ଲକ୍ଷ୍ନୌ: ଉତ୍ତର ପ୍ରଦେଶର ମଥୁରା ଜିଲ୍ଲା ଅନ୍ତର୍ଗତ ଗୋବର୍ଦ୍ଧନ ଅଞ୍ଚଳରେ ଏକ ନୃଶଂସ ଏବଂ ସଂବେଦନଶୀଳ ଘଟଣା ସାମ୍ନାକୁ ଆସିଛି। ଜଣେ ଘର ମାଲିକ ନିଜ ଭଡ଼ାଟିଆଙ୍କ ୧୦ ବର୍ଷୀୟା ନାବାଳିକା ଝିଅକୁ କ୍ରମାଗତ ଭାବେ ଦୁଷ୍କର୍ମ କରିବା ସହ ଏହାର ଭିଡିଓ ଏବଂ ଫଟୋ ରେକର୍ଡ କରି ରଖିଥିବା ନେଇ ପୋଲିସ ନିକଟରେ ଅଭିଯୋଗ ହୋଇଛି।

ପୋଲିସର ସୂଚନା ଅନୁସାରେ, ଅଭିଯୁକ୍ତ ଘର ମାଲିକର ବୟସ ୪୨ ବର୍ଷ ଏବଂ ସେ ପଶ୍ଚିମବଙ୍ଗର ବାସିନ୍ଦା। ନାବାଳିକାର ମା' ପୋଲିସ ନିକଟରେ ଦାଖଲ କରିଥିବା ଅଭିଯୋଗ ଅନୁସାରେ, ଅଭିଯୁକ୍ତ ଜଣକ ଦୀର୍ଘ ଦିନ ହେବ ନାବାଳିକା ଜଣଙ୍କୁ ଯୌନ ନିର୍ଯାତନା ଦେଇ ଆସୁଥିଲା ଏବଂ ଏହି ଅପରାଧର ଫଟୋ ଓ ଭିଡିଓ ମଧ୍ୟ ନିଜ ପାଖରେ ରଖିଥିଲା।

ବୁଧବାର ଦିନ ଅଭିଯୁକ୍ତ ପୁନର୍ବାର ସେହି ନାବାଳିକା ଉପରେ ଆକ୍ରମଣ କରିବା ପରେ, ପୀଡ଼ିତା ଜଣକ ନିଜ ମା'ଙ୍କୁ ସମସ୍ତ ଘଟଣା ବିଷୟରେ ଜଣାଇଥିଲେ। ମା'ଙ୍କ ଅଭିଯୋଗ ଆଧାରରେ ଗୋବର୍ଦ୍ଧନ ଥାନା ପୋଲିସ ତୁରନ୍ତ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଭାରତୀୟ ନ୍ୟାୟ ସଂହିତା (BNS) ଏବଂ ଶିଶୁ ଯୌନ ଅପରାଧ ସୁରକ୍ଷା ଆଇନ (POCSO Act)ର ବିଭିନ୍ନ ଗୁରୁତର ଧାରା ଅଧୀନରେ ମାମଲା ପଞ୍ଜୀକୃତ କରାଯାଇଛି।

ପୀଡ଼ିତା ନାବାଳିକାଙ୍କୁ ଡାକ୍ତରୀ ପରୀକ୍ଷା ପାଇଁ ହସ୍ପିଟାଲ ପଠାଯାଇଛି। ଜଣେ ପୁଲିସ ଅଧିକାରୀ କହିଛନ୍ତି ଯେ, ଘଟଣାସ୍ଥଳରୁ ପ୍ରମାଣ ସଂଗ୍ରହ କରାଯାଉଛି ଏବଂ ତଦନ୍ତରୁ ମିଳିଥିବା ତଥ୍ୟ ଆଧାରରେ ଅଭିଯୁକ୍ତ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।