କହିଛନ୍ତି ଯେ ଏଠାକୁ ଆସି ସେ ବହୁତ ଖୁସି । ତେବେ ଏହି ସମୟରେ ସେ ଏପରି କଥା କହିଛନ୍ତି, ଯାହା ପଡ଼ୋଶୀ ଦେଶ ପାକିସ୍ତାନକୁ ବିଚଳିତ କରିବ ନିଶ୍ଚିତ । ଗୋର କହିଛନ୍ତି ଯେ ଜମ୍ମୁ-କାଶ୍ମୀର ଭାରତର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ଏହା ସହିତ କାଶ୍ମୀରର ସୁରକ୍ଷା ବ୍ୟବସ୍ଥାକୁ ପ୍ରଶଂସା କରି ଗୋର କହିଛନ୍ତି ଯେ ନୂଆଦିଲ୍ଲୀ ଏବଂ ସ୍ଥାନୀୟ ସରକାର ଏଥିପାଇଁ ଅନେକ କାମ କରିଛନ୍ତି । ଆମେରିକା ପକ୍ଷରୁ ଜାରି ହେଉଥିବା ଟ୍ରାଭେଲ୍ ଆଡଭାଇଜରୀରେ ସେ ଏହି କଥାର ଧ୍ୟାନ ରଖିବେ । ତେବେ ଗୋର କୌଣସି ପ୍ରକାରର ଆନୁଷ୍ଠାନିକ ଘୋଷଣା କରିବାକୁ ମନା କରିଦେଇଛନ୍ତି ।

ଜମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲାଙ୍କ ସହ ସାକ୍ଷାତ କରିବା ପରେ ସର୍ଜିଓ ଗୋର ଗଣମାଧ୍ୟମ ପ୍ରତିନିଧିଙ୍କ ସହ କଥା ହୋଇଥିଲେ । ଏହି ସମୟରେ ତାଙ୍କ ସହ ଉମର ଅବଦୁଲ୍ଲା ମଧ୍ୟ ଉପସ୍ଥିତ ଥିଲେ । ଗୋର କାଶ୍ମୀରର ସୌନ୍ଦର୍ଯ୍ୟକୁ ପ୍ରଶଂସା କରିଥିଲେ । ସେ କହିଥିଲେ, "ଏଠାକୁ ଆସି ବହୁତ ଭଲ ଲାଗୁଛି । ଏହା ଭାରତର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ମୁଁ ଏଠାକୁ ପ୍ରଥମ ଥର ଆସିଛି । ଏହି ସ୍ଥାନ ଅତ୍ୟନ୍ତ ସୁନ୍ଦର । ଏଠାକୁ ଆସି ଏବଂ ଏହି ସ୍ଥାନକୁ ଦେଖି ମୁଁ ବହୁତ ଉତ୍ସାହିତ । ଆମର ଏବେ ଭଲ ବୈଠକ ହୋଇଛି । କିଛି ବିଷୟକୁ ଆଗକୁ ବଢ଼ାଇବାର ଅଛି, ଯାହାକୁ ଆମେ ୱାଶିଂଟନ୍ ଏବଂ ଦିଲ୍ଲୀ ନେଇଯିବୁ । ଆଲୋଚନା ଅତ୍ୟନ୍ତ ବନ୍ଧୁତାପୂର୍ଣ୍ଣ ଥିଲା ଏବଂ ଆମେ ଏହି ସମ୍ପର୍କକୁ ଆଗକୁ ନେବା ପାଇଁ ଆଗ୍ରହୀ ।"

କାଶ୍ମୀରର ସୁରକ୍ଷା ବ୍ୟବସ୍ଥାକୁ ନେଇ ଆମେରିକା ସାଧାରଣତଃ ସତର୍କତା ଜାରି କରିଥାଏ । ଏହି ପ୍ରସଙ୍ଗରେ ମଧ୍ୟ ଗୋର୍ କଥା ହୋଇଥିଲେ । ସେ କହିଥିଲେ, "ଆମେରିକା ଯାତ୍ରା ସମ୍ପର୍କିତ ସତର୍କ ସୂଚନା ଜାରି କରେ ଏବଂ ସମୟ ସମୟରେ ଆମେ ଏହାର ସମୀକ୍ଷା ମଧ୍ୟ କରୁ । ମୁଁ ଆଜି ଏଠାରେ କୌଣସି ବଡ଼ ଘୋଷଣା କରିପାରିବି ନାହିଁ,  କିନ୍ତୁ ଆମେ ଏହା ଉପରେ ନିଶ୍ଚିତ ଭାବରେ ବିଚାର କରିବୁ । ଆମର ବିଶ୍ୱାସ ଯେ ନୂଆଦିଲ୍ଲୀ, ଏଠାକାର ମୁଖ୍ୟମନ୍ତ୍ରୀ ଏବଂ ସରକାର ଏହି ଅଞ୍ଚଳର ସୁରକ୍ଷା ବ୍ୟବସ୍ଥାକୁ ଆହୁରି ଉନ୍ନତ କରିବା ପାଇଁ ଚମତ୍କାର ପଦକ୍ଷେପ ନେଇଛନ୍ତି । ତେଣୁ ଆମେ ଏହା ଉପରେ ବିଚାର କରିବୁ ।”