Uttar Pradesh News: ଗୋଟେ ନିମ୍ନ ମଧ୍ୟବିତ୍ତ ପରିବାରର ବ୍ୟାଙ୍କ ଆକାଉଣ୍ଟରେ ୫୦ ହଜାର କି ଲକ୍ଷେ ଟଙ୍କା ରହିଲେ କେତେ କଥା। ସେଥିରେ କେତେ କ’ଣ ସ୍ୱପ୍ନ ଦେଖି ହୁଏ, କେତେ କ’ଣ ଛୋଟମୋଟ ଯୋଜନା କରି ହୁଏ। ଯେତିକି ଚାଉଳ ସେତିକି ଚୂନାରେ ଜୀବନ ବଞ୍ଚି ଶିଖିଯାଇଥିବା ମଣିଷଟା ଯଦି ହଠାତ୍ କୋଟି କୋଟି ଟଙ୍କା ପାଇଯାଏ ତେବେ....?

ଉତ୍ତର ପ୍ରଦେଶ ମୈନପୁରୀ ଜିଲ୍ଲାରେ ଏଭଳି ଘଟଣା ସାମ୍ନାକୁ ଆସିଛି। ଜଣେ ସାଧାରଣ ଚାଷୀ ପରିବାର ବ୍ୟକ୍ତି ଏଟିଏମ୍ ଚେକ୍ କରିବା ପରେ ତାଙ୍କ ମାଆଙ୍କ ଆକାଉଣ୍ଟରେ ପାଖାପାଖି ୧୦ କୋଟି ଟଙ୍କା ଦେଖି କାବ୍ବା ହୋଇଯାଇଛନ୍ତି।

ଏଟିଏମରୁ ଏତେ ଟଙ୍କା ଦେଖି କାବ୍ବା ପୂରା ପରିବାର

ଜିଲ୍ଲାର ସୀତା ଦେବୀଙ୍କ ପୁଅ ଅରୁଣ କୁମାର, ରୁଟିନ ଚେକ୍ ପାଇଁ ତାଙ୍କ ମାଆଙ୍କ ଏଟିଏମ୍ କାର୍ଡ ନେଇ ଯେତେବେଳେ ବାଲାନ୍ସ ଚେକ୍ କରିଥିଲେ, ସେତେବେଳେ ଆକାଉଣ୍ଟରେ ୯,୯୯,୪୯,୫୮୬ ଟଙ୍କା ଦେଖି ସେ କାବ୍ବା ହୋଇଯାଇଥିଲେ। ପ୍ରଥମେ ସେ ତାଙ୍କ ଆଖିକୁ ବିଶ୍ୱାସ କରିପାରିଲେ ନାହିଁ। ଏଥିପାଇଁ ସେ ବାରମ୍ବାର ଏଟିଏମ୍ ଚେକ୍ କରିଥିଲେ। ଏଟିଏମ୍ ସ୍କ୍ରିନ୍ରେ ବାରମ୍ବାର ସଂଖ୍ୟା ଗଣିଥିଲେ। ଆକାଉଣ୍ଟରେ ୯ କୋଟି ୯୯ ଲକ୍ଷ ୪୯ ହଜାର ୫୮୬ ଟଙ୍କା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ଏନେଇ ଅରୁଣ କୁମାର କହିଛନ୍ତି “ମୁଁ ବାଲାନ୍ସ ଚେକ୍ କଲି, ବହୁତ ଅଧିକ ଥିଲା, ପ୍ରାୟ ୯ କୋଟି ଟଙ୍କା। ଆମେ ଜାଣିନାହୁଁ ଏହା କାହାର ଟଙ୍କା।”

