ନୂଆଦିଲ୍ଲୀ: ରୁଷର ରୋସ୍ତୋଭ ଅଞ୍ଚଳରେ ୟୁକ୍ରେନର ଡ୍ରୋନ୍ ଆକ୍ରମଣ। ଏଥିରେ ଜଣେ ଶିଶୁ ଏବଂ ଦମ୍ପତିଙ୍କ ସହ ୫ ଜଣଙ୍କର ମୃତ୍ୟୁ ହୋଇଛି। ସୋମବାର ସକାଳେ ୟୁକ୍ରେନ ପକ୍ଷରୁ ଶହ ଶହ ଡ୍ରୋନ୍ ମାଡ଼ କରାଯାଇଥିବା ନେଇ ରୁଷୀୟ ଅଧିକାରୀମାନେ ସୂଚନା ଦେଇଛନ୍ତି। ୟୁକ୍ରେନ ସୀମାକୁ ଲାଗି ରହିଥିବା ରୁଷର ରୋସ୍ତୋଭ ଅଞ୍ଚଳରେ ୟୁକ୍ରେନର ଡ୍ରୋନ ମାଡ଼ ଘଟଣାକୁ ନେଇ କ୍ରେମଲିନ କ୍ଷୁବ୍ଧ। ଆଞ୍ଚଳିକ ଗଭର୍ଣ୍ଣର ୟୁରୀ ସ୍ଲିୟୁସାରଙ୍କ ଅନୁଯାୟୀ, ମୃତକଙ୍କ ମଧ୍ୟରେ ଦମ୍ପତି ଏବଂ ଜଣେ ଶିଶୁ ସାମିଲ ଅଛନ୍ତି।

ଏହି ଆକ୍ରମଣ ଯୋଗୁଁ ଅନେକ ଆପାର୍ଟମେଣ୍ଟ, ଗୋଦାମ ଗୃହ ଏବଂ ଏକ  ଆଶ୍ରୟସ୍ଥଳୀରେ ନିଆଁ ଲାଗିଯାଇ ବହୁ କ୍ଷତି ହୋଇଛି।
ସୀମାନ୍ତ ବେଲଗୋରୋଡ ଅଞ୍ଚଳରେ ୟୁକ୍ରେନୀୟ ଡ୍ରୋନ୍ ଆକ୍ରମଣରେ ୨ ଜଣ ଶିଶୁଙ୍କ ସହ ୧୨ ଜଣ ଆହତ ହୋଇଛନ୍ତି।

ରୁଷ ପ୍ରତିରକ୍ଷା ମନ୍ତ୍ରଣାଳୟ ଦାବି କରିଛି ଯେ, ଦେଶର ଏୟାର ଡିଫେନ୍ସ ସିଷ୍ଟମ୍ ରାତିସାରା ୨୭୬ଟି ୟୁକ୍ରେନୀୟ ଡ୍ରୋନ୍‌କୁ ନଷ୍ଟ କରିବାରେ ସଫଳ ହୋଇଛି। ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି କହିଛନ୍ତି, ଗତକାଲି ରାତିରେ ରୋସ୍ତୋଭ ଅଞ୍ଚଳରେ ଆମର ଦୀର୍ଘ ଦୂରଗାମୀ ଡ୍ରୋନ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଛି। ସୀମାରୁ ୨୫୦ କିଲୋମିଟର ଦୂରରେ ଥିବା ଏକ ରପ୍ତାନୀ ଟର୍ମିନାଲକୁ ସଫଳତାର ସହ ଟାର୍ଗେଟ କରାଯାଇଛି।

ଜେଲେନସ୍କି ଫେସବୁକ୍ ପୋଷ୍ଟ ଜରିଆରେ ଜଣାଇଛନ୍ତି ଯେ, ସୀମାରୁ ପ୍ରାୟ ୧,୩୦୦ କିଲୋମିଟର ଦୂରରେ ଥିବା ୟାରୋସ୍ଲାଭଲ୍ (Yaroslavl) ଏବଂ ଉଦମୁର୍ତିଆ (Udmurtia) ଅଞ୍ଚଳର ରୁଷୀୟ ତୈଳ ପ୍ରକଳ୍ପଗୁଡ଼ିକ ଉପରେ ମଧ୍ୟ ଗଭୀର ଆକ୍ରମଣ କରାଯାଇଛି।

ସାଢ଼େ ଚାରି ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ଚାଲିଥିବା ଏହି ଯୁଦ୍ଧରେ ରୁଷକୁ ଆଲୋଚନା ଟେବୁଲକୁ ଆଣିବା ପାଇଁ ୟୁକ୍ରେନ୍  ଜବାବୀ ଆକ୍ରମଣ ଜୋରଦାର କରିଛି।  ସେପଟେ ମସ୍କୋ ପକ୍ଷରୁ ଦୀର୍ଘ ଦୂରଗାମୀ ଆକ୍ରମଣ ବୃଦ୍ଧି ପାଇବା ଯୋଗୁଁ ୟୁକ୍ରେନରେ ସାଧାରଣ ନାଗରିକଙ୍କ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇଛି। ସୋମବାର ସକାଳେ ରୁଷୀୟ ଆକ୍ରମଣ ଯୋଗୁଁ ୟୁକ୍ରେନରେ ପ୍ରାୟ ୪ ଜଣ ଆହତ ହୋଇଛନ୍ତି, ଯେଉଁଥିରେ ଜଣେ ୮୮ ବର୍ଷୀୟା ବୃଦ୍ଧା ମଧ୍ୟ ସାମିଲ ।