କୋଲକାତା: ପଶ୍ଚିମବଙ୍ଗ ରାଜନୀତିରେ ଝଡ଼ । ନନ୍ଦୀଗ୍ରାମ ଉପ-ନିର୍ବାଚନରେ ମମତା ବାନାର୍ଜୀଙ୍କ କ୍ୟାମ୍ପର ପ୍ରାର୍ଥୀ ସଞ୍ଚିତା ପ୍ରଧାନ ଦେ ନିଜର ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିଛନ୍ତି। ରାଜ୍ୟ ସଚିବାଳୟ 'ନବାନ୍ନ'ରେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କୁ ଭେଟିବାର କିଛି ଘଣ୍ଟା ମଧ୍ୟରେ ସେ ଉପନିର୍ବାଚନ ମୈଦାନରୁ ଓହରିଯିବାକୁ ନିଷ୍ପତ୍ତି ନେଇଛନ୍ତି।

ନନ୍ଦୀଗ୍ରାମର ପ୍ରାର୍ଥୀ ସଞ୍ଚିତା ପ୍ରଧାନ ଦେ ନବାନ୍ନରେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ସହ ଗୋପନରେ ସାକ୍ଷାତ କରିଥିଲେ। ପ୍ରଥମେ ଏହାକୁ ଏକ ଔପଚାରିକ ସାକ୍ଷାତକାର କୁହାଯାଉଥିଲା । କିନ୍ତୁ ଶୁଭେନ୍ଦୁ ଅଧିକାରୀ ଗତ ନିର୍ବାଚନରେ ଭବନୀପୁର ଏବଂ ନନ୍ଦୀଗ୍ରାମରୁ ବିଜୟୀ ହୋଇଥିଲେ । ମୁଖ୍ୟମନ୍ତ୍ରୀ ହେବା ପରେ ସେ, ନନ୍ଦୀଗ୍ରାମ ଆସନ ଛାଡ଼ିଥିବାରୁ ଏବଂ ସେଠାରେ ଉପନିର୍ବାଚନ ହେବାକୁ ଯାଉଥିବାରୁ ଏହି ସାକ୍ଷାତକାର ଗୁରୁତ୍ବପୂର୍ଣ୍ଣ ଥିଲା । ଏହି ସାକ୍ଷାତର କିଛି ସମୟ ପରେ ସଞ୍ଚିତା ଉପ-ନିର୍ବାଚନରୁ ଓହରି ଯିବା ନେ ଘୋଷଣା କରିଥିଲେ।

ନିର୍ବାଚନ କମିଶନ (EC) ମମତା ବାନାର୍ଜୀଙ୍କ ଶିବିରକୁ ଆଗାମୀ ରେଜିନଗର ଓ ନନ୍ଦୀଗ୍ରାମ ଉପ-ନିର୍ବାଚନ ପାଇଁ 'ଫୁଟବଲ ଖେଳାଳି' ପ୍ରତୀକ ଏବଂ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଋତବ୍ରତ ବାନାର୍ଜୀଙ୍କ ଶିବିରକୁ 'ଲଫାପା' (Envelope) ପ୍ରତୀକ ଆବଣ୍ଟନ କରିଥିବା ଦିନ ହିଁ ସଞ୍ଚିତା ଏହି ନିଷ୍ପତ୍ତି ନେଇଛନ୍ତି।

ନନ୍ଦୀଗ୍ରାମ ଉପ-ନିର୍ବାଚନ ପାଇଁ ଆଉ ୧ ମାସରୁ କମ୍ ସମୟ ବାକି ଥିବା ବେଳେ ଏହି ପ୍ରାର୍ଥୀପତ୍ର ପ୍ରତ୍ୟାହାର ମମତା ଶିବିର ପାଇଁ ଏକ ବଡ଼ ଝଟ୍‌କା ବୋଲି କୁହାଯାଉଛି । ସଞ୍ଚିତାଙ୍କର ଏହି ନିଷ୍ପତ୍ତି ପଶ୍ଚିମବଙ୍ଗର ଆଗାମୀ ଉପ-ନିର୍ବାଚନୀ ସମୀକରଣକୁ ଆହୁରି ଜଟିଳ କରିଦେଇଛି।

ସୂଚନାଯୋଗ୍ୟ, ନିଜ ପ୍ରାର୍ଥୀ ଧୋକା ଦେବା ପରେ ମମତା କଂଗ୍ରେସକୁ ସମର୍ଥନ ଦେବେ ବୋଲି ଘୋଷଣା କରିଛନ୍ତି । ନନ୍ଦୀଗ୍ରାମ ଉପନିର୍ବାଚନ ଲାଗି ଆଉ ପ୍ରାର୍ଥୀ ନଦେଇ କଂଗ୍ରେସର ପ୍ରାର୍ଥୀଙ୍କୁ ‘ମମତା ଅଲ୍ ଇଣ୍ଡିଆ ତୃଣମୂଳ କଂଗ୍ରେସ’ସମର୍ଥନ ଦେବ ବୋଲି ଦଳ ସୁପ୍ରିମୋ ମମତା ବନାର୍ଜୀ କହିଛନ୍ତି । ନନ୍ଦୀଗ୍ରାମ ଉପନିର୍ବାଚନ ଲାଗି କଂଗ୍ରେଦ ମିଲନ ପ୍ରଧାନଙ୍କୁ ପ୍ରାର୍ଥୀ କରିଛି । କଂଗ୍ରେସକୁ ସମର୍ଥନ ଦେଇ ଇଣ୍ଡି ମେଣ୍ଟ ପାଇଁ ତାଙ୍କର ପ୍ରତିବଦ୍ଧତାକୁ ଦୋହାରାଇଛନ୍ତି ବୋଲି କହିଛନ୍ତି ମମତା ବାନାର୍ଜୀ ।