ସୀତା ଦେବୀଙ୍କର ଏହି ଆକାଉଣ୍ଟ ବ୍ୟାଙ୍କ ଅଫ୍ ଇଣ୍ଡିଆର ଥିଲା। ତାଙ୍କ ଆକାଉଣ୍ଟରେ ଏତେ ଟଙ୍କା ଆସିଥିବା ଜାଣି ସେ ବି କାବ୍ବା ହୋଇଯାଇଥିଲେ। ସେ ମଧ୍ୟ ପୁଅ ଭଳି ସମାନ କଥା କହିଛନ୍ତି। ସେ କହିଛନ୍ତି ଯେ ଏତେ ଟଙ୍କା କେଉଁଠୁ ଆସିଲା ଆମେ ଜାଣି ନାହୁଁ। ସେ ଯାହା ଟଙ୍କା ହେଇଥାଉ ସେ ନେଇଯାଉ ବୋଲି ସୀତା କହିଛନ୍ତି। ସ୍ୱାମୀ ଫର୍ଜାନ କହିଛନ୍ତି ଯେ ଆମର ଚାଷୀ ପରିବାର। ଏଇ ଟଙ୍କା ଉପରେ ଆମର କୌଣସି ଦାବି ନାହିଁ। ବ୍ୟାଙ୍କ ଖୋଲିଲା ପରେ ଆମେ ଏହାକୁ ଫେରାଇ ଦେବୁ ବୋଲି ଫର୍ଜାନ କହିଛନ୍ତି।

ଭିଡିଓ ଭାଇରାଲ ପରେ ବ୍ୟାଙ୍କ ଅଧିକାରୀ କହିଲେ ଟେକ୍ନିକାଲ ଏରର

ଏଟିଏମ୍ରେ ବାଲାନ୍ସ ଚେକ୍ କରିବାର ଭିଡିଓ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ ହୋଇଛି। ଭିଡିଓ ଭାଇରାଲ୍ ହେବା ପରେ ଲୋକଙ୍କ ମଧ୍ୟରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା। ଲୋକେ ବ୍ୟାଙ୍କିଙ୍ଗ ସିଷ୍ଟମର ଦୁର୍ବଳତା ନେଇ ମଧ୍ୟ ପ୍ରଶ୍ନ ଉଠାଇଥିଲେ। ବ୍ୟାଙ୍କର ଟଙ୍କା ରଖିବା କେତେ ସୁରକ୍ଷିତ ସେ ନେଇ ପ୍ରଶ୍ନ କରିଥିଲେ। ଏହି ମାମଲା ବ୍ୟାଙ୍କର କର୍ଣ୍ଣଗୋଚର ହେବା ପରେ ବ୍ୟାଙ୍କ ପକ୍ଷରୁ ପ୍ରତିକ୍ରିୟା ସାମ୍ନାକୁ ଆସିଛି।

ସୁଲତାନ ଗଞ୍ଜ ବ୍ରାଞ୍ଚର ବ୍ୟାଙ୍କ ଅଫ୍ ଇଣ୍ଡିଆ ଅଧିକାରୀ କହିଛନ୍ତି ଏହା ଯାନ୍ତ୍ରୀକ ତ୍ରୁଟି ଯୋଗୁ ହୋଇଛି। ବ୍ରାଞ୍ଚ ମ୍ୟାନେଜର କହିଛନ୍ତି ଯେ ମହିଳାଙ୍କର ଏକ ପୂର୍ବରୁ ଲୋନ ଆକାଉଣ୍ଟ ଅଛି। ଯଦି ସେ ପୂର୍ବରୁ ବ୍ୟାଙ୍କ ସହିତ ଯୋଗାଯୋଗ କରିଥାନ୍ତେ ତେବେ ସମସ୍ୟାର ସମାଧାନ ହୋଇପାରିଥାନ୍ତା।

ବ୍ୟାଙ୍କ ମ୍ୟାନେଜର ଯେତେ ସେଫେଇ ଦେଲେ ବି ଏହା ବ୍ୟାଙ୍କିଙ୍ଗ ସିଷ୍ଟମର ଦୁର୍ବଳତା ପଦାରେ ପକାଇଛି। ବ୍ୟାଙ୍କରେ ଥିବା ଟଙ୍କା ସୁରକ୍ଷା ଉପରେ ପ୍ରଶ୍ନ ଛିଡ଼ା ହୋଇଛି। ତେବେ ଏହି ଘଟଣାରେ ଅନ୍ୟ ଏକ ଦିଗ ବି ଆପଣ ଦେଖିପାରିବେ।