ନୂଆଦିଲ୍ଲୀ ୧୯।୦୯; ଗଣେଶ ବିସର୍ଜନ ସାରି ଘରକୁ ଫେରୁଥିଲେ... ହେଲେ ଫେରିବା ବାଟରେ ଜଗି ରହିଥିଲା ମୃତ୍ୟୁ। ଭୋର ସମୟରେ ଘଟିଲା ଭୟଙ୍କର ସଡ଼କ ଦୁର୍ଘଟଣା। ହାଇଦ୍ରାବାଦ-ବେଙ୍ଗାଲୁରୁ ୪୪ ନମ୍ବର ଜାତୀୟ ରାଜପଥରେ ନିୟନ୍ତ୍ରଣ ହରାଇ ଡିଭାଇଡରରେ ପିଟି ହୋଇ ଓଲଟି ପଡ଼ିଲା ଦ୍ରୁତଗାମୀ କାର । ଆଉ ଏହି ଦୁର୍ଘଟଣାରେ ମୁହୂର୍ତ୍ତକ ମଧ୍ୟରେ ଖୁସିର ଯାତ୍ରା ପାଲଟିଗଲା ଦୁଃଖର ଯାତ୍ରାରେ।

ଶନିବାର ଭୋର ପ୍ରାୟ ୪ଟା ୩୦। ପାଲାମାକୁଲା ଗ୍ରାମ ନିକଟରେ ହାଇଦ୍ରାବାଦ-ବେଙ୍ଗାଲୁରୁ ଜାତୀୟ ରାଜପଥ ୪୪ରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା। ପୋଲିସ ସୂଚନା ଅନୁସାରେ, ଭୋର ସମୟରେ ଦ୍ରୁତଗତିରେ ଯାଉଥିବା ଇନୋଭାଟି ହଠାତ୍ ନିୟନ୍ତ୍ରଣ ହରାଇଥିଲା। ଏହାପରେ ଗାଡ଼ିଟି ରାସ୍ତାକଡ଼ରେ ଥିବା ଡିଭାଇଡର ସହ ଜୋରଦାର ଧକ୍କା ହୋଇ ଓଲଟି ପଡ଼ିଥିଲା। ଧକ୍କା ଏତେ ଜୋରଦାର ଥିଲା ଯେ ୪ ଜଣଙ୍କ ଜୀବନ ଚାଲିଯାଇଥିଲା ।

ଗୁରୁତର ଆହତ ହୋଇଥିବା ଡ୍ରାଇଭର ହସ୍ପିଟାଲରେ ଜୀବନ ସହ ସଂଘର୍ଷ କରୁଛନ୍ତି । ଦୁର୍ଘଟଣା ପରେ ଘଟଣାସ୍ଥଳରେ ପହଞ୍ଚିଥିଲା ପୋଲିସ। ତେବେ ଗାଡ଼ିଟି କେଉଁ ପରିସ୍ଥିତିରେ ନିୟନ୍ତ୍ରଣ ହରାଇଲା, ତାହାର ପ୍ରକୃତ କାରଣ ଜାଣିବାକୁ ପୋଲିସ ତଦନ୍ତ ଜାରି ରଖିଛି।