ଭଦ୍ରକ: ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ମଙ୍ଗଳବାର ଭଦ୍ରକ ଜିଲ୍ଲା ସହିଦ ସ୍ମୃତି ଭବନଠାରେ ବିବାହ କରିଛନ୍ତି ୨୫ ଯୋଡ଼ା ବରକନ୍ୟା। ବୈଦିକ ରୀତିନୀତି ଅନୁସାରେ ସେମାନଙ୍କ ବିବାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାଏଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ଏହି ବିବାହ କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ସମବାୟ, ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ଯୋଗ ଦେଇ ବର କନ୍ୟାଙ୍କୁ ଆଶୀର୍ବାଦ କରିଥିଲେ।

ଏହି ଅବସରରେ ମନ୍ତ୍ରୀ କହିଛନ୍ତି ସରକାରଙ୍କ ଏହି ଅଭିନବ ଓ ଜନାଭିମୁଖୀ ପଦକ୍ଷେପ ନବଦମ୍ପତିମାନଙ୍କୁ ଏକ ସୁନ୍ଦର, ସୁରକ୍ଷିତ ଓ ସୁଖମୟ ନୂତନ ଜୀବନର ଆରମ୍ଭ କରିବାରେ ସହାୟକ ହେବ ବୋଲି ଆଶା କରାଯାଉଛି।

ସୂଚନାଥାଉକି, ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଅନ୍ତର୍ଗତ ପ୍ରତ୍ୟେକ କନ୍ୟାଙ୍କୁ ସର୍ବମୋଟ ୬୦ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବ। ସେଥିମଧ୍ୟରୁ ୪୫ ହଜାର ଟଙ୍କା କନ୍ୟାଙ୍କ ନିଜସ୍ୱ ବ୍ୟାଙ୍କ ଖାତାକୁ ଡିବିଟି ମାଧ୍ୟମରେ ଜମା ହେବାର ବ୍ୟବସ୍ଥା ରହିଛି ଏବଂ ଅବଶିଷ୍ଟ ୧୫ ହଜାର ଟଙ୍କା ନିୟୋଜିତ କାର୍ଯ୍ୟକାରୀ ସଂସ୍ଥାଙ୍କୁ ବିବାହ ସମ୍ବନ୍ଧୀୟ ଆନୁସଙ୍ଗିକ ଖର୍ଚ୍ଚ ପାଇଁ ପ୍ରଦାନ କରାଯିବ।